କନକ ବ୍ୟୁରୋ : ପଶୁପକ୍ଷୀଙ୍କ ପ୍ରତି କରୁଣା ଭାବ ରଖୁଥିବା ଲୋକଙ୍କ ସମାଜରେ ଭିନ୍ନ ଏକ ନାଁ ରଖାଯାଇଛି ‘Animal Lover’ । ପ୍ରାତଃଭ୍ରମଣରେ ବାହାରିଲା ବେଳେ କେଉଁଠି କୁକୁର ଦେଖିଲେ ବିସ୍କୁଟ ଖାଇବାକୁ ଦେବା ,ପକ୍ଷୀମାନଙ୍କୁ ପାଣି ପିଇବାକୁ ଦେବା ଆଦି ଅନେକ ଭଲ କାମ କରି ସମାଜକୁ କରୁଣାର ବାର୍ତ୍ତା ଦେଇଥା’ନ୍ତି Animal Lover । ବହୁତ ସୁନ୍ଦର କଥା , ଜୀବେ ଦୟା ହିଁ ସମାଜକୁ ସନ୍ତୁଳନର ଆଧାର ଯୋଗାଏ । କିନ୍ତୁ ଏଥିପାଇଁ ସତର୍କ ମଧ୍ୟ ରହିବା ଉଚିତ । ମଣିଷ ଜାଣୁଛି ଯେ ଭୋକିଲା ଉଦରକୁ ଖାଦ୍ୟ ଦେଇ ସେ ପୂଣ୍ୟ ଅର୍ଜନ କରୁଛି କିନ୍ତୁ ପଶୁ ଯଦି ଏହାର ଓଲଟା ବୁଝେ କଥା ସରିଲା । ଆଉ ଏମିତି ହିଁ କିଛି ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶରେ । ୟୁପିର ଜଣେ ରାଜ୍ୟସ୍ତରୀୟ କବାଡ଼ି ଖେଳାଳି ବ୍ରିଜେଶ ସୋଲଙ୍କିଙ୍କ ଜୀବନ ଏଥିପାଇଁ ଚାଲିଗଲା କାରଣ ସେ ଗୋଟିଏ କୁକୁର ଛୁଆର ଜୀବନ ବଞ୍ଚାଇଥିଲେ ।
/filters:format(webp)/kanak/media/media_files/2025/07/08/rebbis-2025-07-08-13-09-12.jpg)
କୁକୁର ଛୁଆଟିକୁ ଉଦ୍ଧାର କରୁଥିବା ବେଳେ ତା’ର ନଖ ବ୍ରିଜେଶଙ୍କ ଦେହରେ ବାଜିଯାଇଥିଲା , କିଛି ଗଣମାଧ୍ୟମର ରିପୋର୍ଟ ଅନୁସାରେ କୁନି କୁକୁରଟି ତାଙ୍କୁ କାମୁଡ଼ିଥିଲା । ଆଉ ଏହାକୁ ସାଧାରଣ ଭାବି ବ୍ରିଜେଶ ଚିକିତ୍ସା ମଧ୍ୟ କରାଇନଥିଲେ । ନା ତ ସେ ଘା’କୁ ତୁରନ୍ତ ସଫା କରିଥିଲେ ନା ଡାକ୍ତରଙ୍କୁ ଦେଖାଇଥିଲେ । ସବୁଠୁ ବଡ଼ କଥା ହେଉଛି ସେ Anti-Rabies Injection ମଧ୍ୟ ନେଇନଥିଲେ , ଯାହା ତାଙ୍କ ଜୀବନ ଯିବାର ମୁଖ୍ୟ କାରଣ ହେଲା । ଆରମ୍ଭରୁ ତ କିଛି ଫରକ ଜଣାପଡ଼ିଲା ନାହିଁ କିନ୍ତୁ ସମୟକ୍ରମେ ବ୍ରିଜେଶଙ୍କ ଦେହ ଖରାପ ହେବାକୁ ଲାଗିଲା । ବିଚଳିତ ଲାଗିବା ସହ ପାଣି ଦେଖି ଡରୁଥିଲେ ବ୍ରିଜେଶ । ତା’ପରେ କଥା ହେବା ଏବଂ ଖାଦ୍ୟ-ପାଣି ଢୋକିବାରେ ମଧ୍ୟ ସମସ୍ୟା ଉପୁଜିଲା । ରାବିସର ଗମ୍ଭୀର ଲକ୍ଷଣକୁ ଦେଖି ପରିବାର ତାଙ୍କୁ ହସ୍ପିଟାଲ୍ ନେଇଗଲେ କିନ୍ତୁ ସେତେବେଳକୁ ନେଡ଼ି ଗୋଡ଼ କହୁଣୀକୁ ବୋହି ଯାଇଥିଲା । କୁକୁର ଭଳି ଭୋକିବା ସହ ବ୍ରିଜେଶ ବହୁ କଷ୍ଟରେ ଛଟପଟ ହୋଇ ଜୀବନ ହରାଇଲେ ।
ରାବିସ୍ ବା ଜଳାନ୍ତକ ଏକ ଘାତକ ସଂକ୍ରମଣ ଯାହା ସାଧାରଣତଃ ସଂକ୍ରମିତ ପଶୁଙ୍କ କାମୁଡ଼ା କିମ୍ବା ଲାଳ ସଂସ୍ପର୍ଶରେ ଆସିବା ଦ୍ୱାରା ହୋଇଥାଏ । ଏହି ରୋଗ ମଣିଷ ଏବଂ ପଶୁ ଉଭୟଙ୍କଠାରେ ଦେଖାଯାଏ ଏବଂ ସମୟାନୁବର୍ତ୍ତୀ ଚିକିତ୍ସା ନ କଲେ ଏହା ପ୍ରାୟ ୧୦୦% ଜୀବନ ଘାତକ ହୋଇଥାଏ । ସାଧାରଣତଃ ରାବିସ୍ ବ୍ୟାପୁଥିବା ପଶୁମାନଙ୍କ ମଧ୍ୟରେ ବୁଲା କୁକୁର ସବୁଠାରୁ ସାଧାରଣ । ଭାରତରେ ପ୍ରତିବର୍ଷ ହଜାର ହଜାର ଲୋକ ରାବିସ୍ କାରଣରୁ ମୃତ୍ୟୁବରଣ କରନ୍ତି, ବିଶେଷ କରି ପିଲାମାନେ । ଏହାର ମୁଖ୍ୟ କାରଣ ହେଉଛି ସୂଚନାର ଅଭାବ ।
/filters:format(webp)/kanak/media/media_files/2025/07/08/rebbis-2025-07-08-13-10-20.jpg)
କୁକୁର, ବିଲେଇ, ମାଙ୍କଡ଼, ବାଦୁଡ଼ିଙ୍କ ଭଳି ସଂକ୍ରମିତ ପଶୁର ଲାଳ ଯଦି କୌଣସି କଟା ବା ଆଘାତ ସ୍ଥାନରେ ଲାଗିଯାଏ ତେବେ ଭାଇରସ୍ ଶରୀରରେ ପ୍ରବେଶ କରିପାରେ । ପାଟି, ଆଖି କିମ୍ବା ନାକର ଝିଲ୍ଲୀ ଉପରେ ସଂକ୍ରମିତ ଲାଳ ଲାଗିଲେ ମଧ୍ୟ ସଂକ୍ରମଣ ବ୍ୟାପିପାରେ । ଏହାର ଲକ୍ଷଣ ସାଧାରଣତଃ କାମୁଡ଼ିବାର ୧ ରୁ ୩ ମାସ ପରେ ଦେଖାଯାଏ କିନ୍ତୁ ବେଳେବେଳେ ଏହା କିଛି ଦିନ ମଧ୍ୟରେ ଦେଖାଯାଇପାରେ । ଏହାର ପ୍ରାରମ୍ଭିକ ଲକ୍ଷଣ ହେଉଛି ଜ୍ୱର ଏବଂ ଥକାପଣ, ମୁଣ୍ଡବିନ୍ଧା, କାମୁଡ଼ା ଯାଇଥିବା ସ୍ଥାନରେ ଜ୍ୱଳନ, ଯନ୍ତ୍ରଣା କିମ୍ବା ଝିମ୍ ଝିମ୍ ଲାଗିବା । ଏହାର ଗୁରୁତର ଲକ୍ଷଣକୁ ଯଦି ଚିହ୍ନିବାକୁ ଚେଷ୍ଟା କରିବେ ତେବେ ପାଣି,ପବନକୁ ଡର ଲାଗିବା,ବ୍ୟସ୍ତତା ଏବଂ ମାନସିକ ଦ୍ୱନ୍ଦ୍ୱ କାରଣରୁ ଅତ୍ୟଧିକ ଲାଳ ବାହାରିବା ଏବଂ କଥା କହିବାରେ ଅସୁବିଧା ହେବା । ବାତ ମାରିବା , ପକ୍ଷାଘାତ , କୋମା ଏବଂ ଶେଷରେ ମୃତ୍ୟୁ ଦେଇଦିଏ ଏହି ଜଳାନ୍ତକ ରୋଗ । ତେବେ ପୋଷା ପଶୁମାନଙ୍କୁ ନିୟମିତ ଟୀକାକରଣ କରିବା , ବୁଲା ପଶୁମାନଙ୍କଠାରୁ ଦୂରତା ବଜାୟ ରଖିବା ଏବଂ ହଇରାଣ ନ କରିବା ଦ୍ବାରା ଜଳାନ୍ତକରୁ ଆପଣ ଦୂରେଇ ରହିପାରିବେ । ଖାସ୍ କରି ପିଲାମାନଙ୍କୁ ଅଜଣା ପଶୁମାନଙ୍କଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଅନ୍ତୁ ।
ଯଦି କୁକୁର କିମ୍ବା ଅନ୍ୟ କୌଣସି ପଶୁ କାମୁଡ଼ି ଦେଇଛି ତେବେ କାମୁଡ଼ିବା କ୍ଷତକୁ ତୁରନ୍ତ ୧୫ ମିନିଟ୍ ପର୍ଯ୍ୟନ୍ତ ସାବୁନ୍ ଏବଂ ପାଣିରେ ଧୁଅନ୍ତୁ । ଆଘାତ ସ୍ଥାନରେ ଆଣ୍ଟିସେପ୍ଟିକ୍ ଲଗାନ୍ତୁ । ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ Anti-rabies vaccine (ARV) ଲଗାଇବା ଆରମ୍ଭ କରନ୍ତୁ । କାମୁଡ଼ିବା ପରେ ଟୀକା ଯେତେ ଶୀଘ୍ର ଲାଗିବ ଏହା ସେତେ ଅଧିକ ପ୍ରଭାବଶାଳୀ ହେବ ।