କନକ ବ୍ୟୁରୋ: ଏଥର ହାତମୁଠାରେ ରହିବେ ଡିଜିଟାଲ୍ ଗୁରୁ । ଚାଟ୍-ଜିପିଟି ହେଉ କି ଗୁଗଲ ସର୍ଚ୍ଚ ଇଞ୍ଜିନ ସବୁ କିଛିର ଫାଇଦା ଉଠାଇପାରିବେ ଛାତ୍ରଛାତ୍ରୀ । ମୋହନ ସରକାରଙ୍କ ଫୋକସରେ ପିଲାଙ୍କ ଡିଜିଟାଲ୍ ପାଠ । ଯେଉଁଥି ପାଇଁ ରାଜଧାନୀର ଶିକ୍ଷାନୁଷ୍ଠାନରେ ମାଗଣା ୱାଇଫାଇ ଯୋଗାଇଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର ।

Advertisment

ଲୋକଙ୍କୁ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦେବା ପାଇଁ ପୂର୍ବ ସରକାରଙ୍କ ଅମଳରେ ଆରମ୍ଭ ହୋଇଥିଲା ‘ଭୁବନେଶ୍ଵର ମି ୱାଇଫାଇ’ ଯୋଜନା, ଯାହା ଏବେ ବି ରାଜଧାନୀର ୫୧୫ଟି ହଟସ୍ପଟ୍ ସ୍ଥାପନ କରାଯାଇ ୧୬୦୧ଟି ୱାଇଫାଇ ଆକ୍ସେସ ପଏଣ୍ଟ ଯୋଗାଇ ଦିଆଯାଉଛି । କିନ୍ତୁ ବରମୁଣ୍ଡା ବସ୍ ଷ୍ଟାଣ୍ଡ୍ ଏବଂ ବାପୁଜୀନଗରସ୍ଥିତ ସନ୍ଥକବି ଭୀମ ଭୋଇ ପାଠାଗାର ଭଳି ଅଳ୍ପ କେତୋଟି ସ୍ଥାନକୁ ଛାଡ଼ିଦେଲେ ଅନ୍ୟ ସ୍ଥାନରେ ଏହାର ସେତେଟା ବ୍ୟବହାର ହେଉ ନଥିବା ଜାଣିବା ପରେ ସରକାର ଏହାକୁ ସ୍ଥାନାନ୍ତର କରିବାକୁ ପ୍ଲାନ୍ କରିଛନ୍ତି । ଯେଉଁସବୁ ସ୍ଥାନରେ ୱାଇଫାଇ ସେବାର କମ୍ ବ୍ୟବହାର ହେଉଛି ତାହାକୁ ପାର୍କ ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ସ୍ଥାନାନ୍ତର ଯୋଜନା ହୋଇଛି । ସ୍ମାର୍ଟସିଟି ଲିମିଟେଡର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀର ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏହି ସୁବିଧା ସ୍ଥାପନ ପାଇଁ କାର୍ଯ୍ୟ ଚାଲିଛି । ଆଉ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଏଥିପାଇଁ ବିଏସ୍ଏନ୍ଏଲ୍ ସହ ମିଶି ସର୍ଭେ ମଧ୍ୟ କରାଯାଇଛି ।

ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଏବଂ ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟ ରହିଛି । ବଡ଼ କଥା ହେଉଛି,. ୩୦ ଏମ୍‌ବିପିଏସ୍ ସ୍ପିଡ୍‌ରେ ଏହି ସେବାର ଫାଇଦା ଉଠାଉଛନ୍ତି ଲୋକେ । ଜଣେ ବ୍ୟକ୍ତି ଦିନକୁ ୧ଜିବି ଡାଟା ମାଗଣା ପାଇବା ସୁବିଧା ଏଥିରେ ରହିଛି । ସେପଟେ ପ୍ରଦର୍ଶନୀ ଓ ମେଳା ଆୟୋଜନ ସମୟରେ କ୍ଷମତାଠାରୁ ଅଧିକ ଲୋକ ଟେଲିଫୋନ୍ ବ୍ୟବହାର କରୁଛନ୍ତି । ଏଥିପାଇଁ ୟୁପିଆଇ ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି । ତାହାକୁ ଦୃଷ୍ଟିରେ ରଖି ୟୁନିଟ୍ ୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆ ଏବଂ ଜନତା ମଇଦାନ ଭଳି ସ୍ଥାନରେ ହଟସ୍ପଟ୍ ସ୍ଥାପନ କରାଯାଇ ଲୋକଙ୍କୁ ୱାଇଫାଇ ସେବା ଯୋଗାଇ ଦିଆଯାଉଛି ।

ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୧୫ରୁ ୩୧ ତାରିଖ ମଧ୍ୟରେ ରାଜଧାନୀରେ ୨୭,୪୨୦ ଜଣ ଏହି ଯୋଜନାର ଲାଭ ଉଠାଇଛନ୍ତି । ଏକ ରିପୋର୍ଟ କହୁଛି, ରାଜଧାନୀରେ ଦିନକୁ ପ୍ରାୟ ୪୦୦ ଜିବି ଡାଟା ଏହି ଯୋଜନାରେ ଲୋକମାନେ ବ୍ୟବହାର କରୁଛନ୍ତି । ସେହିଭଳି ଦିନକୁ ପ୍ରାୟ ୧୬୦୦ ଲୋକ ଏହି ସେବାର ଫାଇଦା ଉଠାଉଛନ୍ତି । ସ୍ମାର୍ଟଫୋନ ଥାଇ ମଧ୍ୟ ଯେଉଁମାନେ ଅର୍ଥ ଅଭାବରୁ ଡାଟା ବ୍ୟବହାର କରି ପାରୁ ନାହାନ୍ତି ସେମାନେ ଏହାଦ୍ବାରା ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।