କନକ ବ୍ୟୁରୋ : ଦ୍ବାପରରେ ଯାଜ୍ଞସେନୀ ଯେତେବେଳେ କୁରୁସଭାରେ ଦୁଇ ହସ୍ତ ଟେକି ଦ୍ବାରିକାଧିଶଙ୍କୁ ଡାକ ପକାଇଲେ କୋଟି ବସ୍ତ୍ର ଦେଇ ଲଜ୍ଜା ନିବାରଣ କରିଥିଲେ ଦେବକୀ ନନ୍ଦନ ଶ୍ରୀକୃଷ୍ଣ । କିନ୍ତୁ କଳିର ଯାଜ୍ଞସେନୀ କାହାକୁ ଡାକିବେ ? କିଏ ଶୁଣିବ କଳିଙ୍ଗ ନନ୍ଦିନୀଙ୍କ କାନ୍ଦ ? ୨୦ ଦିନ ଭିତରେ ମହାମାରୀ ଭଳି ବ୍ୟାପିଗଲାଣି ନାରୀ ନିର୍ଯାତନା । କେଉଁଠି ନ୍ୟାୟ ନ ପାଇ ନିଜେ ଜଳୁଛନ୍ତି ତ ଆଉ କେଉଁଠି ଘରୁ ଉଠାଇ ନେଇ ଜାଳି ଦେଉଛନ୍ତି । ଦୁଷ୍କର୍ମ, ଗଣଦୁଷ୍କର୍ମ, ନାବାଳିକା ହତ୍ୟା, ଛାତ୍ରୀ ନିର୍ଯାତନା କେତେ କ’ଣ । ଟିଭି ପରଦାରେ ଆଜି ଗୋଟିଏ ନିର୍ଯାତନାର ଖବର ବାଜିଲେ କାଲି ଆଉ ଗୋଟିଏ ସ୍ଥାନରୁ ନିର୍ଯାତନାର ଯାତନା ଆସି ପହଞ୍ଚୁଛି । ଆଜି ଅମକ ଜାଗାରେ ଝିଅକୁ ଘରୁ ଟେକି ନେଇ ପୋଡ଼ି ଦେଇଛନ୍ତି , କାଲି ସମକ ଜାଗାରେ ନ୍ୟାୟ ନ ପାଇ ଝିଅ ଆତ୍ମହତ୍ୟା କରିଛି । ଅଧ୍ୟାପକଙ୍କ ଅନ୍ୟାୟ ଯୋଗୁଁ ଛାତ୍ରୀ ଆତ୍ମହତ୍ୟା … କ’ଣ ଏଥିପାଇଁ ବାପା ମା’ କରନ୍ତି ଝିଅ ଜନ୍ମ ?
/filters:format(webp)/kanak/media/media_files/2025/07/20/burn-2025-07-20-13-53-50.jpg)
ନିଜର ଡଉଲଡ଼ାଉଲ ଝିଅକୁ କ’ଣ ଦରପୋଡ଼ା କାଠ ପରି ଦେଖିପାରିବେ ବାପା’ମା ? ରାଜନୀତିର ରୁଟି ସେକୁଥିବା ଲୋକଙ୍କ ହୋହଲ୍ଲା ଭିତରେ ଗୁମୁରି ଗୁମୁରି କାନ୍ଦୁଥିବା ପୀଡ଼ିତାର ପରିବାରର କାନ୍ଦ କ’ଣ କାହା କାନରେ ପଡୁନି ? କ’ଣ ଭୁଲ୍ ଥିଲା ତାଙ୍କ ଝିଅର ? ଆଉ କେତେ କାନ୍ଦିବେ ମହିଳା ? ନିଆଁର ଆଁରେ ଆଉ କେତେ ଜଳିବେ ନାରୀ ? ରାକ୍ଷସରୂପୀ ଦାନବଙ୍କ କବଳରୁ କେବେ ମୁକ୍ତ ହେବେ ମହିଳା । ସାନ୍ତ୍ବନା , ସମବେଦନା , ସାହାଯ୍ୟ କରିବାକୁ ଲୋକ ଚାଲିଆସିବେ କିନ୍ତୁ କ’ଣ ବାପା, ମା’ କୋଳକୁ ଫେରାଇ ପାରିବେ ତାଙ୍କ ଝିଅ ? କନ୍ୟା ଜନ୍ମ କ’ଣ କାନ୍ଦିବା ପାଇଁ କରିଥିଲେ ବାପା,ମା’? ସରକାର ବେଟି ପଢ଼ାଓ , ବେଟି ବଚାଓ ନାରା ଲଗାଇଲେ କ’ଣ ହେବ ଝିଅ ବଞ୍ଚିଥିଲେ ସିନା ପଢ଼ିବ ଏବଂ ବଢ଼ିବ । ଏ ଦାନବ ତ ଝିଅଙ୍କୁ ଝୁଣି ଖାଇବାରେ ବ୍ୟସ୍ତ ଏମିତିରେ କେମିତି ଝିଅ ଆଗକୁ ବଢ଼ିବ । ବୋଧହୁଏ ଶ୍ରୀକୃଷ୍ଣଙ୍କ ଧରାବତରଣ କରିବାର ସମୟ ଆସିଗଲାଣି .. ହେ କୃଷ୍ଣ ଆସ ଶହ ଶହ ଦ୍ରୌପଦୀ କ୍ରନ୍ଦନ କରୁଛନ୍ତି , ଦାନବର ସଂହାର କରି ଉଦ୍ଧାର କର ପ୍ରଭୁ ଉଦ୍ଧାର କର ।