କନକ ବ୍ୟୁରୋ: ଗୁଜରାଟ୍ର ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବୋଇଂ ବିମାନ ୭୮୭ ଉଡାଣ ଭରିବାର ମାତ୍ର ୨ ମିନିଟ୍ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ୨୪୧ରୁ ଊର୍ଦ୍ଧ୍ବ ଲୋକଙ୍କର ଜୀବନ ଚାଲିଗଲା । ତେବେ ବିଶ୍ବର ସବୁଠୁ ସୁରକ୍ଷିତ ବିମାନ କେମିତି ଦୁର୍ଘଟଣା ହେଲା ତାହାକୁ ନେଇ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ବିମାନରେ ଥିବା ବ୍ଲାକ୍ବକ୍ସ ସବୁ ପର୍ଦ୍ଦାଫାସ କରିବ ବୋଲି କୁହାଯାଉଛି ।
ବୋଇଂ ୭୮୭ରେ ଥିଲା ଦୁଇଟି ବ୍ଲାକ୍ବକ୍ସ
ଟିକିନିଖି ଦେବ ଖବର
କଣ କଥା ହୋଇଥିଲେ ପାଇଲଟ୍
ସବୁ ହୋଇଛି ରେକର୍ଡ
ବୋଇଂ ୭୮୭ରେ ଥିଲା ୨ଟି ବ୍ଲାକ୍ବକ୍ସ
ଦୁର୍ଘଟଣାର ଦେଖାଇବ ସତ !
କେମିତି ବିମାନ ଦୁର୍ଘଟଣା ହେଲା । କାହା ପାଇଁ ଦୁର୍ଘଟଣା ହେଲା । କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିବା ବେଳେ ପୂରା ଘଟଣାର ଗୁମର ଖୋଲିବ ବ୍ଲାକ୍ବକ୍ସ ବୋଲି କୁହାଯାଉଛି । ଏମିତିକି ଦୁଇଟି ବ୍ଲାକ୍ବକ୍ସ ଥିବାରୁ ପାଇଲଟ୍ ଓ କ୍ରୁ ମେମ୍ବର କଣ କଣ କଥା ହୋଇଥିବେ ତାହା ବି ରେକର୍ଡ ହୋଇଥିବ ବୋଲି କୁହାଯାଉଛି । ଖାଲି ଏତିକି ନୁହେଁ ବରଂ ଏଟିସିକୁ ପାଇଲଟ୍ କ’ଣ କହିବାକୁ ଚାହୁଥିଲେ ? ଇଞ୍ଜିନରୁ ବାହାରିଥିବା ଶବ୍ଦ ଓ ପବନର ବେଗ କଣ ଥିଲା ? କେମିତି ମେ ଡେ କଲ୍ ହୋଇଥିଲା ସେସବୁର ରେକର୍ଡ ହୋଇଥିବ ବୋଲି ସୂଚନା ରହିଛି ।
ଇଞ୍ଜିନ୍ ଫେଲ୍ ନା ବାର୍ଡ ହିଟ୍
ଦୁର୍ଘଟଣାର ପ୍ରକୃତ କାରଣ କଣ ?
କୁହାଯାଉଛି ବୋଇଂ ୭୮୭ ବିମାନ ଦୁନିଆର ସବୁଠୁ ସୁରକ୍ଷିତ ବିମାନ । ସାଧାରଣ ଭାବରେ ଏହା ଦୁର୍ଘଟଣାଗ୍ରସ୍ତ ହୁଏନାହିଁ । ହେଲେ ବି କେମିତି ଏହା ଦୁର୍ଘଟଣା ହେଲା ତାହାକୁ ନେଇ ମାଳମାଳ ପ୍ରଶ୍ନ ଏବେ ଉଙ୍କି ମାରୁଛି । ପୂର୍ବରୁ ଗୁଜରାଟ୍ ଏଟିଏସ୍ ହାତରେ ଲାଗିଥିବା ଡିଜିଟାଲ ଭଏସ୍ ରେକର୍ଡର ବା DVR ତଥ୍ୟକୁ ନେଇ ବି ଆରମ୍ଭ ହୋଇଯାଇଛି ଖୋଳତାଡ଼ । ଏହି ଡିଭାଇସରେ ବିମାନରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ୍ ରହିଛି । ଯାହା ବିମାନ ଭିତରର ସବୁ ଆନାଲଗ ଭିଡ଼ିଓ ସିଗ୍ନାଲକୁ ଡିଜିଟାଲ୍ରେ ପରିଣତ କରିଥାଏ । ତେଣୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ, ଗୁଜରାଟ ଆତଙ୍କୀ ନିରୋଧ ସ୍କ୍ବାର୍ଡ ATS ସହ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିକେସନ୍ ବ୍ୟୁରୋ ବା AAIB, ସମସ୍ତେ ବ୍ଲାକବସ୍ ଓ ଡିଭିଆରକୁ ନେଇ ତନାଘନା ଚଳାଇଛନ୍ତି ।
ଭୟଙ୍କର ଦୁର୍ଘଟଣା
ଯାତ୍ରୀଙ୍କୁ ଚିହ୍ନିବା କଷ୍ଟକର
ବିମାନ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଯାତ୍ରୀଙ୍କୁ ଚିହ୍ନିବା କଷ୍ଟକର ହୋଇ ପଡୁଛି । ଅଧିକାଂଶ ଶରୀର ପୋଡ଼ିଯାଇଥିବାରୁ କେବଳ ଡିଏନ୍ଏ ମାଧ୍ୟମରେ ହିଁ ସମ୍ପର୍କୀୟଙ୍କୁ ଚିହ୍ନିବାକୁ ପଡ଼ୁଛି । ପାଖାପାଖି ୨୦୦ ଜଣଙ୍କଠାରୁ ଡିଏନଏ ନମୁନା ସଂଗ୍ରହ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ରିପୋର୍ଟ ଆସିବାକୁ ୭୨ ଘଣ୍ଟା ସମୟ ଲାଗିବ । ତେଣୁ ଆଜି ହିଁ ସବୁ ମୃତକଙ୍କ ପରିଚୟ ମିଳିପାରିବ । ମୋଟ୍ ଉପରେ ଭୟଙ୍କର ଦୁର୍ଘଟଣାକୁ ନେଇ ପୂରା ବିଶ୍ବରେ ଚିନ୍ତା ବଢିଥିବା ବେଳେ ଦୁର୍ଘଟଣାର କାରଣ ଖୋଜା ଏବେ ବି ସରିନି ।