କନକ ବ୍ୟୁରୋ : ଅଭାବ ହିଁ ଉଦ୍‌ଭାବନର ଜନନୀ…ଏହା ଆମେ ସମସ୍ତେ ଜାଣନ୍ତି । କଠିନ ପରିଶ୍ରମ, ଦୃଢ଼ ଇଚ୍ଛାଶକ୍ତି ବଳରେ ସେହିଭଳି କିଛି ନୂଆ ଉଦ୍‌ଭାବନ କରିଛନ୍ତି ବାଲେଶ୍ବରର ଦୁଇ ଯୁବ ଇଞ୍ଜିନିୟର ପାର୍ଥସାରଥୀ ଓ ରାଜକିଶୋର । ପ୍ରଥମେ ପାର୍ଥସାରଥୀ ସାହୁ ଇଞ୍ଜିୟରିଂ ପାସ୍‌ କରିବା ପରେ ଦିଲ୍ଲୀରେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ । ପରେ ଦୁବାଇରେ ମଧ୍ୟ କାମ କରିଛନ୍ତି । ସେଠାରୁ ଚପଲ ତିଆରି ବିଷୟରେ ଜାଣିବା ପରେ ତାଙ୍କ ଗାଁ କୋଠପଦାରେ ନିଜର କିଛି ଟଙ୍କାରେ ଚପଲ ତିଆରି କାରଖାନା ଆରମ୍ଭ କରିଥିଲେ । ଅଳ୍ପ ନିବେଶ କରିଥିବାରୁ ବ୍ୟବସାୟରେ ଉନ୍ନତି ଆସିପାରିନଥିଲା । ହେଲେ ପରବର୍ତ୍ତୀ ସମୟରେ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ସହଯୋଗର ହାତ ବଢ଼ାଇଥିଲେ ରାଜକିଶୋର ।  ମାତ୍ର ୩ ଲକ୍ଷରୁ ଆରମ୍ଭ ହୋଇଥିବା କାରଖାନା ଏବେ ୩ କୋଟିରେ ପହଞ୍ଚିଗଲାଣି । ବର୍ତ୍ତମାନ ସମୟରେ ବର୍ଷକୁ ୨୫ ରୁ ୩୦ ଲକ୍ଷ ଟଙ୍କାର ବ୍ୟବସାୟ ହେଉଛି । 

Advertisment

ଦୁଇ ବନ୍ଧୁଙ୍କୁ ଅନନ୍ୟ ପରିକଳ୍ପନା
ଇଞ୍ଜିନିୟରିଂ ପାଠ ପଢ଼ିଛନ୍ତି
ଗାଁରେ ଚପଲ ତିଆରି କମ୍ପାନି ଖୋଲିଛନ୍ତି
ବେରୋଜଗାରୀଙ୍କୁ ଦେଇଛନ୍ତି ନିଯୁକ୍ତି

ସୂଚନା ଅନୁସାରେ, ରାଜକିଶୋର ଇଞ୍ଜିନିୟରିଂ ପାଠପଢ଼ି ଏକ ଜୋତା ଦୋକାନ କରିଥିଲେ । ବାହାର ରାଜ୍ୟରୁ ଜୋତା କିଣି ବିକ୍ରି କରୁଥିବାରୁ ନିଜ ରାଜ୍ୟରେ କେମିତି ଜୋତା କାରଖାନା ହେବ ଚିନ୍ତା କରିଥିଲେ । ଆଉ ପାର୍ଥଙ୍କ ସହ ମିଶି ବ୍ୟବସାୟ ଆଗକୁ ବଢ଼ାଇଲେ । କାରଖାନାରେ ସ୍କୁଲ ପିଲାଙ୍କ ଜୋତାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଜୋତା ତିଆରି ହେଉଛି । ବାଲେଶ୍ବର, ଗଞ୍ଜାମ, ମୟୂରଭଞ୍ଜ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାକୁ ବିକ୍ରି ପାଇଁ ପଠାଯାଉଛି ।  ଦିଲ୍ଲୀ ସମେତ ଆଗ୍ରା ଏବଂ କଲିକତାରୁ କଞ୍ଚାମାଲ ଆଣୁଛନ୍ତି । ଜୋତା କମ୍ପାନିରେ ୩୫ରୁ ୪୦ ଜଣ ସ୍ଥାନୀୟ ଲୋକ କାମ କରି କିଛି ରୋଜଗାର କରିପାରୁଛନ୍ତି । ଓଡ଼ିଶା ବାହାରୁ ମଧ୍ୟ କାରିଗର ମାନେ ଆସି ତାଙ୍କ କମ୍ପାନିରେ ଏବେ ଧୀରେ ଧୀରେ କାମ କଲେଣି । 

ଦୁଇବନ୍ଧୁ ନିଜ କାରଖାନାରେ କେବଳ ୩୦ ରୁ ୪୦ ଜଣ ନୁହେଁ ୩ ରୁ ୪ ହଜାର କର୍ମଚାରୀ ନିଯୁକ୍ତି ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଯଦି ସରକାର ଏହି ଜୋତା କାରଖାନା ପାଇଁ ସହାୟତା କରନ୍ତି ତାହେଲେ ଏହି ଦୁଇ ବନ୍ଧୁଙ୍କ ସ୍ୱପ୍ନ ସାକାର ହୋଇପାରିବ ।

(ବାଲେଶ୍ୱର ଜିଲ୍ଲା ବସ୍ତାରୁ ରଞ୍ଜନ କୁମାର ବେହେରାଙ୍କ ରିପୋର୍ଟ )