Golden Tomb Photograph: (kanak news)
କନକ ବ୍ୟୁରୋ: ପାନାମାର ସେହି ନିସ୍ତବ୍ଧ ଘଞ୍ଚ ଜଙ୍ଗଲ ଏବଂ ପ୍ରାଚୀନ ମାଟି ତଳେ ଏମିତି ଏକ ରହସ୍ୟ ଲୁଚି ରହିଥିଲା, ଯାହା ଆଜିର ଆଧୁନିକ ସଭ୍ୟତାକୁ ଚକିତ କରିଦେଇଛି । ପାନାମା ସିଟିଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା 'ଏଲ୍ କାନୋ' ପ୍ରତ୍ନତାତ୍ତ୍ୱିକ ପାର୍କରେ ଯେତେବେଳେ ଖୋଦେଇ କାର୍ଯ୍ୟ ଆରମ୍ଭ ହେଲା, ସେତେବେଳେ କେହି ଭାବି ନଥିଲେ ଯେ ସେମାନେ ଏକ 'ସୁନା ସହର'ର ସନ୍ଧାନ ପାଇବେ । ଡକ୍ଟର ଜୁଲିଆ ମାୟୋଙ୍କ ନେତୃତ୍ୱରେ ଚାଲିଥିବା ଏହି ଅଭିଯାନରେ ମାଟି ଖୋଳୁ ଖୋଳୁ ପ୍ରତ୍ନତତ୍ତ୍ୱବିତ୍ମାନଙ୍କ ଆଖି ଖୋସି ହୋଇଗଲା । ସେଠାରେ ଶୋଇଥିଲା ଏକ କଙ୍କାଳ, ହେଲେ ତାହା କେବଳ ଅସ୍ଥିର ଏକ ଗଦା ନଥିଲା, ବରଂ ଥିଲା ଏକ ସୁନା ଭର୍ତ୍ତି ସାମ୍ରାଜ୍ୟର ମୂକ ସାକ୍ଷୀ ।
ଆହୁରି ପଢ଼ନ୍ତୁ: କମାଲ୍ କଲେ ବସ୍ କଣ୍ଡକ୍ଟରଙ୍କ ପୁଅ
ସୁନା ଭର୍ତ୍ତି କବରର କାହାଣୀ
ରହସ୍ୟ ବଢ଼ାଇଲା ବାଦୁଡ଼ି ଓ କୁମ୍ଭୀର ପ୍ରତୀକ
ଏହି କବରଟି ପ୍ରାୟ ୮୦୦ ରୁ ୧୦୦୦ ଖ୍ରୀଷ୍ଟାବ୍ଦ ପୁରୁଣା ବୋଲି କୁହାଯାଉଛି । ଯେତେବେଳେ ପ୍ରତ୍ନତତ୍ତ୍ୱବିତ୍ ମାନେ ଧୂଳି ସଫା କଲେ, ସେମାନେ ଦେଖିଲେ ଯେ ସେହି କଙ୍କାଳଟି ଚାରିପଟୁ ସୁନା ଗହଣାରେ ଛାଉଣୀ ହୋଇ ରହିଛି । ସୁନାର ହାର, ଭାରି ଓଜନର କଙ୍କଣ, କାନରେ ଝଲସୁଥିବା କାନଫୁଲ ଏବଂ ଅଦ୍ଭୁତ କାରୁକାର୍ଯ୍ୟ ହୋଇଥିବା ପାତ୍ର । ଜଣାପଡ଼ିଛି ଯେ ଏହା କୌଣସି ସାଧାରଣ ବ୍ୟକ୍ତିର କବର ନଥିଲା, ବରଂ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ 'ମୁଖିଆ' ବା 'ଲର୍ଡ'ଙ୍କର ଥିଲା । ସେହି ସମୟର ଲୋକଙ୍କ ପାଇଁ ସୁନା କେବଳ ଏକ ଧାତୁ ନଥିଲା ବରଂ ଏହା ଥିଲା ତାଙ୍କର ସାମାଜିକ ପ୍ରତିଷ୍ଠା ଓ ଶକ୍ତିର ପ୍ରତୀକ ।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେହି ସୁନା ଗହଣା ଉପରେ ଥିବା ଚିତ୍ର । ଅଧିକାଂଶ ଗହଣାରେ ବାଦୁଡ଼ି, କୁମ୍ଭୀର ଏବଂ ବିଭିନ୍ନ ଜୀବଜନ୍ତୁଙ୍କର ଆକୃତି ଖୋଦିତ ହୋଇଥିଲା । ସେ ସମୟର ଲୋକେ ଏହି ଜୀବମାନଙ୍କୁ ଦେବତା ଭାବେ ପୂଜା କରୁଥିଲେ । ସେମାନଙ୍କ ବିଶ୍ୱାସ ଥିଲା ଯେ ଏହି ଜୀବମାନେ ମୃତ୍ୟୁ ପରେ ଆତ୍ମାକୁ ସୁରକ୍ଷା ଦିଅନ୍ତି । ଏହି ପ୍ରତୀକଗୁଡ଼ିକ ପ୍ରମାଣ କରେ ଯେ ସେମାନଙ୍କର ସଂସ୍କୃତି ଓ ପ୍ରକୃତି ସହ ଏକ ଗଭୀର ଓ ରହସ୍ୟମୟ ସମ୍ପର୍କ ଥିଲା ।
ମୃତ୍ୟୁ ପରେ ବି ମିଳୁଥିଲା ସେବା !
କବର ଭିତରୁ ବାହାରିଲା ଭୟଙ୍କର ସତ
ଏହି କବର ଖୋଳିବା ପରେ ଯେଉଁ ସତ ସାମ୍ନାକୁ ଆସିଲା, ତାହା ଶୁଣିଲେ ଯେକୌଣସି ବ୍ୟକ୍ତିର ଲୋମ ଟାଙ୍କୁରି ଉଠିବ । ମୁଖିଆଙ୍କ କବରରେ କେବଳ ସେ ଏକା ନଥିଲେ । ପ୍ରତ୍ନତତ୍ତ୍ୱବିତ୍ମାନେ ସେଠାରେ ଆହୁରି ଅନେକ କଙ୍କାଳ ଠାବ କରିଛନ୍ତି । ବିଶ୍ୱାସ କରାଯାଏ ଯେ, ମୁଖିଆଙ୍କ ମୃତ୍ୟୁ ପରେ ପରଲୋକରେ ତାଙ୍କୁ ସେବା କରିବା ପାଇଁ ତାଙ୍କର ଦାସ, ପତ୍ନୀ କିମ୍ବା ସୈନିକମାନଙ୍କୁ ମଧ୍ୟ ଜୀଅନ୍ତା ବଳି ଦିଆଯାଇ କବର ଦିଆଯାଉଥିଲା । ଏହି 'ସହମରଣ' ବା 'ଜୀବନ୍ତ ବଳି'ର ପରମ୍ପରା ଦର୍ଶାଏ ଯେ ସେମାନେ ମୃତ୍ୟୁ ପରର ଜୀବନକୁ ନେଇ କେତେ ଗୁରୁତ୍ୱ ଦେଉଥିଲେ ।
ବୈଜ୍ଞାନିକମାନଙ୍କ ମତରେ, ଏହି ମୁଖିଆମାନଙ୍କୁ ତାଙ୍କର ପ୍ରିୟ ଜିନିଷ ସହିତ ପୋତା ଯାଉଥିଲା ଯେପରି ସେମାନେ ଅନ୍ୟ ଦୁନିଆରେ ମଧ୍ୟ ସେହି ସୁଖ-ସୁବିଧା ପାଇପାରିବେ । ଏହି ସ୍ଥାନଟି ପ୍ରାୟ ୨୦୦ ବର୍ଷ ଧରି କେବଳ ବିଶିଷ୍ଟ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ବ୍ୟବହାର ହେଉଥିଲା । ଏପର୍ଯ୍ୟନ୍ତ ସେଠାରୁ ୯ଟି ବିଶାଳ କବର ମିଳିସାରିଛି, ଯାହା ସେ ସମୟର ଏକ ସମୃଦ୍ଧ ଓ ପ୍ରାଧାନ୍ୟ ବିଶିଷ୍ଟ ସମାଜର କାହାଣୀ କହୁଛି । ପାନାମାର ଏହି ଆବିଷ୍କାର କେବଳ ସୁନା ପାଇଁ ନୁହେଁ ବରଂ ମଣିଷର ଅଜବ ବିଶ୍ୱାସ ଏବଂ ମୃତ୍ୟୁ ପରି ରହସ୍ୟମୟ ସତକୁ ବୁଝିବାରେ ସାହାଯ୍ୟ କରିଛି । ଆଜି ବି ସେହି ମାଟି ତଳେ ଏମିତି ଅନେକ କଥା ଲୁଚି ରହିଛି, ଯାହା ଆଧୁନିକ ବିଜ୍ଞାନ ପାଇଁ ଏକ ବଡ଼ ଆହ୍ୱାନ ।
Follow Us