କନକ ବ୍ୟୁରୋ: ଆପଣ ଭଗବାନଙ୍କ ନାଁରେ କୋର୍ଟରେ ମାମଲା ହେଉଥିବା ଶୁଣିଥିବେ ଏବଂ ଦେଖିଥିବେ । ଆଉ ଲୋକମାନେ ଠାକୁରଙ୍କ ଅଧିକାର ପାଇଁ କେସ୍ ଲଢ଼ୁଥିବା ବି ଆପଣ ଶୁଣିଥିବେ । କିନ୍ତୁ ରାଜସ୍ଥାନ ଗଦରୱାଡ଼ା ଗାଁରୁ ଏମିତି ଏକ ଘଟଣା ଆସିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସିଂହାସନରେ ବସି ଯେବେ ଜନ ଶୁଣାଣି ବେଳେ କଲେକ୍ଟର ଅଫିସରେ ପହଞ୍ଚିଥିଲେ ଭଗବାନ ସେତେବେଳେ ସଭିଏଁ ତାଜୁବ୍ ହୋଇଗଲେ ।
ଲୋକମାନେ ଜନଶୁଣାଣି ବେଳେ ନିଜ ନିଜ ଜିଲ୍ଲାର ଜିଲ୍ଲାପାଳ ପାଖକୁ ସମସ୍ୟା ନେଇ ଆସନ୍ତି । କିନ୍ତୁ ରାଜସ୍ଥାନ ଗଦରୱାଡା ଜିଲ୍ଲାପାଳ ଅଫିସରେ ଦେଖିବାକୁ ମିଳିଛି ଭିନ୍ନ ଏକ ଦୃଶ୍ୟ । ଗରଦୱାଡ଼ା ବ୍ରାହ୍ମଣ ଗାଁରେ ମନ୍ଦିର ଜମି ବିବାଦକୁ ନେଇ ପ୍ରଭୁ ରାମଙ୍କୁ ସିଂହାସନରେ ବସାଇ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଗଲେ ପୂଜାରୀ । ମନ୍ଦିର ଜମି ବିବାଦ ଓ ରାସ୍ତା ବନ୍ଦ କରାଯିବା ପ୍ରତିବାଦରେ ପୂଜାରୀ ଏବଂ ଗ୍ରାମବାସୀ ପ୍ରଭୁଙ୍କୁ କଲେକ୍ଟର ଅଫିସ୍ ଆଣିଥିଲେ । ଏପରିକି ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।
ଗ୍ରାମବାସୀ କହିଛନ୍ତି ଯେ ଗଦରୱାଡାର ଧନୀ ଲୋକମାନେ ବାସ-ଗୁଢାଲିଆ ରାସ୍ତା ସହିତ ସଂଯୋଗ କରୁଥିବା ପିଚୁ ରାସ୍ତାକୁ ବ୍ରାହ୍ମଣଙ୍କ ପାଇଁ ଅବରୋଧ କରିଛନ୍ତି । ଏପରିକି ଏହାକୁ କିଛି ଅସାମାଜିକ ବ୍ୟକ୍ତିଙ୍କ ଦ୍ବାରା ଜବରଦଖଲ ମଧ୍ୟ କରାଯାଇଛି । ବଡ଼ କଥା ହେଉଛି ସେହି ବ୍ରାହ୍ମଣ ପରିବାର ପ୍ରଭୁ ସୀତାରାମଜୀ ମନ୍ଦିରରେ ସେବା ଏବଂ ପୂଜା କରି ନିଜର ଜୀବିକା ନିର୍ବାହ କରନ୍ତି । ସରକାରଙ୍କ ରାସନ୍ ଛଡ଼ା ସେମାନଙ୍କ ପାଖରେ ବଞ୍ଚିବାର ଆଉ କିଛି ଉପାୟ ନାହିଁ ।
ଏପଟେ ଏ ବିବାଦକୁ ନେଇ ପୂଜାରୀମାନେ ଉପ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ କରିଥିଲେ ବି ସେମାନଙ୍କ ଦାବିକୁ ପ୍ରଶାସନ ଶୁଣୁନଥିଲେ । ଫଳରେ ମନ୍ଦିର ପୂଜାରୀମାନେ ଜନଶୁଣାଣିକୁ ପ୍ରଭୁଙ୍କୁ ସିଂହାସନ ଧରି ଆଣିବାକୁ ବାଧ୍ୟ ହେଲେ । ପୂଜାରୀ କହିଛନ୍ତି ଯେ ସରପଞ୍ଚ, ତହସିଲଦାର, ଏସଡିଏମ୍, କଲେକ୍ଟର ଏବଂ ମୁଖ୍ୟମନ୍ତ୍ରୀ ସମେତ ପ୍ରଶାସନକୁ ଲିଖିତ ସୂଚନା ଦେବା ସତ୍ତ୍ୱେ ବି ଜବରଦଖଲକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଯଦି ମନ୍ଦିର ଜମି ବିବାଦର ସମାଧାନ ତୁରନ୍ତ ନହୁଏ ଆତ୍ମଦାହ କରିବାକୁ ଧମକ ଦେଇଛନ୍ତି ବ୍ରାହ୍ମଣ ପରିବାର । ଏପଟେ କଲେକ୍ଟର ଦେବେନ୍ଦ୍ର କୁମାରଙ୍କୁ ପୂରା ଘଟଣା ବିଷୟରେ ଜାଣିବା ପରେ କହିଛନ୍ତି କି, ଘଟଣାର ତଦନ୍ତ କରିବା ସହ ମନ୍ଦିର ଜମିକୁ ଜବରଦଖଲକାରୀ କବଳରୁ ମୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।