କନକ ବ୍ୟୁରୋ: ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟ ୨୦୨୩ ଅନୁଯାୟୀ, ଦୁର୍ଘଟଣା ସଂଖ୍ୟା ୪,୮୦,୫୮୩କୁ ବୃଦ୍ଧି ପାଇଛି, ଯାହା କି ୨୦୨୨ରେ ୪,୬୧,୩୧୨ ଥିଲା । ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୨୦୨୩ରେ ୧,୭୨,୮୯୦ରେ ପହଞ୍ଚିଛି, ଯାହା କି ୨୦୨୨ରେ ୧,୬୮,୪୯୧ ଥିଲା । ୨୦୨୨ରେ ୪,୪୩,୩୬୬ ଜଣ ଆହତ ହୋଇଥିବା ବେଳେ ୨୦୨୩ରେ ଏହା ୪,୬୨,୮୨୫କୁ ବୃଦ୍ଧି ପାଇଛି । ବାଇକ୍ ଚାଳକମାନେ ସବୁଠାରୁ ଅଧିକ ବିପଦସଙ୍କୁଳ ଗୋଷ୍ଠୀ ହୋଇ ରହିଛନ୍ତି, ଯାହା ମୋଟ ମୃତ୍ୟୁର ୪୪.୮ ପ୍ରତିଶତ । ତା’ ତଳକୁ ପଥଚାରୀ ଏବଂ ତା’ ତଳକୁ ହାଲୁକା ମୋଟର ଯାନ ଓ ସାଇକେଲ ଚାଳକମାନେ ଦୁର୍ଘଟଣା ତାଲିକାରେ ରହିଛନ୍ତି ।

Advertisment

ଚିନ୍ତାଜନକ ବିଷୟ ହେଉଛି ଯେଉଁଠି ଜନବସତି ବଢ଼ୁଛି ଖାସ୍ କରି ସହର ଗୁଡ଼ିକର ଫୁଟ୍‌ପାଥରେ ଉଠାଦୋକାନୀଙ୍କ ଦବଦବା ଦେଖିବାକୁ ମିଳୁଛି । ଏଇ ଯେମିତି କଟକ-ଭୁବନେଶ୍ବର ଭଳି ରାଜ୍ୟର ଅନେକ ସହର ଗୁଡ଼ିକର ଫୁଟ୍‌ପାଥରେ ଉଠାଦୋକାନୀ, ଠେଲା ଗାଡ଼ିକୁ ସ୍ଥାନୀୟ ପ୍ରଶାସନ ବସିବାକୁ ଅନୁମତି ଦେଉଛି । ଏପରିକି ଫୁଟ୍‌ପାଥ ଜାମ୍ ଯୋଗୁ ପଥଚାରୀ ମାନେ ରାସ୍ତାର କଡ଼ରେ ଯିବାକୁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ଦୁର୍ଘଟଣାର ଶିକାର ଅନେକ ସମୟରେ ହେଉଛନ୍ତି । 

ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ୧୮-୪୫ ବର୍ଷ ବୟସର ପୀଡ଼ିତମାନେ ସମୁଦାୟ ମୃତ୍ୟୁର ୬୬.୪ ପ୍ରତିଶତ ଥିବା ବେଳେ ୮୩.୪ ପ୍ରତିଶତ ୧୮-୬୦ ବର୍ଷର କାର୍ଯ୍ୟ-ବୟସ ଗୋଷ୍ଠୀର ଥିଲେ । ଏହି ଢାଞ୍ଚା ସଡ଼କ ଦୁର୍ଘଟଣାର ଅର୍ଥନୈତିକ ଓ ସାମାଜିକ କ୍ଷତିକୁ ସୂଚାଇଥାଏ । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ବାରମ୍ବାର ସର୍ବସାଧାରଣ ମଞ୍ଚରେ ସଡ଼କ ଦୁର୍ଘଟଣା ଯୋଗୁଁ ଜିଡିପିର ୩% କ୍ଷତି ବିଷୟରେ କହିଛନ୍ତି । ବିଭିନ୍ନ ରାଜ୍ୟରେ ଦୁର୍ଘଟଣା ହାର ଭିନ୍ନ ଭିନ୍ନ ଥିଲା । ୨୦୨୩ରେ ତାମିଲନାଡୁରେ ସର୍ବାଧିକ ୬୭,୨୧୩ ଦୁର୍ଘଟଣା ଘଟିଥିବା ବେଳେ ଉତ୍ତରପ୍ରଦେଶରେ ସର୍ବାଧିକ ୨୩,୬୫୨ ଜଣଙ୍କ ମୃତ୍ୟୁ ଘଟିଛି ।

ସବୁଠାରୁ ବଡ଼କଥା ହେଲା ସହରଗୁଡ଼ିକ ମଧ୍ୟରେ ଜାତୀୟ ରାଜଧାନୀ ଦିଲ୍ଲୀରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ସର୍ବାଧିକ ୧୪୬୩ ଥିବା ବେଳେ ଚେନ୍ନାଇରେ ସର୍ବାଧିକ ୫୬୮୬ ସଡ଼କ ଦୁର୍ଘଟଣା ଘଟିଛି । ସଡ଼କ ଦୁର୍ଘଟଣାର କାରଣ ହେଉଛି ଡ୍ରାଇଭିଂ ଆଚରଣ । ଅତ୍ୟଧିକ ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁଁ ୬୮.୧ ପ୍ରତିଶତ ମୃତ୍ୟୁ ଘଟିଥିବା ବେଳେ ଭୁଲ ପାର୍ଶ୍ୱରେ ଗାଡି ଚଳାଇବା  ଯୋଗୁଁ ୫.୫% ଓ ମୋବାଇଲ୍ ଫୋନ୍ ବ୍ୟବହାର କରି ଗାଡ଼ି ଚଳାଇବା ଯୋଗୁଁ ୧.୯% ପ୍ରତିଶତ ମୃତ୍ୟୁ ଘଟିଛି । ରିପୋର୍ଟରେ କୁହାଯାଇଛି ଯେ ୬୭% ଦୁର୍ଘଟଣା ସିଧା ରାସ୍ତାରେ ଘଟିଥିବା ବେଳେ ବଙ୍କା, ଖରାପ କିମ୍ବା ଖାଲଖମାରେ ୧୪.୪୭ ପ୍ରତିଶତ ଦୁର୍ଘଟଣା ଘଟିଛି । ଆବାସିକ ଓ ସଂସ୍ଥାଗତ ଜୋନ୍ ତୁଳନାରେ ଖୋଲା ସ୍ଥାନରେ ଦୁର୍ଘଟଣା ଅଧିକ ଦେଖିବାକୁ ମିଳିଛି ।