କନକ ବ୍ୟୁରୋ : ପୁଣ୍ୟର ମାସ ଶ୍ରାବଣର ଆରମ୍ଭ ହୋଇସାରିଛି । ଦେବାଧିଦେବ ମହାଦେବଙ୍କ କୃପା ଲାଭ କରିବା ପାଇଁ କାନ୍ଧରେ ପାଣିଭାର ଏବଂ କାଉଡ଼ି ଧରି କାଉଡ଼ିଆ ଭକ୍ତ ଭୋଳାନାଥଙ୍କ ପୀଠକୁ ଯାତ୍ରା କରୁଛନ୍ତି । ମହାଦେବ ମାନସିକ ପୂରଣ କରିବେ ଏହି ଆଶା ନେଇ ଭକ୍ତ ଖାଲି ପାଦରେ କାହିଁ କେତେ ଦୂରରୁ ବାବାଙ୍କ ପାଖକୁ ଜଳ ଲାଗି କରିବା ପାଇଁ ଯାଆନ୍ତି । ସର୍ବ ମୋହରୁ ଦୂରରେ ବୈରାଗ୍ୟ ଏବଂ ସାଂସାରିକ ବନ୍ଧନରେ ଆବଦ୍ଧ ଦେବ ଦେବ ମହାଦେବ ସୃଷ୍ଟିକୁ ଏହି ବାର୍ତ୍ତା ଦିଅନ୍ତି ଯେ କେମିତି ସାଂସାରିକ ବନ୍ଧନରେ ଥାଇ ବି ମନୁଷ୍ୟ ବୈରାଗ୍ୟ ମାର୍ଗରେ ଚାଲିପାରିବ । ମହାଯୋଗୀ ଶଙ୍କରଙ୍କ ଅତିପ୍ରିୟ ଗଣ ନନ୍ଦୀଶ୍ବର (ନନ୍ଦୀ) । ମାନ୍ୟତା ରହିଛି ମହାକାଳଙ୍କ ସମ୍ମୁଖରେ ବିରାଜମାନ କରୁଥିବା ନନ୍ଦୀଙ୍କ ପ୍ରତିମା କାନରେ ଭକ୍ତ ନିଜର ମନସ୍କାମନା କହିଲେ ବାବା ମାନସିକ ନିଶ୍ଚୟ ପୂରଣ କରନ୍ତି । 

Advertisment
mera-bhola-hai-bhandari
mera-bhola-hai-bhandari Photograph: (Google)

ଧର୍ଯ୍ୟ , ପ୍ରତୀକ୍ଷା , ସମର୍ପଣଭାବର ସର୍ବୋଚ୍ଚ ଉଦାହରଣ ହେଉଛନ୍ତି ଭୂତନାଥଙ୍କ ପ୍ରିୟଗଣ ନନ୍ଦୀ । ଶିବ ପୁରାଣର କଥାକାରଙ୍କ ଅନୁସାରେ ନନ୍ଦୀ ଅଳ୍ପାୟୁ ଥିଲେ ଏବଂ ଶିବଭକ୍ତି ତାଙ୍କ ମନରୁ ମୃତ୍ୟୁର ଭୟ ଦୂର କରିବା ସହ ତାଙ୍କୁ ମହାଦେବଙ୍କ ବାହନ କରିଥିଲା । ଶାସ୍ତ୍ର ଅନୁସାରେ ଶିଳାଦ ନାମକ ଜଣେ ବ୍ରହ୍ମଚାରୀ ଋଷି ଥିଲେ ଯେ ବିବାହ କରିନଥିଲେ । ଏମିତି ହେଲେ ବଂଶ କେମିତି ଆଗକୁ ବଢ଼ିବ ଏହି କାରଣକୁ ନେଇ ତାଙ୍କ ପିତୃ ଦେବତା ଏବଂ ବୃଦ୍ଧ ପିତାମାତା ଚିନ୍ତିତ ରହୁଥିଲେ । ଦିନେ ପିତୃ ଦେବତା ଶିଳାଦ ମୁନିଙ୍କ ଆଗରେ ପ୍ରକଟ ହୋଇ ଚିନ୍ତା ବିଷୟରେ ଅବଗତ କରାଇଲେ । ଋଷି ନିଜ ଆରାଧ୍ୟ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ତପସ୍ୟା କଲେ । ମୁନିଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଶିବ ତାଙ୍କୁ ଏକ ପୁତ୍ର ସନ୍ତାନର ବରଦାନ ଦେଲେ । ଏକଦା ଶିଳାଦ ମୁନି କ୍ଷେତରେ ହଳ କରୁଥିବା ସମୟରେ ତାଙ୍କୁ ଏକ ଶିଶୁର କ୍ରନ୍ଦନ ଶୁଣାଗଲା । ଉକ୍ତ ଶିଶୁଟିକୁ ମୁନି ଘରକୁ ଆଣିଲେ ଏବଂ ନିଜ ପୁତ୍ର ଭଳି ଲାଳନପାଳନ କରି ନାଁ ରଖିଲେ ନନ୍ଦୀ । ନନ୍ଦୀଙ୍କୁ ବାପା ସର୍ବବେଦର ଜ୍ଞାନ ଦେଲେ । 

ଏକଦା ଶିଳାଦ ମୁନିଙ୍କ ଆଶ୍ରମକୁ ସନ୍ଥ-ମହାତ୍ମାଙ୍କ ଆଗମନ ହେଲା । ସମସ୍ତେ ମୁନିଙ୍କୁ ଦୀର୍ଘାୟୁର ଆଶିଷ ଦେଲେ କିନ୍ତୁ ନନ୍ଦୀଙ୍କୁ ଅଣଦେଖା କରି କହିଲେ ପିଲାଟିର ଆୟୁଷ କମ୍ । ସାଧୁଙ୍କ ବାକ୍ୟ ଶୁଣି ମୁନିଙ୍କ ମନରେ ଅକଥନୀୟ ପୀଡ଼ା ହେଲା ଏବଂ ତାଙ୍କ ଆଖିରୁ ଅନବରତ ଲୁହ ବୋହିଲା । ନନ୍ଦୀ ପିତାଙ୍କ ଏଭଳି ଅବସ୍ଥା ଦେଖି ବିଚଳିତ ନ ହେବାକୁ କହିଲେ ଏବଂ ସାଧୁଙ୍କ ଭବିଷ୍ୟବାଣୀ ପୂରଣ ହେବ ନାହିଁ ବୋଲି କହି ମହାଦେବଙ୍କ ତପସ୍ୟା କରିବା ଆରମ୍ଭ କରିଦେଲେ । ନନ୍ଦୀଙ୍କ କଠିନ ତପସ୍ୟାରେ ପ୍ରସନ୍ନ ହୋଇ ମହାଦେବ ପ୍ରକଟ ହେଲେ ଏବଂ ତାଙ୍କୁ କହିଲେ ଯେ ତୁମେ ମୋର ହିଁ ଅଂଶ , ଯିଏ ମହାକାଳଙ୍କ ଅଂଶ ତାଙ୍କୁ କାଳ ସହ ଡ଼ରିବାର କୌଣସି ଆବଶ୍ୟକତା ନାହିଁ । ସଦାଶିବଙ୍କ ଆଶିଷ ନେଇ ନନ୍ଦୀଶ୍ବର ମହାଦେବଙ୍କୁ ତାଙ୍କ ସେବା କରିବା ପାଇଁ ବରଦାନ ମାଗିଲେ । 

nandishwar
nandishwar Photograph: (google)

କୈଳାସପତି ନନ୍ଦୀଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ତାଙ୍କୁ ନିଜର ବାହନ ରୂପେ ଗ୍ରହଣ କଲେ । ଏହା ପରେ ନନ୍ଦୀ ବାବା ପଶୁପତିନାଥଙ୍କ ବାହନ ହେବା ସହ ତାଙ୍କ ପ୍ରିୟ ଗଣରେ ସାମିଲ ହେଲେ । ଭୋଳାଶଙ୍କରଙ୍କ ଅତି ପ୍ରିୟ ଭକ୍ତ ହୋଇଥିବାରୁ ନନ୍ଦୀଶ୍ବର ବାବାଙ୍କ ପ୍ରତିଟି ମନ୍ଦିର ସମ୍ମୁଖରେ ବିରାଜମାନ କରନ୍ତି । ଶାସ୍ତ୍ର ଅନୁସାରେ ଦେବାଧିଦେବ ମହାଦେବ ସବୁବେଳେ ତପସ୍ୟାରେ ଲୀନ ରହିଥାଆନ୍ତି ଏବଂ ସେତେବେଳେ ଭକ୍ତ ନିଜ ମନର କଥା ନନ୍ଦୀବାବାଙ୍କ କାନରେ କହିଥା’ନ୍ତି । ମାନ୍ୟତା ରହିଛି ନନ୍ଦୀଙ୍କ କାନରେ ମନକଥା କହିବା ଯାହା ମହାଦେବଙ୍କ କାନରେ କହିବା ତାହା ।