ସମୟ ସହିତ ତାଳ ଦେଇ ନ ଚାଲିଲେ ଆମେ ପଛରେ ପଡ଼ିଯିବା ବୋଲି ପିଲାଟି ବେଳୁ ଶୁଣିଆସୁଛେ । ତେଣୁ ସମୟ ସହିତ ଅପଡେଟ୍ ହେଉଥିବା ଗ୍ୟାଜେଟ୍ ପ୍ରତି ମଧ୍ୟ ଆମର ଦୁର୍ବଳତା ରହୁଛି । ଯେମିତି ମୋବାଇଲ୍ ଫୋନ୍ , ଆଜିକାଲି କାହା ପାଖରେ ଟଙ୍କା ଥାଉ କି ନଥାଉ କିନ୍ତୁ ମୋବାଇଲ୍ ଖଣ୍ଡିଏ ଥିବ । ତେବେ ଆବଶ୍ୟକତାଠାରୁ ଅଧିକ ଫୋନ୍ ଚଲାଇବା ସ୍ୱାସ୍ଥ୍ୟ ପକ୍ଷେ ଅହିତକର ବୋଲି ମଧ୍ୟ ଡାକ୍ତର ପରାମର୍ଶ ଦିଅନ୍ତି । ହେଲେ ଶୁଣୁଛି କିଏ ! ଛୋଟପିଲାଙ୍କ କ୍ଷେତ୍ରରେ ତ ମୋବାଇଲ୍ ଯେପରି ନଥିଲେ କିଛି ହେବନାହିଁ । ଖାଇଲା ବେଳେ ହେଉ କି ଗେମ୍ ଖେଳିଲା ବେଳେ ଫୋନ୍ ସ୍କ୍ରିନର ସଂସ୍ପର୍ଶରେ ଆସୁଛନ୍ତି କୋମଳମତୀ ପିଲା । ତେବେ ଏହି ସ୍କ୍ରିନ୍ ପିଲାଙ୍କ ବିକାଶ ଦିଗରେ କେମିତି ବାଧା ସାଜୁଛି ଆଜି ଜାଣିବା । 

CHILD

ପ୍ଲସ୍ ୱାନ୍ ନାମକ ଏକ ଜର୍ନାଲର ରିସର୍ଚ୍ଚ ଅନୁସାରେ , ୫ ବର୍ଷରୁ କମ୍ ବୟସର ପିଲା ଅଧିକ ସମୟ ଧରି ଫୋନ୍ ଚଲାଇବା ଦ୍ୱାରା ମସ୍ତିଷ୍କର ବିକାଶ ବାଧାପ୍ରାପ୍ତ ହୁଏ । ଖାସ୍ କରି ୨ ବର୍ଷରୁ କମ୍ ବୟସର ପିଲାଙ୍କ କଥା କହିବାରେ ମଧ୍ୟ ସମସ୍ୟା ଉପୁଜେ । ଡ.ସ୍ୱାତୀ ଛାବଡ଼ା କୁହନ୍ତି , ସ୍କ୍ରିନ୍ ଆଡ଼ିକ୍ସନ୍ ଯୋଗୁଁ ୭ ରୁ ୮ ବର୍ଷର ପିଲା ଆଖିରେ ଆଖି ମିଶାଇ କଥା ହେବା ପାଇଁ କୁଣ୍ଠାବୋଧ କରନ୍ତି । ଭିଡିଓରେ ଦେଖୁଥିବା ଅଭିନେତାଙ୍କୁ ନକଲ କରିବା ପାଇଁ ଚେଷ୍ଟା କରନ୍ତି । ୩ ବର୍ଷରୁ କମ୍ ବୟସର ପିଲା ଅତ୍ୟଧିକ ସ୍କ୍ରିନର ସଂସ୍ପର୍ଶରେ ଆସିବା ଏକ ବହୁତ ବଡ଼ ରିସ୍କ୍ ହୋଇଥାଏ । ବିଶେଷଜ୍ଞଙ୍କ କହିବାନୁସାରେ,ମୋବାଇଲ୍ ସ୍କ୍ରିନ୍ ସ୍ମରଣଶକ୍ତିକୁ କମାଏ । ଭାଷା ବିଳମ୍ବକୁ ବଢାଇଥାଏ , ଯେମିତିକି କିଛି ଯଦି ମାଗିବାକୁ ହୁଏ ତାହେଲେ ଶବ୍ଦରେ ନକହି ଠାରରେ ମଗାଯିବା । 

PHONE REDIANCE

ନ୍ୟୁରୋଲୋଜିଷ୍ଟ ଡ଼.କଦମ୍ ନାଗପାଲ୍ କୁହନ୍ତି , ଅଧିକ ଫୋନ୍ ବ୍ୟବହାର ଦ୍ୱାରା ପିଲାଙ୍କ ନିଦ୍ରା ସାଇକେଲ୍ ବିଗିଡିଯାଏ । ଯାହାକି ମସ୍ତିଷ୍କ ସମସ୍ୟା ଭଳି ଜଟିଳ ରୋଗକୁ ଜନ୍ମ ଦିଏ । ରାତିରେ ସ୍କ୍ରିନରୁ ବାହାରୁଥିବା ଆଲୋକ ମସ୍ତିଷ୍କରେ ଡୋପାମାଇନ୍ ନାମକ କ୍ୟାମିକାଲକୁ ପ୍ରଭାବିତ କରିଥାଏ । ଏମିତିରେ ବାରମ୍ବାର ଭିଡ଼ିଓ ଦେଖିବାକୁ ଇଚ୍ଛା ହୁଏ । ଏହାଛଡ଼ା ଫିଡସ୍ , ମାଇଗ୍ରେନ୍ ,ଚିଡ଼ଚିଡ଼ାପଣ , ଏକୁଟିଆପଣ ଭଳି ସମସ୍ୟା ମଧ୍ୟ ଦେଖାଯାଏ । ଖେଳକୁଦରୁ ଦୂରେଇ ରହୁଥିବାରୁ ପିଲାଙ୍କ ଶାରୀରିକ ବିକାଶ ମଧ୍ୟ ପ୍ରଭାବିତ ହୋଇଥାଏ । 

parent

ତେବେ ଡବ୍ଲୁଏଚଓ ଅନୁସାରେ , ଛୋଟପିଲାଙ୍କ ବିକାଶ ପାଇଁ ଶାରୀରିକ ଗତିବିଧି ବଢାଇବା ଏବଂ ନିଦ ସଂପୂର୍ଣ୍ଣ କରିବା ଦିଗରେ ବାପା,ମା’ ପ୍ରୟାସ କରିବା ଆବଶ୍ୟକ । ଏହାଦ୍ୱାରା ପିଲାଙ୍କ କ୍ଷେତ୍ରରେ ମେଦବହୁଳତା ଏବଂ ଭବିଷ୍ୟତରେ ନାନାଦି ରୋଗର ସମସ୍ୟା ମଧ୍ୟ ରହିବ ନାହିଁ । ସବୁବେଳେ ମୋବାଇଲ୍ ବ୍ୟବହାର କରିବା ଅଭ୍ୟାସ ଛୋଟପିଲାଙ୍କ ଭବିଷ୍ୟତ ପାଇଁ ଆଦୌ ହିତକର ନୁହଁ । ପିଲାଙ୍କ ଧ୍ୟାନ ରଖୁଥିବା ବ୍ୟକ୍ତି ପଢିବା , କାହାଣୀ ଶୁଣାଇବା , ଖେଳକୁଦ , ଚିତ୍ରାଙ୍କନ ଭଳି ଅଭ୍ୟାସକୁ ଆଦରି ସ୍କ୍ରିନରୁ ପିଲାଙ୍କୁ ଦୂରେଇ ରଖିବାକୁ ଚେଷ୍ଟା କରିବା ଦରକାର ।