ଚର୍ଚ୍ଚାରେ ଭାରତର ସୋଲାର ଦିଦି; ପ୍ରେରଣାଦାୟୀ କାହାଣୀ ଜାଣି ସାବାସୀ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ...

ଦେବକୀ ଦେବୀ ଆତ୍ମନିର୍ଭରଶୀଳତା ଏବଂ ସାହସର ଏପରି ଉଦାହରଣ ପାଲଟିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ 'ମନ କି ବାତ' କାର୍ଯ୍ୟକ୍ରମରେ ତାଙ୍କୁ 'ସୋଲାର ଦିଦି' ବୋଲି ସମ୍ବୋଧନ କରିଛନ୍ତି ।

30

କନକ ବ୍ୟୁରୋ: କିଛି କାହାଣୀ କିଛି ଘଟଣା ଏମିତି ପ୍ରେରଣା ଦିଏ, ଯାହା କି ପ୍ରଧାନମନ୍ତ୍ରୀଙ୍କୁ ବି ବାଧ୍ୟ କରେ ଦେଶବାସୀଙ୍କ ଆଗରେ ବଖାଣିବାକୁ । ଠିକ୍ ସେମିତି ଜଣେ ମହିଳାଙ୍କ ପ୍ରେରଣାଦାୟୀ କାହାଣୀକୁ ନେଇ ମନକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯାହାକୁ ନେଇ ଏବେ ଦିଲ୍ଲୀରୁ ପଲ୍ଲୀ ସବୁଠି ଚର୍ଚ୍ଚା ।

ବିହାର ମୁଜାଫରପୁରର ରତନପୁରା ଗାଁ ଆଜି କେବଳ ଜଣେ ମହିଳାଙ୍କ ପାଇଁ ଚର୍ଚ୍ଚାକୁ ଆସିଛି । ଏହି ଗାଁର ଜଣେ ମହିଳା ଦେବକୀ ଦେବୀ ଆତ୍ମନିର୍ଭରଶୀଳତା ଏବଂ ସାହସର ଏପରି ଉଦାହରଣ ପାଲଟିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ 'ମନ କି ବାତ' କାର୍ଯ୍ୟକ୍ରମରେ ତାଙ୍କୁ 'ସୋଲାର ଦିଦି' ବୋଲି ସମ୍ବୋଧନ କରିଛନ୍ତି । କମ୍ ବୟସରେ ବାହା ହୋଇଥିବା ଦେବକୀଙ୍କ ଜୀବନ ବହୁତ ସଂଘର୍ଷମୟ ଥିଲା । ସ୍ୱାମୀ ସୁନୀଲ ସାହାଣୀ ଦିନ ମଜୁରିଆ ଭାବେ ରୋଜଗାର କରନ୍ତି । ଦିନେ ଭୟଙ୍କର ଅଗ୍ନିକାଣ୍ଡ ସେମାନଙ୍କ ଘରର ସମସ୍ତ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । ଆଉ ଭୋକର ଭୟ ଦେବକୀଙ୍କୁ ଦେଖାଇଥିଲା ନୂଆ ବାଟ ।

ଦିନେ ଦେବକୀ ସୌରଶକ୍ତି ଉପରେ ବିହାର ମୁଖ୍ୟମନ୍ତ୍ରୀଙ୍କ ଭାଷଣରୁ ପ୍ରେରଣା ପାଇଲେ ଆଉ ନିଜ ପରିବାର ଓ ଗାଁ ପାଇଁ କିଛି ନୂଆ କରିବାକୁ ଅଣ୍ଟା ଭିଡ଼ିଲେ । JEEViKAର ସୌର ଜଳସେଚନ ଯୋଜନା ବିଷୟରେ ଜାଣିବା ପରେ, ସେ ଏହାକୁ ରୋଜଗାରର ବାଟ ଭଳି ବାଛିନେଲେ । ଏନେଇ ତାଙ୍କୁ ପ୍ରଥମେ ପରିବାର କିମ୍ବା ଗାଁ ଲୋକ ସାଥ୍ ମିଳିନଥିଲା । ସେ ମହିଳା ବୋଲି ତାଙ୍କୁ ଦୁର୍ବଳ ବୋଲି ସମାଲୋଚନା କଲେ । କିନ୍ତୁ JEEViKA ଭଉଣୀମାନେ ଦେବକୀଙ୍କ ସାଥ୍ ଦେଇ ତାଙ୍କୁ ଉତ୍ସାହିତ କରିଥିଲେ । ଦେବକୀ ଏକ ସ୍ବୟଂ ସହାୟକ ଗୋଷ୍ଠୀରୁ ଦେଢ଼ ଲକ୍ଷ ଟଙ୍କା ଋଣ ନେଇ ୨୦୨୩ରେ ଛୋଟିଆ ଜାଗାରେ ସୋଲାର୍ ପ୍ୟାନେଲ ସ୍ଥାପନ କରିଥିଲେ । ଯାହା ଏବେ ୪୦ ଏକରରେ ପରିଣତ ହୋଇଛି ।

ଏବେ ଦେବକୀ ୧୧୨ ଜଣ ଚାଷୀଙ୍କୁ ସାହାଯ୍ୟ କରୁଛନ୍ତି । ଗାଁର ୪୦ ଏକରରୁ ଅଧିକ ଜମି ଏବେ ସୋଲାର ଦିଦିଙ୍କ ସୌର ଶକ୍ତି ଦ୍ୱାରା ଜଳସେଚିତ ହେଉଛି । ଚାଷୀମାନେ ମଧ୍ୟ ଉପକୃତ ହେବା ଦ୍ବାରା ଦେବକୀଙ୍କୁ ଏହା ଭଲ ରୋଜଗାର ମଧ୍ୟ ଦେଇଛି । ଦେବକୀ ଏବେ କେବଳ ତାଙ୍କ ପରିବାରକୁ ଖାଦ୍ୟ ଦେଉନାହାନ୍ତି ବରଂ ପୂରା ଗାଁକୁ ସୌର ଶକ୍ତିର ସଫଳ ଉଦାହରଣ ଭାବେ ପ୍ରେରଣା ମଧ୍ୟ ଦେଉଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe