କନକ ବ୍ୟୁରୋ: ‘ଗାଁକୁ ରାସ୍ତା ନାହିଁ, ଛୋଟ ନାଳ ଡେଇଁ ଲମ୍ବି ଯାଇଥିବା ପାଦଚଲା ବାଟରେ ଦଶନ୍ଧି ଦଶନ୍ଧି ଧରି ଚାଲିଛି ଯିବାଆସିବା । ଏମିତିରେ ଗାଁକୁ ଆସି ପାରେନି ଆମ୍ବୁଲାନ୍ସ । ସେଇଥିପାଇଁ ଗୁରୁତର ରୋଗୀ ତଥା ଗର୍ଭବତୀଙ୍କୁ ଖଟ ଦୋଳାରେ ବୋହି ନେବାକୁ ହୁଏ । ବିଜୁଳି ନାହିଁ, ସଞ୍ଜ ନଉଣୁ ମାଡ଼ି ଆସେ ଅନ୍ଧାର । କିଛି ବର୍ଷ ହେଲା ପାଣି ପାଇଁ ସୌରଚାଳିତ ପାନୀୟ ପ୍ରକଳ୍ପ ବସାଇଛନ୍ତି ସରକାର । ବର୍ଷାଦିନେ ମେଘ ଢାଙ୍କିଲେ ତାହା ବି ଅଚଳ । ଏହି ସମୟରେ କୂଅପାଣି ପିଇ ଜୀବନ ବଞ୍ଚେ । ପ୍ରାଥମିକ ଶିକ୍ଷା ପାଇଁ ଯେଉଁ ବିଦ୍ୟାଳୟଟି ଥିଲା, ବହୁ ବର୍ଷରୁ ସେଥିରେ ତାଲା ପଡ଼ିଯାଇଛି । ପିଲାଏ ପାଠ ଛାଡ଼ି ଦେଇଛନ୍ତି । 

Advertisment

ଏମିତି ଏକ ନାହିଁ ନାହିଁର ଗାଁରେ ଆମେ ବଞ୍ଚୁଛୁ’ । ଏକାଥରକେ ଗାଁର ଏତେ ସବୁ ଦୁର୍ଦ୍ଦଶା କଥା କହି ଦମ୍ ମାରିଥିଲେ ଦଶରୁ କିଶାନ ଦଶରୁ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଡୁଡୁକା ପଞ୍ଚାୟତ ପାହାଡ଼ ତଳ ଗାଁ କେନ୍ଦ୍ରାଯୋରର ଷାଠିଏ ବର୍ଷର ଗାଁ ମୁଣ୍ଡରେ ତାଙ୍କ ସହ ଭେଟ ହୋଇଥିଲା । ତାଙ୍କୁ ମୁହଁରୁ ଏତେ ସବୁ ଶୁଣିବା ପରେ କଥା ଛଳରେ ତାଙ୍କୁ ଅଗଷ୍ଟ ପନ୍ଦର, ସ୍ବାଧୀନତା ଦିବସର କଥା ପଚାରିଲୁ । ସେ କିଛି କହିଲେନି, ମଳିନ ହସଟେ ହସି କାନ୍ଧରେ ଫାଉଡ଼ାଟେ ପକାଇ ଚାଲିଗଲେ । ସେ ହସ ଭିତରେ ଯେମିତି କହିଗଲେ, ନାହିଁ ନାହିଁରେ ଜିଉଁଥିବା ଗାଁରେ ସ୍ଵାଧୀନତା ଦିବସର ମୂଲ୍ୟ ବା’ କଣ କେନ୍ଦାଯୋର ଗାଁରେ ସମସ୍ତ ଆଦିବାସୀ । ୨୮ଘର ବିଶିଷ୍ଟ ଗାଁରେ ଜନସଂଖ୍ୟା ପାଖାପାଖି ଦେଢ଼ଶହ । ଗାଁର ପ୍ରାୟ ପରିବାରର ଜୀବନଜୀବିକା ଜଙ୍ଗଲରେ ମହୁଲ, ଚାର, ଝୁଣା, ମହୁ, ଲାଖ ଆଦି ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରି କରି ଚଳନ୍ତ ଗାଁର ଅଧିକାଂଶ ଲୋକେ । 

ଏବେ ବି ଅନେକ ପରିବାର ମାଟିଘରେ ରହୁଛନ୍ତି । ମିଳିନି ପ୍ରଧାନମନ୍ତ୍ରୀ ଆବାସ । ଜଣକ ଘରେ ବି ସ୍ବଚ୍ଛ ଭାରତ ପାଇଖାନା ନିର୍ମାଣ ହୋଇନାହିଁ । ହେମଗିର ବ୍ଲକ୍ ଅଧୀନରେ ଥିଲେ ହେଁ ଗାଁ ଲୋକେ ନିର୍ଭର କରନ୍ତି ଲେଫ୍ରିପଡ଼ା ବଜାର ଉପରେ । ରାସ୍ତା ନଥିବା ବେଳେ ପାଦଚଲା ବାଟରେ ଯିବାଆସିବା ବର୍ଷାଦିନେ ଯାତାୟାତ ଅଧିକ ଯନ୍ତ୍ରଣାଦାୟକ ହୋଇଯାଏ । ଏହି ସମୟରେ କେହି ଯଦି ରୋଗରେ ଗୁରୁତର ହେଲା ବା କେହି ମହିଳା ଗର୍ଭବେଦନାରେ ଛଟପଟ ହେଲା, କଥା ସରିଲା । କିଛି ବାଟ ଖଟରେ ବୋହି ନେଲା ପରେ ଆମ୍ବୁଲାନ୍ସ ସେବା ମିଳେ । ଖଟଦୋଳାରେ ବୋହିନେଲାବେଳେ ରୋଗୀ, ଗର୍ଭବତୀଙ୍କ ଭାଗ୍ୟ ଟାଣଥିଲେ ବଞ୍ଚିଯାଆନ୍ତି, ନହେଲେ ଅଧାବାଟରେ ପ୍ରାଣ ଚାଲିଯାଏ । ଏମିତି କିଛି ଦୁଃଖଦ ନଜିର ବି ଗାଁ ଦେଖିଛି ।

ବର୍ଷ ବର୍ଷ ଧରି ଗାଁ ଲୋକେ ଭୋଗି ଚାଲିଥିବା ଏସବୁ ଦୁର୍ଦ୍ଦଶା ସମ୍ପର୍କରେ ପ୍ରଶାସନକୁ ବହୁବାର ଜଣାଇଛନ୍ତି । ହେଲେ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରନ୍ତି ଗାଁର ୱାର୍ଡସଭ୍ୟା ସରୋଜିନୀ କାଲୋ । ପ୍ରାଶାସନିକ ଉଦାସୀନତା ଓ ଅବହେଳା ମଧ୍ୟରେ ବିକାଶ କଥା ଛାଡ଼,ଏବେ ବି ଜୀବନ ଜିଇଁବାର ମୌଳିକ ସାଧନଠାରୁ ଗାଁଟି ଅପହଞ୍ଚ ହୋଇ ରହିଛି । ସ୍ବାଧୀନତାର ୭୮ ବର୍ଷ ପରେ କେନ୍ଦାଯୋର ପାଇଁ ଏହାଠୁ ବଳି ବିଡ଼ମ୍ବନା ଆଉ କ’ଣ ହୋଇପାରେ ।