କନକ ବ୍ୟୁରୋ : ସ୍ବାମୀ , ସ୍ତ୍ରୀର ସଂପର୍କକୁ ସୂକ୍ଷ୍ମ ସୂତାର ଡୋରୀ ସହ ତୁଳନା କରାଯାଏ । ଡୋରୀରେ ଟିକେ ଚାପ ପଡ଼ିଲେ ତାହା ଯେକୌଣସି ମୂହୁର୍ତ୍ତରେ ଛିଣ୍ଡି ଯିବାର ସମ୍ଭାବନା ମଧ୍ୟ ରହିଥାଏ । ସିନେମା ‘ମେରୀ କମ୍’ ରେ ଏକ ପ୍ରସିଦ୍ଧ ଡାଏଲଗ୍ ରହିଛି ‘କଭି କିସିକୋ ଇତନା ଭି ମତ୍ ଡରାଓ କି ଡର୍ ହି ଖତମ୍ ହୋ ଯାଏ ।’ ସିନେମାରେ ଡର ଶବ୍ଦର ବ୍ୟବହାର କରାଯାଇଥିଲେ ବି ଏହି ସ୍ଥାନରେ ଡର ନୁହେଁ ବରଂ ହଇରାଣ କରିବାକୁ ବୁଝାଇବ । ଆସାମର ଜଣେ ବ୍ୟକ୍ତି ଖୁସି ହୋଇ ନିଜ ଉପରେ ୪୦ ଲିଟର କ୍ଷୀର ଢାଳିଦେଲେ କେବଳ ତାଙ୍କର ଛାଡ଼ପତ୍ର ହୋଇଗଲା ବୋଲି । ପତ୍ନୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇଯାଇଥିଲେ ଆସାମର ଯୁବକ ମାଣିକ ଅଲି । ପୂର୍ବରୁ ୨ ଥର ଘର ଛାଡ଼ି ଚାଲିଯାଇଥିବା ସ୍ତ୍ରୀଙ୍କ ବ୍ୟବହାର ସ୍ବାମୀଙ୍କ ପ୍ରତି ଏତେ ଖରାପ ଥିଲା ଯେ ପ୍ରତିଦିନ ନିଜ ଘରେ ହିଁ ଅଣନିଶ୍ବାସୀ ଭଳି ଅନୁଭବ କରୁଥିଲେ ଯୁବକ । ନିଜର ସ୍ବର୍ଗ ପରି ଘର ହିଁ ତାଙ୍କୁ ନର୍କ ପରି ଲାଗୁଥିଲା । କିନ୍ତୁ ଅଦାଲତ ଯେତେବେଳେ ତାଙ୍କ ଛାଡ଼ପତ୍ର ଘୋଷଣା କରିଦେଲେ କୋର୍ଟ ପରିସରରେ ହିଁ ସେ ନାଚିବାକୁ ଲାଗିଲେ ଏବଂ ଘରକୁ ଆସି ୪୦ ଲିଟର କ୍ଷୀରରେ ଗାଧୋଇ ପଡ଼ିଲେ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭାବନ୍ତୁ ଅଗ୍ନି ଆଗରେ ସାତଜନ୍ମର ସାଥୀ ହେବା ପାଇଁ ନେଇଥିବା ନିୟମ ଯଦି ଆପଣଙ୍କୁ ନିଆଁ ପରି ସବୁବେଳେ ଜଳାଉଥିବ ଆପଣ କେମିତି ଅନୁଭବ କରିବେ? ପ୍ରେମ ଯେତେବେଳେ ଫାଇଦାର ପାହାଚ ଚଢ଼େ , ମଣିଷ ମନରୁ ମନର ମଣିଷଟି ଦୂରେଇ ଯାଏ । ଆଉ ଠିକ୍ ଏହିପରି ଘଟଣା ଘଟିଛି ଯୁବକ ମାଣିକଙ୍କ କ୍ଷେତ୍ରରେ ।

Advertisment

ମାଣିକ କ୍ଷୀରରେ ଗାଧୋଉଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଥିରେ ସେ ଆସାମ ଭାଷାରେ କହୁଛନ୍ତି ‘ମୁଁ ଆଜିଠୁ ମୁକ୍ତ ହୋଇଗଲି ।’ ୪ ଟି ବାଲଟି ଭର୍ତ୍ତି କ୍ଷୀରରେ ଗାଧୋଇବା ପରେ ଯୁବକ କହିଥିଲେ , ‘ଆଜି ପର୍ଯ୍ୟନ୍ତ ପରିବାରର ଶାନ୍ତି ପାଇଁ ଚୁପ୍ ଥିଲି , କିନ୍ତୁ ଏବେ ମୁଁ ମୁକ୍ତ । ଓକିଲ ଛାଡ଼ପତ୍ର ଖବର ଶୁଣାଇବା ପରଠୁ ମୋର ଖୁସିର ଠିକଣା ନାହିଁ । କେମିତି ଉତ୍ସବ ପାଳିବି ଭାବି ପାରୁନଥିଲି ସେଥିପାଇଁ ୪୦ ଲିଟର କ୍ଷୀରରେ ଗାଧୋଇ ଶୁଦ୍ଧ ହେବା ପାଇଁ ନିର୍ଣ୍ଣୟ ନେଲି । ଭଗବାନ ଏଭଳି ସ୍ତ୍ରୀ କାହାକୁ ନ ଦିଅନ୍ତୁ ।’ ତେବେ କେବଳ ମାଣିକଙ୍କ କ୍ଷେତ୍ରରେ ନୁହେଁ ଗତବର୍ଷ ହରିୟାଣାର ଜଣେ ବ୍ୟକ୍ତି ଛାଡ଼ପତ୍ର ହେବା ପରେ ଭବ୍ୟ ପାର୍ଟି ଦେଇଥିଲେ ଯାହାର ଭିଡ଼ିଓ ମଧ୍ୟ ଖୁବ୍ ଭାଇରାଲ୍ ହୋଇଥିଲା । ଦିନକୁ ଦିନ ସମାଜରେ ଛାଡ଼ପତ୍ରର ମାମଲା ବଢ଼ିବାରେ ଲାଗିଛି । ଝିମିଟି ଖେଳରୁ ମହାଭାରତ ହେଲା ପରି ଘଟଣା ଘଟୁଛି । ଗର୍ବ, ଅହଙ୍କାର ଏବଂ ମୁଁର ମାୟାରେ ଛିଣ୍ଡି ଯାଉଛି ସଂପର୍କର ସୂକ୍ଷ୍ମ ସୂତା ।