କନକ ବ୍ୟୁରୋ: ରାମ ରାମ ସତ୍ୟ ହେ ଡାକ ପଡୁଛି…ହରିବୋଲ ସହ କୀର୍ତ୍ତନ ବି ହେଉଛି । କାନ୍ଦବୋବାଳିରେ ଫାଟି ପଡ଼ୁଛି ପୂରା ଅଞ୍ଚଳ । ସ୍ବାମୀକୁ ହରାଇ କାନ୍ଦିକାନ୍ଦି ମୁଣ୍ଡ ବାଡେଇ ଦେଉଛି ସ୍ତ୍ରୀ…ବାପାକୁ ହରାଇ ଧୈର୍ଯ୍ୟହରା ଝିଅ । ନିଜ ଲୋକ ଯେବେ ସବୁଦିନ ପାଇଁ ପରପାରିକୁ ଚାଲିଯାଏ ସେ କଷ୍ଟ କଣ ତାହା ଆପଣମାନେ ଉଣା ଅଧିକେ ଜାଣିଥିବେ । ଦର୍ଶକବନ୍ଧୁ ଇଏ ବି ଠିକ୍ ସେମିତି ଘଟଣା । ହେଲେ ଏହି ଦୁଃଖର ସମୟରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କିନ୍ତୁ ସେ ଅଭାଗା ପରିବାର ପାଖରେ ପହଞ୍ଚିଥିଲେ । ନା ପ୍ରୋଟକଲ୍ ଥିଲା…ନାଁ ସୁରକ୍ଷା ବ୍ୟବସ୍ଥା ଥିଲା । ସାଧାରଣ ଲୋକଟିଏ ପରି କାନ୍ଧରେ ଶବ ଧରି ଶଶ୍ମାନ ପର୍ଯ୍ୟନ୍ତ ଯାଇଥିଲେ ମନ୍ତ୍ରୀ । ଆଉ ସଂପଦଙ୍କ ଏହି କାମକୁ ନେଇ ପୂରା ପାରାଦୀପ ଅଂଚଳରେ ପ୍ରଶଂସା କରାଯାଉଛି ।
ମନ୍ତ୍ରୀ ଥିଲେ, କର୍ତ୍ତବ୍ୟ ଭୁଲିନଥିଲେ
ଶବ କାନ୍ଧେଇଲେ…ଶୋଭାଯାତ୍ରାରେ ସାମିଲ ହେଲେ
ଦର୍ଶକବନ୍ଧୁ ଆଜିର ଦୁନିଆରେ ମଣିଷ ଟିକେ ଉପରକୁ ଗଲେ ଆଉ ପଛକୁ ଫେରିନଥାଏ । ଆଜିର ଦୁନିଆରେ ପୁଅ ବଡ଼ ହୋଇଗଲେ ମାଆ-ବାପାଙ୍କୁ ବି ପଚାରିବାକୁ ଇଚ୍ଛା କରୁନି । କିନ୍ତୁ ଜଣେ ମନ୍ତ୍ରୀ ନିଜର କର୍ତ୍ତବ୍ୟ କଣ ତାହା ଭୁଲିନାହାନ୍ତି ବରଂ ଦୁଃଖ ସମୟରେ ଦୁଃଖୀ ପରିବାର ପାଖରେ ପହଞ୍ଚିଛନ୍ତି ।
ପାରାଦୀପ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଙ୍କପାଳ ଗାଁ । ଭାରତୀୟ ଜନତା ପାର୍ଟିର ପଙ୍କପାଳ ମଣ୍ଡଳର ପୂର୍ବତନ ସଭାପତି ପ୍ରଦୀପ ମହାପାତ୍ରଙ୍କ ଆକସ୍ମିକ ଦେହାନ୍ତ ହୋଇଥିଲା । ଦେହାନ୍ତ ଖବର ପାଇବା ପରେ ସଙ୍ଗେ ସଙ୍ଗେ ପହଞ୍ଚିଥିଲେ ମନ୍ତ୍ରୀ ସଂପଦ ସ୍ବାଇଁ । ଖାଲି ପହଞ୍ଚିଥିଲେ ତାହା ନୁହେଁ ବରଂ ପରିବାର ସମ୍ପର୍କୀୟଙ୍କୁ ସାନ୍ତ୍ବନା ଦେଇଥିଲେ । ଶେଷରେ ଶ୍ମଶାନକୁ ଯାଇ ଶେଷ ବିଦାୟ ବି ଜଣାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।