କନକ ବ୍ୟୁରୋ: କିଛି କାହାଣୀ କିଛି ଘଟଣା ଏମିତି ପ୍ରେରଣା ଦିଏ, ଯାହା କି ପ୍ରଧାନମନ୍ତ୍ରୀଙ୍କୁ ବି ବାଧ୍ୟ କରେ ଦେଶବାସୀଙ୍କ ଆଗରେ ବଖାଣିବାକୁ । ଠିକ୍ ସେମିତି ଜଣେ ମହିଳାଙ୍କ ପ୍ରେରଣାଦାୟୀ କାହାଣୀକୁ ନେଇ ମନକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯାହାକୁ ନେଇ ଏବେ ଦିଲ୍ଲୀରୁ ପଲ୍ଲୀ ସବୁଠି ଚର୍ଚ୍ଚା ।
ବିହାର ମୁଜାଫରପୁରର ରତନପୁରା ଗାଁ ଆଜି କେବଳ ଜଣେ ମହିଳାଙ୍କ ପାଇଁ ଚର୍ଚ୍ଚାକୁ ଆସିଛି । ଏହି ଗାଁର ଜଣେ ମହିଳା ଦେବକୀ ଦେବୀ ଆତ୍ମନିର୍ଭରଶୀଳତା ଏବଂ ସାହସର ଏପରି ଉଦାହରଣ ପାଲଟିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ 'ମନ କି ବାତ' କାର୍ଯ୍ୟକ୍ରମରେ ତାଙ୍କୁ 'ସୋଲାର ଦିଦି' ବୋଲି ସମ୍ବୋଧନ କରିଛନ୍ତି । କମ୍ ବୟସରେ ବାହା ହୋଇଥିବା ଦେବକୀଙ୍କ ଜୀବନ ବହୁତ ସଂଘର୍ଷମୟ ଥିଲା । ସ୍ୱାମୀ ସୁନୀଲ ସାହାଣୀ ଦିନ ମଜୁରିଆ ଭାବେ ରୋଜଗାର କରନ୍ତି । ଦିନେ ଭୟଙ୍କର ଅଗ୍ନିକାଣ୍ଡ ସେମାନଙ୍କ ଘରର ସମସ୍ତ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । ଆଉ ଭୋକର ଭୟ ଦେବକୀଙ୍କୁ ଦେଖାଇଥିଲା ନୂଆ ବାଟ ।
ଦିନେ ଦେବକୀ ସୌରଶକ୍ତି ଉପରେ ବିହାର ମୁଖ୍ୟମନ୍ତ୍ରୀଙ୍କ ଭାଷଣରୁ ପ୍ରେରଣା ପାଇଲେ ଆଉ ନିଜ ପରିବାର ଓ ଗାଁ ପାଇଁ କିଛି ନୂଆ କରିବାକୁ ଅଣ୍ଟା ଭିଡ଼ିଲେ । JEEViKAର ସୌର ଜଳସେଚନ ଯୋଜନା ବିଷୟରେ ଜାଣିବା ପରେ, ସେ ଏହାକୁ ରୋଜଗାରର ବାଟ ଭଳି ବାଛିନେଲେ । ଏନେଇ ତାଙ୍କୁ ପ୍ରଥମେ ପରିବାର କିମ୍ବା ଗାଁ ଲୋକ ସାଥ୍ ମିଳିନଥିଲା । ସେ ମହିଳା ବୋଲି ତାଙ୍କୁ ଦୁର୍ବଳ ବୋଲି ସମାଲୋଚନା କଲେ । କିନ୍ତୁ JEEViKA ଭଉଣୀମାନେ ଦେବକୀଙ୍କ ସାଥ୍ ଦେଇ ତାଙ୍କୁ ଉତ୍ସାହିତ କରିଥିଲେ । ଦେବକୀ ଏକ ସ୍ବୟଂ ସହାୟକ ଗୋଷ୍ଠୀରୁ ଦେଢ଼ ଲକ୍ଷ ଟଙ୍କା ଋଣ ନେଇ ୨୦୨୩ରେ ଛୋଟିଆ ଜାଗାରେ ସୋଲାର୍ ପ୍ୟାନେଲ ସ୍ଥାପନ କରିଥିଲେ । ଯାହା ଏବେ ୪୦ ଏକରରେ ପରିଣତ ହୋଇଛି ।
ଏବେ ଦେବକୀ ୧୧୨ ଜଣ ଚାଷୀଙ୍କୁ ସାହାଯ୍ୟ କରୁଛନ୍ତି । ଗାଁର ୪୦ ଏକରରୁ ଅଧିକ ଜମି ଏବେ ସୋଲାର ଦିଦିଙ୍କ ସୌର ଶକ୍ତି ଦ୍ୱାରା ଜଳସେଚିତ ହେଉଛି । ଚାଷୀମାନେ ମଧ୍ୟ ଉପକୃତ ହେବା ଦ୍ବାରା ଦେବକୀଙ୍କୁ ଏହା ଭଲ ରୋଜଗାର ମଧ୍ୟ ଦେଇଛି । ଦେବକୀ ଏବେ କେବଳ ତାଙ୍କ ପରିବାରକୁ ଖାଦ୍ୟ ଦେଉନାହାନ୍ତି ବରଂ ପୂରା ଗାଁକୁ ସୌର ଶକ୍ତିର ସଫଳ ଉଦାହରଣ ଭାବେ ପ୍ରେରଣା ମଧ୍ୟ ଦେଉଛନ୍ତି ।