କନକ ବ୍ୟୁରୋ: ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ୍‌ ଲଗାଇବା ପରେ ଉଭୟ ଦେଶର ସମ୍ପର୍କ ଖରାପ ହେବାରେ ଲାଗିଛି । ଅର୍ଥାତ୍‌ ଆମେରିକା ଉପରେ ଭାରତ ଅସନ୍ତୋଷ ଜାହିର କରୁଥିବା ବେଳେ ମୋଦୀଙ୍କ ଆମେରିକା ଗସ୍ତ ବି ବାତିଲ ହୋଇଛି । ଖାଲି ଏତିକି ନୁହେଁ ବରଂ ଋଷିଆ-ଚୀନ୍‌ଓ ଭାରତ ଏବେ ମିଳିତ ଭାବରେ କାମ କରୁଛନ୍ତି । ତେବେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ଆମେରିକା ଚାପରେ କେବେ ବି ନଇଁବ ନାହିଁ ବୋଲି ସ୍ପଷ୍ଟ ହେଉଛି । ଆଉ ଏତିକି ବେଳେ ଚର୍ଚ୍ଚା ହେଉଛି କି ପୂର୍ବରୁ ଟ୍ରମ୍ପ-ମୋଦୀଙ୍କ ମଧ୍ୟରେ ଯେଉଁ ସମ୍ପର୍କ ରହିଥିଲା ସେହି ସମ୍ପର୍କ ଆଉ ନାହିଁ । ହେଲେ ଅଖିଳେଶ କହିଛନ୍ତି, କେବେ ବି ମୋଦୀ-ଟ୍ରମ୍ପଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବ ନାହିଁ । କିନ୍ତୁ ସେ କେଉଁ ଆଧାରରେ ଏମିତି କହିଲେ ତାହାକୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । 

Advertisment

ଜାଣିଶୁଣି ହୀନ ବୟାନ ଦେଉଛି ଆମେରିକା
ଭାରତ ସହ ସମ୍ପର୍କ ଖରାପ କଲେ କ୍ଷତି ସହିବ ଆମେରିକା

ବହୁତ ହୋଇଗଲା ଆମେରିକାର ମନମାନି…ଏବେ ପାନେ ପାଇବ ଟ୍ରମ୍ପ ସରକାର । ଅର୍ଥାତ୍‌ ଭାରତ ଉପରେ ଟାରିଫ୍ ଲଗାଇବା ପରେ ଆମେରିକା ହିଁ ସର୍ବାଧିକ କ୍ଷତି ସହିବ । କାରଣ ଭାରତରୁ ଅଧିକାଂଶ କଞ୍ଚାମାଲ୍‌ ଆମେରିକୀୟ କମ୍ପାନିମାନେ ଆମଦାନୀ କରନ୍ତି । ଯେହେତୁ ଏବେ ସମ୍ପର୍କରେ ଭଟ୍ଟା ପଡ଼ିଲାଣି ତେଣୁ କଞ୍ଚାମାଲ ଠିକ୍‌ରେ ମିଳିବ ନାହିଁ । ଯାହାକୁ ନେଇ ଚର୍ଚ୍ଚା ଜୋର ହେବା ଭିତରେ କୁହାଯାଉଛି, ଆମେରିକା ଏହାକୁ ନେଇ ରାଗି ପଞ୍ଚମ ହେଲାଣି । ସେପଟେ ପୁଣି ବାଣିଜ୍ୟିକ ସଚିବ କହୁଛନ୍ତି ଭାରତ ଦୁଃଖ ପ୍ରକାଶ କରୁ । ନହେଲେ ଆଗାମୀ ଦିନରେ ସମ୍ପର୍କ ଆହୁରି ଖରାପ ହେବ ।    

ଅଖିଳେଶଙ୍କ ଟାର୍ଗେଟ୍‌ରେ ମୋଦୀ
କହିଲେ, ବିଦେଶନୀତି ଦୁର୍ବଳ…ଦିଶୁଛି ଜଳଜଳ

ଅପରେସନ୍‌ ସିନ୍ଦୂର ସମୟରେ ବିରୋଧୀ ମୋଦୀଙ୍କ ବିଦେଶ ନୀତିକୁ ନେଇ ପ୍ରଶ୍ନ ଉଠାଇଥିଲେ । କହିଥିଲେ, ମୋଦୀ ଏତେ ରାଷ୍ଟ୍ର ବୁଲିଲେ ହେଲେ ଯୁଦ୍ଧସ୍ଥିତିରେ ଭାରତ ସପକ୍ଷରେ କୌଣସି ରାଷ୍ଟ୍ର ଆସିଲେ ନାହିଁ । ଠିକ୍‌ ଏବେ ଅଖିଳେଶ ସମାନ ପ୍ରଶ୍ନ କରିଛନ୍ତି । କହିଛନ୍ତି, ଭାରତ ବିଦେଶ ନୀତି ଠିକ୍‌ ନାହିଁ । ଯାହାଦ୍ବାରା ଆମେରିକା ଭାରତ ଉପରେ ନାଲିଆଖି ଦେଖାଉଛି । ଆଉ ତାତ୍ସଲ୍ୟ କରି କହିଥିଲେ, ମୋଦୀ-ଟ୍ରମ୍ପଙ୍କ ସମ୍ପର୍କ ଯାହା ତାହା କେବେ କମିବ ନାହିଁ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଟ୍ରମ୍ପ କ୍ଷମତାରେ ନଥିବା ବେଳେ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତ କରିଥିଲେ । ଏମିତିକି ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ପାଇଁ ସେ ପ୍ରଚାର ମଧ୍ୟ କରିଥିଲେ । ହେଲେ ଟ୍ରମ୍ପ ଏବେ ଯେଉଁପରି ଭାବରେ ବୟାନବାଜି କରୁଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ ଆଗାମୀ ଦିନରେ ଭାରତ-ଆମେରିକା ସମ୍ପର୍କ ଆହୁରି ତିକ୍ତତା ଆସିପାରେ । ତେବେ ସମୟ କହିବ, ଆମେରିକା ଭାରତର ରାଷ୍ଟ୍ରନେତା କି ପଦକ୍ଷେପ ନେଉଛନ୍ତି ।