କନକ ବ୍ୟୁରୋ: ଆର୍ଜେଣ୍ଟିନାର କିଂବଦନ୍ତି ଫୁଟବଲର୍ ଲିଓନେଲ ମେସି ଆସନ୍ତା ଡିସେମ୍ବରରେ ଭାରତ ଗସ୍ତରେ ଆସିବେ । ଏହି ଗସ୍ତ ସମୟରେ ସେ କୋଲ୍କାତା, ଅହମ୍ମଦାବାଦ, ମୁମ୍ବାଇ ଓ ନୂଆଦିଲ୍ଲୀରେ ରହିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ମେସି କୋଲ୍କାତାରେ ୭୦ଫୁଟ୍ ଉଚ୍ଚ ନିଜର ଏକ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ଗୋଟ୍ କପ୍ ଇଭେଣ୍ଟରେ ଯୋଗଦେବେ । ଏହା ସହିତ ଛୋଟପିଲାଙ୍କ ସହ କିଛି ସମୟ ଅତିବାହିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ଆସନ୍ତା ଡିସେମ୍ବର ୧୨ ତାରିଖରେ ଲିଓନେଲ୍ ମେସି ରାତି ୧୦ଟାରେ କୋଲ୍କାତା ବିମାନବନ୍ଦରରେ ପହଞ୍ଚିବେ । ଏହା ପରଦିନ ଲେକ୍ ଟାଉନ୍ ଶ୍ରୀଭୂମିସ୍ଥିତ ଭିଆଇପି ରୋଡ୍ରେ ଏହି ବିଶ୍ଵକପ୍ ବିଜେତା ଅଧିନାୟକ ନିଜର ପ୍ରଥମ ଓ ଉଚ୍ଚତମ ପ୍ରତିମୂର୍ତ୍ତି ଅନାବରଣ କରିବେ । ସେହିଦିନ ଇଡେନ୍ ଗାର୍ଡେନ୍ସରେ ସେଭେନ୍ ସାଇଡ୍ ସଫ୍ଟବଲ୍ ପ୍ରତିଯୋଗିତା ଗୋଟ୍ କମ୍ରେ ଭାଗନେବେ । ଯେଉଁ ପ୍ରତିଯୋଗିତାରେ ସୌରଭ ଗାଙ୍ଗୁଲି, ଲିଆଣ୍ଡର ପେସ୍, ଜନ୍ ଆବ୍ରାହମ୍, ବାଇଚୁଙ୍ଗ ଭୂତିଆଙ୍କ ଭଳି ତାରକାମାନେ ଅଂଶଗ୍ରହଣ କରିବେ । ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଡେନ୍ ଗାର୍ଡେନ୍ସରେ ତାଙ୍କୁ ସମର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ଡିସେମ୍ବର ୧୩ ତାରିଖ ସଂଧ୍ୟାରେ ମେସି ଅହମ୍ମଦାବାଦ ଗସ୍ତ କରି ଆଦାନୀ ଫାଉଣ୍ଡେସନ୍ର ଶାନ୍ତିଗ୍ରାମ ମୁଖ୍ୟାଳୟରେ ଏକ ଘରୋଇ କାର୍ଯ୍ୟରେ ଯୋଗଦେବେ । ୧୪ରେ ମୁମ୍ବାଇ ଗସ୍ତ କରି ଭାରତୀୟ ସେଲିବ୍ରିଟିଙ୍କ ସହ କ୍ରିକେଟ୍ ଖେଳିବେ ଏବଂ ଭାରତୀୟ ଫୁଟବଲ୍ ଦଳକୁ ଭେଟିବାର ମଧ୍ୟ ଯୋଜନା ରହିଛି । ୧୫ତାରିଖରେ ଦିଲ୍ଲୀ ଗସ୍ତରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଏବଂ ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଫୁଲର୍ ଏବଂ କୁନି ପିଲାଙ୍କ ସହ ମିଶିବାର କାର୍ଯ୍ୟକ୍ରମ ରହିଛି ।