କନକ ବ୍ୟୁରୋ: ଓମ୍‌ ଗଙ୍ଗା ନାରାୟଣାୟ…ରାମ ରାମ ସତ୍ୟ ହେ ହରିନାମ ସତ୍ୟ ହେ…ଡାକ ପଡ଼ିଲା । କାନ୍ଦବୋବାଳିରେ ଭୋଗରାଇ ଫାଟି ପଡ଼ିଲା । ଯେଉଁ ଗାଁରେ ଦିନେ ଛୋଟରୁ ବଡ଼ ହୋଇଥିଲେ…ଧୂଳି ବାଲିରେ ଖେଳୁଥିଲେ । ବୋହୂ ଚୋରି ମଜାରେ ମଜୁଥିଲେ…ବାପାମାଆ ସ୍ବପ୍ନ ଦେଖିଥିଲେ ଝିଅ ବଡ଼ ହେବ । ସବାରି ଆସିବ । କନ୍ୟାଦାନ କରିବେ । ବିଧିର ବିଧାନ ବୋଧହୁଏ କିଛି ଅଲଗା ଥିଲା । ବାପାମାଆ ଝିଅ ତ ବିଦା କଲେ ହେଲେ ସବାରି ନଥିଲା ବରଂ କୋକେଇରେ ଶୋଇଥିଲା ସୌମ୍ୟାଶ୍ରୀ । ଝିଅକୁ ଜନ୍ମ ହେବାର ୨୦ ବର୍ଷ ପରେ ବାପାମାଆଙ୍କ ସାମ୍ନାରେ ଯେବେ ଝିଅ ପରପାରିକୁ ଚାଲିଯିବ ସେତେବେଳେ କେଉଁ ବାପାମାଆ ବା ଧୈର୍ଯ୍ୟ ଧରିବେ ।

Advertisment

ସେ ଦୃଶ୍ୟ ଦେଖିହେବନି କି ଦେଖାଇ ହେବନି । ୬୦ ଘଣ୍ଟାର ଜୀବନ ମୃତ୍ୟୁ ସହ ଲଢେଇ ପରେ ଶେଷରେ ଆଖି ବୁଜିଛନ୍ତି ସୌମ୍ୟାଶ୍ରୀ । ଏମ୍ସରେ ଶବ ବ୍ୟବଚ୍ଛେଦ ପରେ ଗାଁକୁ ବାହାରିଥିଲା ଆମ୍ବୁଲାନ୍ସ । ଆଉ ଇଏ ସେହି ବେଳର ଦୃଶ୍ୟ । ରାସ୍ତାରେ ଶବବାହକ ଗାଡ଼ିକୁ ଅଟକାଇ ନେତା ଦେଉଥିଲେ ଶ୍ରଦ୍ଧାଞ୍ଜଳି । ମନରେ କୋହ, ଆଖିରେ ଲୁହ ଥିଲା । ଗାଁରେ ଶବ ପହଞ୍ଚିବା ବେଳେ ଲୋକାରଣ୍ୟ ହୋଇ ଉଠିଥିଲା ପୂରା ଗାଁ । ବଢିଲା ଝିଅକୁ କୋଳେଇ ନେବା ପାଇଁ ମାଆ ବ୍ୟସ୍ତ ହେଉଥାଏ, ଆଉ ବାପାର ଅବସ୍ଥା ନକହିବା ଭଲ । ଷ୍ଟ୍ରେଚର ଉପରେ ଝିଅ ଶୋଇଥିଲା । ମାଆ ତାକୁ ଗେଲ କରିପକାଉଥିଲା….ମୁଣ୍ଡ ଆଉଁସି ଦେଉଥିଲା । ସତେ ଯେମିତି ମାଆ ବିଶ୍ବାସ କରିପାରୁନଥିଲା କି, ସୌମ୍ୟାଶ୍ରୀ ଆଉ ନାହାନ୍ତି ବୋଲି । 

ସିଏ ପରା ମାଆର ମନ । ପେଟ ଚିରି ଜନ୍ମ ଦେଇଛି, ଛାତି ଚିରି କ୍ଷୀର ଦେଇଛି । ପାଳିପୋଷି ବଡ଼ କରିଛି । ସେ କେମିତି ବା ଝିଅର ମୃତ୍ୟୁକୁ ଗ୍ରହଣ କରିବ । ଏପଟେ ବାପା ପାଟିରୁ କଥା ବାହାରୁନି । ସତେ ଯେମିତି ମୂକ ହୋଇଯାଇଛି । ପରିବାରର ସମସ୍ତେ ଭୋ ଭୋ କାନ୍ଦୁଛନ୍ତି । ଗାଁ ସାହି ପଡ଼ିଶା ସମସ୍ତେ ବାହୁନି ହେଉଛନ୍ତି….ଗୋଟିଏ କଥା ଉଠିପଡ଼ରେ ମାଆ... ଅଭିମାନ କରନା । ହେଲେ ସେ ସେତେବେଳେ ଉଠିଲାନି କି ଆଉ କେବେ ଉଠିବନି । 

ଏହାରି ଭିତରେ ସେହି ଶେଷ ସମୟ ଆସିଯାଇଥିଲା । କୀର୍ତ୍ତନ ଆରମ୍ଭ ହୋଇଯାଇଥିଲା । ରାମ ରାମ ସତ୍ୟ ହେ ଡାକ ପଡ଼ିଥିଲା । ସମସ୍ତେ ବାହାରିଥିଲେ ଶଶ୍ମାନକୁ । ଆଉ ଆଗରେ ନିଆଁ ଧରି ଯାଉଥିଲା ଭାଇ । ମନରେ ଅଶୁମାରୀ ପ୍ରଶ୍ନ ଥିଲା । ପଚାରୁଥିଲା ଆଲୋ ଭଉଣୀ ଯେଉଁ ହାତରେ ରାକ୍ଷୀ ବାନ୍ଧିଥିଲୁ…ସେହି ହାତରେ ଆଜି ନିଆଁ ତତେ କେମିତି ଦେବି । ତତେ ରକ୍ଷା କରିବାକୁ ପରା ମୁଁ ରାଣ ଖାଇଛି । ଛି ଛି ମୋ ଭାଇ ପଣିଆକୁ ଧିକ୍‌ ବୋଲି କହି ରାହା ଛାଡ଼ି କାନ୍ଦୁଥିଲା । ହେଲେ ଛାତିରେ ପଥର ରଖି ଚାଲିଥିଲା...ଉଭଣୀକୁ ସବୁଦିନ ପାଇଁ ବିଦା କରିବାକୁ । ସେ ଦୃଶ୍ୟକୁ ବର୍ଣ୍ଣନା କରିବା ପାଇଁ ଅବିଧାନରେ ଶବ୍ଦର ଅଭାବ ନିଶ୍ଚୟ ଅଛି । ହେଲେ ବି କରୁଣ ସ୍ଥିତିର ଅବର୍ଣ୍ଣଣୀୟ କାହାଣୀ କିଛି ଇତିହାସ ଲେଖୁଥିଲା । ଶେଷ ଦର୍ଶନ ପାଇଁ ନେତା,ପ୍ରଶାସନ ସବୁ ପହଞ୍ଚିଥିଲେ । ହେଲେ ସେଦିନ ଯଦି ସେ ଅଭିଯୋଗର ତଦନ୍ତ ହୋଇଥାଆନ୍ତା ଆଜି ହୁଏତ ସୌମ୍ୟାଶ୍ରୀ ଆମ ପାଖରେ ଥାଆନ୍ତେ । ଏହାରି ଭିତରେ ସୌମ୍ୟାଶ୍ରୀ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି ମୋର ଭୁଲ୍‌ କଣ ଥିଲା ?