କନକ ବ୍ୟୁରୋ: ଆଜିକାଲି ପ୍ରତିଟି କାମ ୟୁଟ୍ୟୁବ ହିଁ ଶିଖାଇ ଦେଉଛି । ଅର୍ଥାତ୍…ରୋଷେଇଠୁ ଆରମ୍ଭ କରି ପାଠପଢ଼ା…ଘରସଜ୍ଜାଠୁ ଆରମ୍ଭ କରି ଅନଲାଇନ୍ ସପିଂ । ପ୍ରତିଟି କାମ ଉପରେ ଆମେ ୟୁଟ୍ୟୁବ୍ ଉପରେ ନିର୍ଭରଶୀଳ ଅଛନ୍ତି । ଏହାରି ଭିତରେ ୟୁଟ୍ୟୁବରୁ ରୋଜଗାର କରିପାରିଲେ ନାହିଁ ବୋଲି ଚୋର ବନିଗଲେ ଜଣେ ୟୁଟ୍ୟୁବର । ଯାହା ଏବେ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା ହେଉଛି ।
ୟୁଟ୍ୟୁବରୁ ହେଲାନି ରୋଜଗାର
ଚୋର ବନିଗଲେ ୟୁଟ୍ୟୁବର
୧୦ ଲକ୍ଷ ଟଙ୍କାର ଗହଣା କଲେ ଚୋରି
ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଲା ଅଭୁତ ଘଟଣା
ଚୋର ବନିଗଲେ ୟୁଟ୍ୟୁବର
ମଣିଷ ଯେବେ ରୋଜଗାର କରିପାରେନି ସେବେ ଚୋର ବନିଯାଏ । ଅର୍ଥାତ୍ ଟଙ୍କା ପାଇଁ ମଣିଷ କିଛି ବି କରିପାରେ । କିଛି ଏମିତି ଘଟଣା ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଜଣେ ମହିଳା ୟୁଟ୍ୟୁବର ୟୁଟ୍ୟୁବରୁ ଟଙ୍କା ରୋଜଗାର କରିନପାରିବାରୁ ନିଜ ସମ୍ପର୍କୀୟଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି । ଲକ୍ଷେ କି ଦୁଇ ଲକ୍ଷ ଟଙ୍କା ନୁହେଁ ବରଂ ଏକା ସାଙ୍ଗରେ ୧୦ ଲକ୍ଷ ଟଙ୍କାର କଳାକନା ବୁଲାଇ ଦେଇଛନ୍ତି । ଘଟଣା ଜଣାପଡ଼ିବା ପରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ପୁଲିସ୍ । ମହିଳା ଜଣକ ଗିରଫ ହେବା ପରେ ପୂରା ଘଟଣାର ପର୍ଦ୍ଦାଫାସ୍ ହୋଇଛି ।
ସୂଚନା ଅନୁସାରେ , ଅଭିଯୁକ୍ତ ମହିଳାଙ୍କ ନାମ ସଞ୍ଜିଦା ବି । ସେ ଜଣେ ଗୃହିଣୀ । ୟୁଟ୍ୟୁବରେ ଏକ ରୋଷେଇ ଚ୍ୟାନେଲ ଚଳାଉଥିଲେ ଏବଂ ଏଥିପାଇଁ ସେ ନିଜର ସମସ୍ତ ଟଙ୍କା ଖର୍ଚ୍ଚ କରିଦେଇଥିଲେ । ଏମିତିକି ନିଜ ଚ୍ୟାନେଲକୁ ଲୋକପ୍ରିୟ କରାଇବା ପାଇଁ ସେ ପ୍ରାୟ ୪ ଲକ୍ଷ ଟଙ୍କାର ଋଣ ମଧ୍ୟ କରିଥିଲେ । ତେବେ, ବାରମ୍ବାର ଚେଷ୍ଟା ସତ୍ତ୍ୱେ ତାଙ୍କ ଚ୍ୟାନେଲଟି ମନିଟାଇଜ୍ ହୋଇପାରିନଥିଲା କି ତାଙ୍କ ଆଶା ଅନୁସାରେ ସବ୍ସ୍କ୍ରାଇବର ବି ପାଇନଥିଲେ । କେମିତି ଋଣ ଟଙ୍କା ପରିଶୋଧ କରିବେ ସେନେଇ ଚିନ୍ତାରେ ଥିବା ପରେ ଶେଷରେ ଚୋରି କରିବେ ବୋଲି ଭାବିନେଇଥିବେ । ଖାଲି ଭାବିଥିଲେ ତାହା ନୁହେଁ ବରଂ ଚୋରି ବି କରିଥିଲେ ।
ସମ୍ପର୍କୀୟଙ୍କ ଘରେ କଳାକନା ବୁଲାଇଲେ
ପୂରା ଘଟଣାର ପର୍ଦ୍ଦାଫାସ୍ କଲା ପୁଲିସ୍
ୟୁଟ୍ୟୁବର ଜଣକ ନିଜ ପ୍ଲାନ୍ ଅନୁସାରେ ସମ୍ପର୍କୀୟଙ୍କ ଘରେ କେହି ନଥିବା ବେଳେ ଚୋରି କରିଥିଲେ । ହେଲେ ସମ୍ପର୍କୀୟ ଜଣକ ଘରକୁ ଫେରି ଆସିବା ପରେ ସବୁ ଜାଣିବା ପରେ ପୁଲିସ୍ରେ ଅଭିଯୋଗ କରିଥିଲେ । ପରେ ପୁଲିସ୍ ତଦନ୍ତ କରି ମହିଳାଙ୍କ ସମ୍ପର୍କରେ ଜାଣିଥିଲା ଏବଂ ଗିରଫ ବି କରିଥିଲା । ମହିଳାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ପୁଲିସ୍ । ତେବେ ଘଟଣା ଜଣାପଡ଼ିବା ପରେ ସୋସିଆଲ ମିଡିଆରେ ୟୁଜର୍ସ କମେଣ୍ଟ କରୁଛନ୍ତି ଶେଷରେ ଚୋର କେମିତି ହେବେ ତାହା ବି ଶିଖାଇଦେଲା ୟୁଟ୍ୟୁବ୍ ।