କନକ ବ୍ୟୁରୋ: ଜିଏସଟି 2.o ଦେଶରେ ଲାଗୁ ହେବା ପରେ ଏବେ ଜିଏସଟି ବିଭାଗ ଆକ୍ସନ ମୋଡକୁ ଆସିଛି । ନୂଆ ଜିଏସଟି ଲାଭ କିଭଳି ଦେଶବାସୀଙ ପାଇବେ ସେନେଇ ନଜର ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଉ ଏହାକୁ ନିଶ୍ଚିତ କରିବାକୁ ସରକାର ସବୁ ପ୍ରକାର ଉଦ୍ୟମ କରୁଥିବାବେଳେ ଜିଏସ୍ଟି ଅଧିକାରୀମାନେ ବଜାର ଉପରେ କଡ଼ା ନଜର ରଖିଛନ୍ତି ।
ଉଭୟ କେନ୍ଦ୍ର ଓ ରାଜ୍ୟର ଜିଏସଟି ବିଭାଗର କ୍ଷେତ୍ର ଅଧିକାରୀମାନେ ବଜାରରେ କେଉଁ ମୁହୂର୍ତ୍ତରେ ଚଢ଼ଉ କରିପାରନ୍ତି । ସାଦା ପୋଷାକ ପିନ୍ଧି ଯେଉଁ ଜିନିଷ ଗୁଡ଼ିକର ଦାମ୍ ଶସ୍ତା ହୋଇଛି ସେମାନେ ତାହାକୁ କିଣିବେ ଯଦି ଜିନିଷର ଦାମ୍ କମି ନଥିବ ତେବେ ସେମାନେ ସେହି ଦୋକାନୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ । ଏପରିକି ଉକ୍ତ ଦୋକାନ, ସପିଂ ମଲ୍, ବଡ଼ ବଡ଼ ମାର୍କେଟକୁ ସିଲ୍ ମଧ୍ୟ କରିବାକୁ ଟିକେ ବି ପଛଘୁଞ୍ଚା ଦେବେନି ।
ବଡ଼ କଥା ହେଉଛି, ଜିଏସଟି ବିଭାଗ ପକ୍ଷରୁ କ୍ଷେତ୍ର ଅଧିକାରୀମାନଙ୍କୁ ୫୪ଟି ଜିନିଷର ତାଲିକା ଦିଆଯାଇଛି । ରୋଷେଇ ଘର ବାସନକୁସନଠାରୁ ଆରମ୍ଭ କରି ପ୍ରସାଧାନ ସାମଗ୍ରୀ ଓ ଦୈନନ୍ଦୀନ ବ୍ୟବହାର ଜିନିଷଗୁଡ଼ିକୁ ଗୋଟିଏ ସୂଚୀରେ ରଖାଯାଇଛି । ଯାହା ଫଳରେ ସେଗୁଡ଼ିକ ଉପରେ ନିରୀକ୍ଷଣ ରଖିବା ସହଜ ହେବ । ଏପରିକି ସବୁ ପ୍ରକାର ଷ୍ଟେସନାରିକୁ ଗୋଟିଏ ତାଲିକାରେ ରଖାଯାଇଛି । ନିଜେ ବଜାରକୁ ଯାଇ ଏହି ଜିନିଷଗୁଡ଼ିକର ଦାମ୍ ଯାଞ୍ଚ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି । ସେମାନେ ଆଗୁଆ ଦର ତାଲିକା ସଂଗ୍ରହ କରିଛନ୍ତି । ଗତ ସୋମବାର ପରଠାରୁ ପୁଣି ଥରେ ସେମାନେ ସେହି ଜିନିଷ ଗୁଡ଼ିକର ନୂଆ ଦର ସଂଗ୍ରହ କରିବେ । ନୂଆ ଓ ପୁରୁଣା ଦର ମଧ୍ୟରେ ତୁଳନା କରି ଦର ଯେତିକି କମିବା କଥା, କମ୍ ହୋଇଛି ନା ନାହିଁ ତାହାର ଯାଞ୍ଚ କରିବେ ।
ଏପଟେ ଗାଡ଼ି କମ୍ପାନି ଗୁଡ଼ିକ ସେମାନଙ୍କ କେଉଁ ମଡେଲ୍ର ଦାମ୍ କେତେ କମ୍ ହୋଇଛି ତାହା ବିଜ୍ଞାପନ ଜରିଆରେ ପ୍ରଚାର କରୁଛନ୍ତି । ଭାରତୀୟ ରେଳ ଏହାର ୫୦୦ ଏମ୍ଏଲ୍ ରେଳ ନୀର୍ ପାଣି ବୋତଲର ଦାମକୁ ୧୦ ଟଙ୍କାରୁ କମ୍ କରି ୯ ଟଙ୍କା କରିଛି । ରେଳ ଷ୍ଟେସନ୍ ଓ ଟ୍ରେନ୍ ଭିତରେ ଆଇଆର୍ସିଟିସି ଅନୁମୋଦିତ ବିକ୍ରେତାମାନେ ବିକୁଥିବା ପାଣି ବୋତଲ ଦାମ୍ ମଧ୍ୟ ହ୍ରାସ କରାଯାଇଛି । ଅମୁଲ ମଧ୍ୟ ଏହାର ୭୦୦ ଉତ୍ପାଦର ଦାମ୍ ହ୍ରାସ କରିଛି । କମ୍ପାନିର ଘିଅ, ଲହୁଣି, ଆଇସ୍କ୍ରିମ୍ ଓ ଅନ୍ୟାନ୍ୟ ଦୁଗ୍ଧଜାତ ଜିନିଷର ଦାମ୍ କମ୍ ହୋଇଛି ।