କନକ ବ୍ୟୁରୋ: ଟାରିଫ୍ ପରେ ଏବେ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବାକୁ ଟ୍ରମ୍ପଙ୍କ ଜୋର । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ, ତାଙ୍କୁ ସମାଲୋଚନା କରୁଥିବା ମିଡିଆ ନେଟୱର୍କକୁ ସରକାର ଦଣ୍ଡ ଦେଇପାରନ୍ତି । ଏପରିକି ତାଙ୍କ କଥା ନମାନିଲେ ଲାଇସେନ୍ସ ରଦ୍ଦ ମଧ୍ୟ କରିଦେବେ ବୋଲି ଧମକ ଦେଇଛନ୍ତି ଟ୍ରମ୍ପ ପ୍ରଶାସନ ।

Advertisment

ଗତ ସପ୍ତାହରେ ଟ୍ରମ୍ପ ସହଯୋଗୀ ଚାଲି କିର୍କଙ୍କ ହତ୍ୟା ଉପରେ ଏବିସି ଜିମି କିମେଲଙ୍କ ଟକ୍ ସୋ’କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରତ୍ୟାହାର କରିବା ପରେ ଆମେରିକୀୟ ନେତାଙ୍କ ଏହି ମନ୍ତବ୍ୟ ଆସିଛି । ବ୍ରିଟେନରୁ ଫେରିବା ସମୟରେ ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଟ୍ରମ୍ପ ଦାବି କରିଛନ୍ତି ଯେ, ଆମେରିକାର ଅଧିକାଂଶ ନେଟୱାର୍କ ମୋ ବିରୁଦ୍ଧରେ ଅଛନ୍ତି । କାରଣ ନିର୍ବାଚନ ପୂର୍ବରୁ ଅନେକ ଗଣମାଧ୍ୟମ ମୋ ବିରୁଦ୍ଧରେ ଥିଲେ ତଥାପି ମୁଁ ସହଜରେ ଜିତିଲି ।

ଏପରିକି ଗଣମାଧ୍ୟମ ସଂସ୍ଥା ଗୁଡ଼ିକ କହିବାକୁ, ଦେଖାଇବାକୁ ଲାଇସେନ୍ସ ପାଇଛନ୍ତି । ଯଦି ମୋ ବିରୁଦ୍ଧରେ ବାରମ୍ବାର ଖବର ପ୍ରସାରଣ କରିବେ ତା’ହେଲେ ମୁଁ ଭାବୁଛି ସେମାନଙ୍କ ଲାଇସେନ୍ସ ଛଡ଼ାଇ ନିଆଯିବା ଉଚିତ ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପଙ୍କ ଦାବିର ବିପରୀତ, ଏପ୍‌ସିସି ଏହାର ୱେବ୍‌ସାଇଟ୍‌ରେ କହିଛି ଯେ, ଟ୍ରମ୍ପ ପ୍ରଶାସନ ସିବିଏସ୍. ଏନ୍‌ବିସି, ଏବିସି କିମ୍ବା ଫକ୍ସ ପରି ଟିଭି କିମ୍ବା ରେଡିଓ ନେଟ୍ୱର୍କକୁ ଲାଇସେନ୍ସ ଦିଏ ନାହିଁ ।

ଆମେରିକାର ରାଷ୍ଟ୍ରପତି ମଧ୍ୟ ଜିମି କିମେଲଙ୍କ ବିଳମ୍ବିତ ରାତିର ସୋ’କୁ ସ୍ଥଗିତ ରଖିବା ପାଇଁ ଏବିସିର ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ । କିମେଲଙ୍କ ସୋ ବାତିଲ ହେବା ପରେ ଟ୍ରମ୍ପ ତାଙ୍କର ପ୍ରାରମ୍ଭିକ ପ୍ରତିକ୍ରିୟାରେ ଏହାକୁ ‘ଆମେରିକା ପାଇଁ ଏକ ବଡ଼ ଖବର’ ବୋଲି କହିଥିଲେ । ସୋମବାର ତାଙ୍କ ସୋ’ ‘ଜିମି କିମେଲ ଲାଇଭ୍’ରେ, କିମେଲ କହିଛନ୍ତି ଯେ କିର୍କଙ୍କ ସୁଟର ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ଏବଂ କିର୍କଙ୍କ ହତ୍ୟାରୁ ‘ମାଗା ଗ୍ୟାଙ୍ଗ’ ରାଜନୈତିକ ପଏଣ୍ଟ ସ୍କୋର କରିବା ପାଇଁ ସବୁକିଛି କରୁଛନ୍ତି ।

କିମେଲଙ୍କ ମନ୍ତବ୍ୟ ଟ୍ରମ୍ପ ପ୍ରଶାସନର ତୀବ୍ର ସମାଲୋଚନାର ଶିକାର ହୋଇଥିଲା । ଏଫ୍‌ସିସିର ମୁଖ୍ୟ ବ୍ରେଣ୍ଡନ୍ କାର୍ ଦାବି କରିଛନ୍ତି ଯେ ବିଳମ୍ବିତ ରାତିର ସୋ ହୋଷ୍ଟଙ୍କ ମନ୍ତବ୍ୟ ଆମେରିକୀୟ ଜନସାଧାରଣଙ୍କୁ ମିଛ କହିବାର ପ୍ରୟାସର ଏକ ଅଂଶ । ତେବେ କିମେଲଙ୍କ ନିଲମ୍ବନକୁ ଅନେକେ ନିନ୍ଦା କରିଛନ୍ତି । ଏହାକୁ ଗଣମାଧ୍ୟମ କଣ୍ଠରୋଧ ବା ସମ୍ବିଧାନର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ ଭାବରେ ଦେଖାଯାଉଛି । ଆମେରିକାର ସମ୍ବିଧାନର ପ୍ରଥମ ସଂଶୋଧନ ସରକାରୀ ହସ୍ତକ୍ଷେପରୁ ମୁକ୍ତ ବକ୍ତବ୍ୟ ଓ ଅନ୍ୟାନ୍ୟ ଅଧିକାରକୁ ସୁରକ୍ଷା ଦେଇଥାଏ । ତେଣୁ ଏବେ ଟ୍ରମ୍ପଙ୍କ ଚେତାବନୀ ତାଙ୍କୁ ହିଁ ହରଡ଼ଘଣାରେ ପକାଇପାରେ ବୋଲି ଚର୍ଚ୍ଚା ହେଉଛି ।