କନକ ବ୍ୟୁରୋ: ଜୋମାଟୋରେ ସାଣ୍ଡୱିଚ୍ ଅର୍ଡର କରିଥିଲେ ହେଲେ ସେଥିରୁ ବାହାରିଲା ଏକ ଡିସପୋଜାଲ୍ ପ୍ଲାଷ୍ଟିକ୍ ଗ୍ଲୋଭ୍ । ଆଉ ଖାଇ ନ ପାରି ନାକ ଟେକିଲେ ଅର୍ଡର କରିଥିବା ବ୍ୟକ୍ତି । ଏପରିକି ସେ ପ୍ଲାଷ୍ଟିକ୍ ଗ୍ଲୋଭ୍ ଥିବା ସାଣ୍ଡୱିଚର ଫଟୋକୁ ସୋସିଆଲ ମାଡିଆରେ ପୋଷ୍ଟ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାହକ ଜଣକ । ଯାହାକୁ ନେଇ ଏବେ ଜାତୀୟ ଗଣମାଧ୍ୟରେ ଚର୍ଚ୍ଚା ହେଉଛି ।
ଦିଲ୍ଲୀ-ଏନସିଆର ଅଞ୍ଚଳର ସତୀଶ ସରାୱାଗି । ଗତ ମଙ୍ଗଳବାର ଦିନ ନିକଟସ୍ଥ ରେଷ୍ଟୁରାଣ୍ଟ୍ ‘ସାଲାଡ୍ ଡେଜ୍’ରୁ ୨ଟି ସାଣ୍ଡୱିଚ୍ ଫୁଡ୍ ଡେଲିଭରୀ ଆପ୍ ଜୋମାଟୋ ଜରିଆରେ ଅର୍ଡର କରିଥିଲେ । ଯେତେବେଳେ ସାଣ୍ଡୱିଚ୍ ଡେଲିଭର୍ ହୋଇଗଲା, ଏହାପରେ ସେ ଖାଇବାକୁ ପ୍ୟାକେଟ୍ ଖୋଲିକି ଦେଖନ୍ତି ତ ସେଥିରେ ଥିଲା ଏକ ଡିସପୋଜାଲ୍ ପ୍ଲାଷ୍ଟିକ୍ ଗ୍ଲୋଭ୍ ।
ଏନେଇ ଗ୍ରାହକ ସତୀଶ ସରାୱାଗି ଭୀଷଣ ଅସନ୍ତୋଷ ପ୍ରକାଶ କରିବା ସହ ଏହାର ଏକ ଫଟୋ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି । ଏବଂ ସମ୍ପୃକ୍ତ ସଂସ୍ଥାକୁ ଟ୍ୟାଗ୍ କରିଥିଲେ ସତୀଶ । ଯେଉଁଥିରେ ଜୋମାଟୋ ଆପରୁ ତାଙ୍କ ଅର୍ଡର ସାରାଂଶର ଏକ ସ୍କ୍ରିନସଟ୍ ପୋଷ୍ଟ କରିଥିଲେ, ସେଥିରେ ଦୁଇଟି ସାଣ୍ଡୱିଚ୍ ର ସମ୍ପୂର୍ଣ୍ଣ ଡିଟେଲ୍ ରହିଥିଲା । ଜୋମାଟୋର ମାଲିକ ଦୀପିନ୍ଦର ଗୋୟଲ ଏବଂ ଅର୍ଡର କରିଥିବା ସାଲାଡ୍ ଡେଜ୍ ରେଷ୍ଟୁରାଣ୍ଟକୁ ଟ୍ୟାଗ୍ କରି ସେ ଲେଖିଛନ୍ତି, ମୁଁ ଏକ ସାଣ୍ଡୱିଚ୍ ଅର୍ଡର କରିଥିଲି ହେଲେ ସାଣ୍ଡୱିଚ୍ ସହ ଏକ ଗ୍ଲୋଭ୍ ପାଇଲି ! ଏହା କଦାପି ଗ୍ରହଣୀୟ ନୁହେଁ, ଦୟାକରି ଏହାର ତଦନ୍ତ କରି ଯଥାଶୀଘ୍ର ଉତ୍ତର ଦିଅନ୍ତୁ ।"
ସେପଟେ ଜୋମାଟୋ ମଧ୍ୟ ଏହି ପୋଷ୍ଟରେ ରିପ୍ଲାଏ ଦେଇ ଚିନ୍ତା ପ୍ରକାଶ କରିଛି । ZomatoCare ଲେଖିଛି, "ହାଏ ସତୀଶ, ଏହା ଦେଖି ଆମେ ପୂରାପୂରି ଆଶ୍ଚର୍ଯ୍ୟ । ଆପଣଙ୍କୁ କେତେ ଅପରିଷ୍କାର ଲାଗିଥିବ ତାହା ଆମେ କଳ୍ପନା କରିପାରୁନାହୁଁ । ଦୟାକରି ଆମକୁ ଆମ ରେଷ୍ଟୁରାଣ୍ଟ ପାର୍ଟନରଙ୍କ ସହିତ ଏ ବିଷୟରେ ଆଲୋଚନା କରିବା ପାଇଁ କିଛି ସମୟ ଦିଅନ୍ତୁ । ଆମେ ଖୁବଶୀଘ୍ର ଏନେଇ ଆପଣଙ୍କ ସହ ଯୋଗାଯୋଗ କରିବୁ ।"
ଖାଲି ଏତିକି ନୁହେଁ ଏହି ପୋଷ୍ଟ ଭାଇରାଲ୍ ହେବାପରେ , ସାଲାଡ୍ ଡେଜ୍ ରେଷ୍ଟୁରାଣ୍ଟ୍ ଏହି ଘଟଣାର ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ପୋଷ୍ଟରେ ଲେଖାଯାଇଛି, ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଉଛୁ । ଗ୍ରାହକ ଜଣକ ଉତ୍ତର ଦେଇ କହିଛନ୍ତି ଯେ ଅଭିଯୋଗର ସମାଧାନ ପାଇଁ ରେଷ୍ଟୁରାଣ୍ଟକୁ ୧୯ ଘଣ୍ଟା ସମୟ ଲାଗିଲା । ଯାହା ଅତ୍ୟନ୍ତ ଚିନ୍ତାଜନକ ବିଷୟ ।