କନକ ବ୍ୟୁରୋ: ଜନ୍ମଦିନ ପୂର୍ବରୁ ଝିଅ ଆଖି ବୁଜିଲା ବୋଲି ବାପା ମଶାଣିରେ ହିଁ ମଲା ଝିଅର ଜନ୍ମଦିନ ପାଳିଛନ୍ତି। ଜୁଇରେ ସବୁଦିନ ପାଇଁ ଜଳିଯିବା ଆଗରୁ ଝିଅର ମନପସନ୍ଦର କେକ୍ ଆଣି, କୋକେଇକୁ ବେଲୁନରେ ସଜାଇ କେକ୍ କାଟିଛନ୍ତି ଜଣେ ହତଭାଗା ବାପା । ଆଉ ଏହାର ଭିଡିଓ ଏବେ ନିଆଁ ଭଳି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ଦୁନିଆକୁ ବୁଝିବା ଆଗରୁ ଦୁର୍ଘଟଣା ନେଇଗଲା ଝିଅର ଜୀବନ । ସବୁଠୁ ଦୁଃଖର କଥା ହେଲା ସେ କୁନି ଝିଅର ଜନ୍ମଦିନରେ ହିଁ ଯମ ନେଇଗଲା ଜୀବନ । ନିଜ ଜନ୍ମଦିନକୁ ଧୁମଧାମରେ ସେଲିବ୍ରେସନ୍ କରିବ ବୋଲି ବାପାଙ୍କ ପାଖରେ କେତେ କ’ଣ ଅଳି କରିଥିଲା କୁନି ଝିଅ, ବାପା ମୋ ପାଇଁ ମୋ ଫେଭରେଟ୍ କେକ୍ ଆଣିବ ମୁଁ କାଟିବି, ମୋ ପାଇଁ ରଙ୍ଗବେରଙ୍ଗର ବେଲୁନ ବି ଆଣିବ ବୋଲି ଅର୍ଡର ବି ଦେଇଥିଲା କିନ୍ତୁ ସେ କ’ଣ ଜାଣିଥିଲା ଜନ୍ମଦିନକୁ ନେଇ ଦେଖୁଥିବା ଶ୍ମଶାନରେ ଶେଷ ହେବ ।
ଛତିଶଗଡ଼ର କୱାର୍ଦ୍ଧାରେ କୋଲକାତାର ଏକ ପରିବାରର କାରକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଆଉ ଏହି ଦୁର୍ଘଟଣା ପରିବାର ପାଇଁ ଆଣିଦେଲା ସବୁଠୁ ବଡ଼ ଦୁଃଖ । ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରେ ଜଣେ କୁନି ଝିଅ ଆଦିତ୍ରୀ ଏବଂ ତାଙ୍କ ମାଆ ମଧ୍ୟ ଥିଲେ । ଗତକାଲି ସନ୍ଧ୍ୟାରେ କୱାର୍ଦ୍ଧାରେ ଆଦିତ୍ରୀ ଏବଂ ତାଙ୍କ ମାଆଙ୍କ ଶବଦାହ କରାଯାଇଥିଲା । ଯେତେବେଳେ ବାପା କହିଲେ ଯେ ଆଜି ତାଙ୍କ ଝିଅ ଆଦିତ୍ରୀର ଜନ୍ମଦିନ, ଶବ ପାଖରେ ଉପସ୍ଥିତ ଥିବା ଲୋକମାନେ କାନ୍ଦି ପକାଇଲେ । ଜୁଇରେ ଜଳିବ ପୂର୍ବରୁ ହିଁ ମୃତ ଝିଅର ଜନ୍ମଦିନ ପାଳନ କରିଥିଲେ । ସେମାନେ କୋକେଇକୁ ବେଲୁନରେ ସଜାଇଥିଲେ, କେକ୍ କାଟିଥିଲେ ।
ଖାଲି ଏତିକି ନୁହେଁ ଝିଅର ମନ ପସନ୍ଦର ବର୍ଥ ଗିଫ୍ଟକୁ ତା’ ଶବ ଉପରେ ରଖିଥିଲେ ବାପା ଓ ପ୍ରିୟ ପରିଜନ । ବାପା କୋହ ସମ୍ଭାଳି ପାରୁନଥିବା ବେଳେ ଲୁହ ଭିଜା ଆଖିରେ ସଭିଏଁ କୁନି ଝିଅକୁ ଅନ୍ତିମ ବିଦାୟ ଦେଇଥିଲେ । ସତରେ ଏମିତି ବିଧିର ବିଧାନ ବଡ଼ ନିଷ୍ଠୁର । ଭଗବାନ ନକରନ୍ତୁ ଏମିତି ଦୁଃଖଦାୟ ଘଟଣା କାହା ସହ ଘଟୁ ।