କନକ ବ୍ୟୁରୋ: ଏସିଆ କପ୍‌ରେ କମାଲ କରୁଛି ଟିମ୍‌ ଇଣ୍ଡିଆ । ଗୋଟିଏ ପରେ ଗୋଟିଏ ମ୍ୟାଚ୍‌ ଜିତିବାରେ ଲାଗିଛି । ହେଲେ ପାକିସ୍ତାନ ସହ ମ୍ୟାଚ୍‌ରେ ଭାରତ ଅଧିକ ଭଲ ପ୍ରଦର୍ଶନ କରୁଛି । କିନ୍ତୁ ଖେଳରେ ନା ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଉଛି ଟିମ୍‌ ଇଣ୍ଡିଆ ନା କଥାବାର୍ତ୍ତା କରୁଛି । ନିୟମ ଅନୁସାରେ କେବଳ ଖେଳୁଛି ପୂରା ଟିମ୍‌ । ଅବଶ୍ୟ ସୋସିଆଲ ମିଡିଆରେ ଟିମ୍‌ ଇଣ୍ଡିଆ ହାତନମିଳାଇବାକୁ ନେଇ ଚର୍ଚ୍ଚା ଚାଲିଛି । ହେଲେ କଂଗ୍ରେସ ସାଂସଦ ଶଶୀ ଥରୁର ଯେଉଁପରି ଭାବରେ ବୟାନ ଦେଇଛନ୍ତି ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । କାରଣ ଥରୁର କହିଛନ୍ତି, ପାକିସ୍ତାନ ଟିମ୍‌ ସହ ଇଣ୍ଡିଆ ହାତ ମିଳାଇବାରେ ଥିଲା ।

Advertisment

ଶଶି ଥରୁରଙ୍କ ପାକିସ୍ତାନ ପ୍ରେମ
କହିଲେ ଖେଳ ବେଳେ ହ୍ୟାଣ୍ଡସେକ୍‌ କରିବାର ଥିଲା
ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ୍‌
ଏସିଆ କପ୍‌ ଫାଇନାଲ୍‌
ମୁହାଁମୁହିଁ ହେବେ କି ଭାରତ-ପାକିସ୍ତାନ

୨୦୨୫ ଏସିଆ କପରେ ଭାରତୀୟ ଦଳର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି । ଏବେ କୁହାଯାଉଛି ଯେ ଏସିଆ କପର ଫାଇନାଲ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାର ସମ୍ଭାବନା ଅଛି । ହେଲେ, ଭାରତୀୟ ଖେଳାଳିମାନେ ପାକିସ୍ତାନ ବିପକ୍ଷରେ ଦୁଇଟି ମ୍ୟାଚ୍‌ରେ ପଡ଼ୋଶୀ ଦେଶର ଖେଳାଳିଙ୍କ ସହ ହାତ ମିଳାଇ ନଥିଲେ । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କିନ୍ତୁ କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, ଖେଳର ଭାବନାରେ ଖେଳାଯିବା ଉଚିତ ଏବଂ ଆମକୁ ସେମାନଙ୍କ ସହିତ ହାତ ମିଳାଇବା ଉଚିତ ଥିଲା।

ଏସିଆ କପ୍ ସମୟରେ ଭାରତୀୟ କ୍ରିକେଟରମାନେ ପାକିସ୍ତାନୀ କ୍ରିକେଟରଙ୍କ ସହ ହାତ ମିଳାଇବାକୁ ମନା କରିବା ଏବଂ ପାକିସ୍ତାନୀ କ୍ରିକେଟରମାନଙ୍କ ପରବର୍ତ୍ତୀ ହାବଭାବ ସମ୍ପର୍କରେ କହିଛନ୍ତି, "ମୁଁ ବ୍ୟକ୍ତିଗତ ଭାବରେ ଅନୁଭବ କରୁଛି ଯେ ଯଦି ଆମେ ସେମାନଙ୍କ ସହ ଖେଳିବାକୁ ଯାଉଛୁ, ତେବେ ଆମକୁ ଖେଳର ଭାବନାରେ ଖେଳିବା ଉଚିତ ଥିଲା ଏବଂ ଆମକୁ ସେମାନଙ୍କ ସହିତ ହାତ ମିଳାଇବା ଉଚିତ ଥିଲା।"

୧୯୯୯ରେ କାର୍ଗିଲ ଯୁଦ୍ଧ ଚାଲିଥିଲା
ପଡ଼ିଆରେ ଉଭୟ ଦେଶର ଖେଳାଳି ହାତ ମିଳାଇଥିଲେ
ଏବେ ମିଶାଇଥିଲେ ଅସୁବିଧା କଣ ?

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଏହା ପୂର୍ବରୁ ୧୯୯୯ ମସିହାରେ ଖେଳିଥିଲେ ଯେତେବେଳେ କାର୍ଗିଲ ଯୁଦ୍ଧ ଚାଲିଥିଲା । ଯେଉଁଦିନ ଆମର ସୈନିକମାନେ ଆମ ଦେଶ ପାଇଁ ପ୍ରାଣ ହରାଉଥିଲେ, ସେହି ଦିନ ଆମେ ଇଂଲଣ୍ଡରେ ପାକିସ୍ତାନ ବିପକ୍ଷରେ ବିଶ୍ୱକପ୍ ଖେଳୁଥିଲୁ । ଆମେ ସେତେବେଳେ ମଧ୍ୟ ସେମାନଙ୍କ ସହିତ ହାତ ମିଳାଇଥିଲୁ କାରଣ ଏହା ଏକ ସୌଜନ୍ୟତା । ଅବଶ୍ୟ ଏହା ମୋର ବ୍ୟକ୍ତିଗତ ମତ । ଯଦି ପାକିସ୍ତାନୀ ଦଳ ପ୍ରଥମ ଥର ଅପମାନିତ ହେବା ପରେ, ଦ୍ୱିତୀୟ ଥର ଆମକୁ ଅପମାନିତ କରିବାକୁ ନିଷ୍ପତ୍ତି ନିଏ, ତେବେ ଏହା ଦର୍ଶାଏ ଯେ ଉଭୟ ପାର୍ଶ୍ୱରେ କ୍ରୀଡ଼ା ମନୋଭାବର ଅଭାବ ଅଛି । 

କଥାହେଲା, ପହଲଗାମ୍‌ ଆକ୍ରମଣ ପରେ ଭାରତ ପାକିସ୍ତାନ ସହ କୌଣସି ସମ୍ପର୍କ ରଖିନାହିଁ । ଉଭୟ ଦେଶର ନେତା ବି କେହି କାହା ସହ କଥା ହେଉନାହାନ୍ତି । କିନ୍ତୁ ଶଶି କାହିଁକି ଏମିତି ବୟାନ ଦେଲେ ତାହାକୁ ନେଇ ଚର୍ଚ୍ଚା ଚାଲିଛି ।