ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର; ବକେୟା ଟ୍ରାଫିକ୍ ଚାଲାଣ ଅଧା ଛାଡ଼ କଲେ ସରକାର, ଏବେ ଦେବେ କେତେ ଟଙ୍କା ପଢ଼ନ୍ତୁ…

ଏହାଦ୍ବାରା ବହୁ ଇ-ଚାଲାଣ ଉପରେ ଅଧା ଜରିମାନା ଛାଡ଼ କରାଯାଇଛି । ଏପରିକି ସର୍ବାଧିକ ଜରିମାନା ଦେୟ ୫ହଜାର ଟଙ୍କାରେ ସୀମିତ ରଖାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

23

କନକ ବ୍ୟୁରୋ: ବକେୟା ଜରିମାନା ବା ଇ-ଚାଲାଣ ଆଦାୟ ପାଇଁ ପରିବହନ ବିଭାଗର ମାଷ୍ଟର ପ୍ଲାନ୍ । ପୂର୍ବରୁ କ୍ୟାବିନେଟ୍ ଅନୁମୋଦନ କରିଥିବା ଓଟିଏସ୍ ବା ୱାନ୍ ଟାଇମ୍ ସେଣ୍ଟେଲମେଣ୍ଟ ଯୋଜନା ନେଇ ପରିବହନ ବିଭାଗ ମଧ୍ୟ ନିର୍ଦ୍ଦେଶନାମା ଜାରି କିରିଛି । ଆସନ୍ତା ୬ମାସ ପାଇଁ ଲାଗୁ ହୋଇଛି ଓଟିଏସ୍ । ଏହାଦ୍ବାରା ବହୁ ଇ-ଚାଲାଣ ଉପରେ ଅଧା ଜରିମାନା ଛାଡ଼ କରାଯାଇଛି । ଏପରିକି ସର୍ବାଧିକ ଜରିମାନା ଦେୟ ୫ହଜାର ଟଙ୍କାରେ ସୀମିତ ରଖାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ବଡ଼ କଥା ହେଉଛି, ଇ-ଚାଲାଣ କଟାଯାଇଥିବା ସାଧାରଣ ଅପରାଧ ପାଇଁ ୫୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଉପରେ ଅଧା ଛାଡ଼, ଡ୍ରାଇଭିଂ ନିୟମ ଉଲ୍ଲଙ୍ଘନ କରିଥିଲେ ୫୦୦ରୁ ହଜାରେ ଟଙ୍କା ଜରିମାନା ଉପରେ ୫୦୦ଟଙ୍କା ଦେବାକୁ ପଡ଼ିବ । ସେହିଭଳି ଓଭରସାଇଜ୍ ଗାଡ଼ି ଉପରେ ଲାଗିଥିବା ୫ହଜାରରୁ ୧୦ହଜାର ଟଙ୍କା ଜରିମାନା ପାଇଁ ୫ହଜାର ଟଙ୍କା, ହାଲୁକା ୪ଚକିଆ ଯାନ ଦ୍ରୁତ ଗତିରେ ଚଲାଇବା ଉପରେ ହୋଇଥିବା ହଜାରେରୁ ୨ହଜାର ଟଙ୍କା ଜରିମାନା ପାଇଁ ୧ହଜାର ଟଙ୍କା, ଭାରୀ ଯାନ ଦ୍ରୁତ ଗତିରେ ଚଲାଇବା ପାଇଁ ହୋଇଥିବା ୨ରୁ ୪ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଉପରେ ୨ହଜାର ଟଙ୍କା, ରେଡ୍ ସିଗନାଲ୍ ଉଲ୍ଲଙ୍ଘନ, ଟ୍ରାଫିକ୍‌ ସିଗନାଲ୍‌ ନ ମାନିବା,  ଗାଡ଼ି ଚଳାଇବାବେଳେ ମୋବାଇଲ୍ ଫୋନ୍‌ରେ କଥା ହେବା, ନୋ ଓଭରଟେକିଂ ଜୋନ୍‌ରେ ଓଭରଟେକ୍ କରିବା, ବିପଦପୂର୍ଣ୍ଣ ଗାଡ଼ିଚାଳନା, ରଙ୍ଗରୁଟ୍‌ରେ ଗାଡ଼ି ଚଳାଇବା ଆଦି ପାଇଁ ହୋଇଥିବା ହଜାରେରୁ ୫ହଜାର ଟଙ୍କା ଜରିମାନାକୁ ୧ହଜାର ଟଙ୍କା କରାଯାଇଛି ।

ଏହାସହ ମାନସିକ ଅସୁସ୍ଥ ଥିବାବେଳେ ଗାଡ଼ି ଚଳାଇବା ପାଇଁ ହୋଇଥିବା ହଜାରେ ଟଙ୍କା ଜରିମାନାକୁ ୫୦୦ଟଙ୍କା, ବିନା ହେଲମେଟ୍ ଏବଂ ବିନା ସିଟ୍ ବେଲ୍ଟ ପାଇଁ ଲାଗିଥିବା ହଜାର ଟଙ୍କା ଫାଇନ ଉପରେ ୫୦୦ ଟଙ୍କା ଫାଇନ୍ ଦେବାକୁ ହେବ । ସେହିପରି ବାୟୁ ଓ ଶବ୍ଦ ପ୍ରଦୂଷଣ ପାଇଁ ହୋଇଥିବା ୧୦ହଜାର ଟଙ୍କା ଜରିମାନା ଉପରେ ଅଧା ଛାଡ଼, ବିନା ପଞ୍ଜୀକରଣରେ ଗାଡ଼ି ଚଳାଇବା ପାଇଁ ହୋଇଥିବା ୨ହଜାରରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ପାଇଁ ୨ହଜାର ଟଙ୍କା ଦେଇ ଏକକାଳୀନ ସମାଧାନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବଡ଼ କଥା ହେଉଛି ଏହି ସବୁ ଜରିମାନା ଜୁଲାଇ ୩୧, ୨୦୨୫ ପୂର୍ବରୁ ହୋଇଥିବା ଦରକାର ।

ସେହିପରି ବିଭିନ୍ନ ଅଦାଲତରେ ପଡ଼ି ରହିଥିବା ଏହି ଜରିମାନା ସମ୍ପର୍କିତ ମାମଲାଗୁଡ଼ିକ ଯେପରି ପ୍ରତ୍ୟାହାର କରିହେବ ଏବଂ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଟଙ୍କା ଆଦାୟ କରାଯିବ ସେନେଇ ପରିବହନ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe