କନକ ବ୍ୟୁରୋ: ସ୍ତ୍ରୀ... କେବଳ ଗୋଟିଏ ଅକ୍ଷର ନୁହେଁ ସାତ ଜନମ ପାଇଁ ସେ ସାଜିଥାଏ ଜାୟା, ବାପ ଘରକୁ ପର କରି ବନିଥାଏ ଶାଶୂ ଘରର ବୋହୂ, ସିନ୍ଥିରେ ସିନ୍ଦୂର ପିନ୍ଧିବା ପରେ ସ୍ବାମୀ ପାଇଁ ସେ ହୋଇଯାଏ ଘରଣୀ, ଗୃହିଣୀ ଆଉ ଅର୍ଦ୍ଧାଙ୍ଗିନୀ । ହେଲେ ନୋଏଡ଼ାର ନିଆଁ କାହାଣୀ ଆଉ ହାଇଦ୍ରାବାଦରେ ସେ ଜହ୍ଲାଦ ସ୍ବାମୀର କାରନାମା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ସ୍ବାମୀ ନାଁରେ ଏମାନେ ଦେଖାଇଥିବା ସୈତାନୀ ରୂପ ଏବେ ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଲଗାଇଦେଇଛି ସନ୍ଦେହର ବହ୍ନି ।
ଯୌତୁକ ସହ ଜୀବନସାଥୀକୁ ବାଛିବା ଆଉ ପରେ ସେଇ ଯୌତୁକ ପାଇଁ ପତ୍ନୀକୁ ପେଟ୍ରୋଲ୍ ପକାଇ ଜିଅନ୍ତା ଜାଳିବା ଘଟଣା ସାରା ଦେଶକୁ ଥରାଇଦେଇଛି । ନିକ୍କି ଭାଟିଙ୍କ ବାପା-ମାଆ କେତେ ଭରସାରେ ଝିଅର ହାତକୁ ଜ୍ବାଇଁ ହାତରେ ଟେକିଦେଇଲେ । ଏପରିକି ସେ ଜହ୍ଲାଦ ଜ୍ବାଇଁକୁ ସୁନା, ଗହଣା ସହ ଲକ୍ଷ ଲକ୍ଷ ଟଙ୍କା ଯୌତୁକ ଦେବା ପରେ ବି ତା’ର ମନ ପୂରିନଥିଲା । ମର୍ସିଡିଜ୍ କାର୍ ଆଉ ୩୭ ଲକ୍ଷ ଟଙ୍କା ଡିମାଣ୍ଡ୍ କରିଥିଲା ନୋଏଡ଼ାର ବିପିନ୍ ଭାଟି । ଯେତେବେଳେ ଆଉ ଟଙ୍କା ଦେବାକୁ ମନା କରିଦେଲେ ଶାଶୂ-ଶ୍ବଶୁର, ସେତେବେଳେ ସ୍ତ୍ରୀ ଉପରେ କରିଚାଲିଲା ଅତ୍ୟାଚାର । ସବୁଦିନ ମାରପିଟ୍ କରି କରି ଥକିଯିବା ପରେ ଶେଷରେ ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା ଯୌତୁକ ଲୋଭୀ ଜହ୍ଲାଦ ।
ଠିକ୍ ସେହିପରି ହାଇଦ୍ରାବାଦର ଜଣେ ସୈତାନରୂପୀ ସ୍ବାମୀର କାଣ୍ଡ କାରନାମା ସଭ୍ୟ ସମାଜକୁ ଲଜ୍ଜିତ କରିଛି । ଦୁନିଆ ଦେଖିନଥିବା କଢ଼ିକୁ ପେଟରେ ଧରି ସ୍ବପ୍ନ ଦେଖୁଥିବା ଗର୍ଭବତୀ ସ୍ତ୍ରୀକୁ ଖଣ୍ଡ ଖଣ୍ଡ କରି କାଟିଦେଇଛି ନରହନ୍ତା ସ୍ବାମୀ । ପତ୍ନୀ ଜ୍ୟୋତିଙ୍କୁ ଖାଲି ଖଣ୍ଡ ଖଣ୍ଡ କରି କାଟିନି ବରଂ ପ୍ରମାଣ ଲୁଚାଇବାକୁ ସ୍ତ୍ରୀର କଟା ମୁଣ୍ଡ, ହାତ ଓ ଗୋଡ଼କୁ ନଈକୁ ଫିଙ୍ଗିଦେଇଥିଲା ହାଇଦ୍ରାବାଦର ସୈତାନ ସ୍ବାମୀ ମହେନ୍ଦର ରେଡ୍ଡୀ । ଖାଲି ଏତିକି ନୁହେଁ ସ୍ତ୍ରୀଙ୍କ କଟା ଶରୀରର ବଳକା ଖଣ୍ଡକୁ ନିଜ ରୁମରେ ମଧ୍ୟ ଲୁଚାଇ ରଖିଥିଲା ରାକ୍ଷସ ସ୍ବାମୀ । ପାରିବାରିକ କଳହ ଯୋଗୁ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା । ଶେଷର ଏହା ଅସହ୍ୟ ହେବାରୁ ଗର୍ଭବତୀ ସ୍ତ୍ରୀର ତଣ୍ଟି ଚିପି ଜୀବନ ନେଇଥିଲା ଜହ୍ଲାଦ ସ୍ବାମୀ ।
ସତରେ ଏଭଳି ଜଘନ୍ୟ ଘଟଣା ପରେ କେମିତି ଜଣେ ବାପା ତା’ ଝିଅକୁ ପର ହାତରେ ଟେକିଦେବ? କେମିତି ଜଣେ ମା’ ତା’ ଝିଅକୁ ନିଜ ପଣତକାନିରୁ ଦୂର କରିବ? ସାତ ଜନମ ପାଇଁ କଥା ଦେଇଥିବା ସେ ଅଗ୍ନିକୁଣ୍ଡର ନିଆଁ ସିନା ଲିଭିଯାଉଛି ହେଲେ ଆଜି ବି ଜଳୁଥିବା ଯୌତୁକ ନିଆଁରେ କେତେ ଯେ ଜାୟା ଜଳୁଛନ୍ତି ତାହା ଚିନ୍ତାରେ ପକାଇଛି । ନୋଏଡ଼ାର ନରହନ୍ତା ଆଉ ହାଇଦ୍ରାବାଦର ହରର କାଣ୍ଡ ଘଟାଇଥିବା ସୈତାନ ସ୍ବାମୀଙ୍କ ପାଇଁ ଏବେ ଦୁନିଆର ସବୁ ସ୍ବାମୀ ସନ୍ଦେହ ଘେରରେ । ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ଏବେ କେତେବେଳେ କିଏ କ’ଣ କରିଦେବ ତାହା ଆକଳନ କରିବା ମୁସ୍କିଲ ।