କନକ ବ୍ୟୁରୋ: କେବିସି ସୋ’ରେ ଅନେକ ଲୋକଙ୍କ ଭାଗ୍ୟ ବଦଳିଥିବାର କାହାଣୀ ଆପଣ ଦେଖିଥିବେ । ଆଉ ସେଥିରେ ଯୋଡ଼ି ହୋଇଛି ଆଉ ଜଣଙ୍କ ନାଁ । ମେଗାଷ୍ଟାର୍ ଅମିତାଭ୍ ବଚ୍ଚନଙ୍କ କୁଇଜ୍ ସୋ’ ‘କୌନ୍ ବନେଗା କରୋଡପତି’ରେ ୫୦ ଲକ୍ଷ ଟଙ୍କା ଜିତିଛନ୍ତି ଜଣେ ଚାଷୀ । ଛତ୍ରପତି ସମ୍ଭାଜୀନଗର ଜିଲ୍ଲାର ଜଣେ କ୍ଷୁଦ୍ର ଚାଷୀ କୈଳାସ କୁନ୍ତେୱାର ୧୪ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଲୋକପ୍ରିୟ ଟେଲିଭିଜନ ସୋ’ରେ ୫୦ ଲକ୍ଷ ଟଙ୍କା ଜିତିଛନ୍ତି ।
କୁନ୍ତେୱାରଙ୍କ ପାଖରେ ମାତ୍ର ଦୁଇ ଏକର ଜମି ଥିବା ବେଳେ ସେ ତାଙ୍କ ପିତାମାତା, ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ ରୁହନ୍ତି । ବର୍ଷ ବର୍ଷ ଧରି ସେ ମରୁଡ଼ି, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟାୟର ସମ୍ମୁଖୀନ ହୋଇଥିବା ବେଳେ ନିଜ ପେଟ ପୋଷିବା ପାଇଁ ସେ ଅନ୍ୟ ଲୋକଙ୍କ କ୍ଷେତରେ ଶ୍ରମିକ ଭାବେ ମଧ୍ୟ କାର୍ଯ୍ୟ କରନ୍ତି । ଏତେ କଷ୍ଟ ପରେ ବି ସେ କେବିସି ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ ଓ ତାଙ୍କ କଠିନ ପରିଶ୍ରମ ତାଙ୍କୁ ସୁଫଳ ଦେଇଛି ।
ଗଣମାଧ୍ୟମରେ ନିଜର ମନ୍ତବ୍ୟ ଦେଇ କୁନ୍ତେୱାର କହିଛନ୍ତି, ‘‘୫୦ ଲକ୍ଷ ଟଙ୍କା ଜିତିବାର ଆନନ୍ଦ ଶବ୍ଦ ବାହାରେ । ଆମ ପରି ଲୋକଙ୍କ ପାଇଁ, ଏତେ ପରିମାଣର ରାଶି ବିଷୟରେ ଶୁଣିବା ମଧ୍ୟ ଅବିଶ୍ୱସନୀୟ ଲାଗେ ।" ତେବେ କୁନ୍ତେୱାର ୧୪ଟି ପ୍ରଶ୍ନର ସଠିକ୍ ଉତ୍ତରଦେଇ ୫୦ ଲକ୍ଷ ଟଙ୍କା ଜିତିଛନ୍ତି । ୧୫ତମ ପ୍ରଶ୍ନ ୧ କୋଟି ଟଙ୍କା ଥିଲା ଯେଉଁଥି ପାଇଁ କୈଳାସ କୁନ୍ତେୱାର ପ୍ରଥମେ "ଭିଡିଓ କଲ୍ ଏ ଫ୍ରେଣ୍ଡ" ଲାଇଫ୍ ଲାଇନ୍ ବ୍ୟବହାର କରିଥିଲେ । ଫ୍ରେଣ୍ଡଙ୍କ ଉତ୍ତରରେ ସନ୍ତୁଷ୍ଟ ନହୋଇ କିଛି ସମୟ ଭିତରେ ୫୦-୫୦ ଲାଇଫ୍ ଲାଇନ୍ ଚେଷ୍ଟା କଲେ । ତଥାପି ଅନିଶ୍ଚିତ ହୋଇ ସେ ୧୪ଟି ପ୍ରଶ୍ନର ଉତ୍ତର ଦେଇ ସୋ’ ଛାଡ଼ିବାକୁ ନିଷ୍ପତ୍ତି ନେଲେ ।
୨୦୧୫ରେ କୈଳାସ ପ୍ରଥମ ମୋବାଇଲ୍ ଫୋନ୍ କିଣିବା ପରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା । "ମୁଁ ପିଲାଦିନୁ ପାଠପଢ଼ାରେ ଭଲ ଥିଲି ଏବଂ ମୁଁ ଯାହା ପଢ଼େ କିମ୍ବା ଶୁଣେ ତାହା ଭଲ ଭାବେ ମନରଖେ । ଯେତେବ YouTube ରେ KBC ଏପିସୋଡ୍ ଦେଖିବା ଆରମ୍ଭ କରିଥିଲି, ମୁଁ ଭାବୁଥିଲି ଏହା କେବଳ ମନୋରଞ୍ଜନ ପାଇଁ । କେବେ ଭାବିନଥିଲି ଯେ ପ୍ରଶ୍ନର ଉତ୍ତର ଦେଇ କେହି ଟଙ୍କା ରୋଜଗାର କରିପାରିବେ ।"