କନକ ବ୍ୟୁରୋ: ବଜାରରେ ନାନା ପ୍ରକାର ଅପମିଶ୍ରିତ ଖାଇବା ତେଲ ମିଳୁଛି । ଏହି ତେଲ ବ୍ୟବହାର କରି ଲୋକ ରୋଗରେ ପଡୁଛନ୍ତି । କିନ୍ତୁ ଚାଷୀ ନିଜେ ସୂର୍ଯ୍ୟମୁଖୀ ଚାଷ କରି ତେଲ ବାହାର କରୁଥିବାରୁ ସେଥିରେ ଏହି ଆଶଙ୍କା ନାହିଁ । ଯାହା ସମସ୍ତଙ୍କ ପାଇଁ ଭଲ ସାବ୍ୟସ୍ତ ହୋଇଛି । ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଚାଷୀ ଏବେ ସୂର୍ଯ୍ୟମୁଖୀ ଚାଷ କରିବା ସହିତ ସେଥିରୁ ତେଲ ପ୍ରସ୍ତୁତ କରି ବେଶ୍ ଲାଭ ପାଉଛନ୍ତି ।
ସୂର୍ଯ୍ୟମୁଖୀ ତେଲ
ଖାଉଟି ଖୁସ୍, ଚାଷୀ ମାଲାମାଲ
ହସୁଛି ସୂର୍ଯ୍ୟମୁଖୀ । ହଳଦୀ ଓ ସବୁଜ ରଙ୍ଗର ଶାଢ଼ି ପିନ୍ଧି ନବବଧୂ ପରି ସଜେଇ ହୋଇଛି କ୍ଷେତ । ଆଖି ଯେଉଁଆଡ଼େ ବୁଲେଇବେ ସବୁଆଡ଼େ ଖାଲି ସୂର୍ଯ୍ୟମୁଖୀ ଆଉ ସୂର୍ଯ୍ୟମୁଖୀ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ସୀମାପଲ୍ଲୀର ଚାଷୀମାନେ ପଡ଼ିଆ ଜମିରେ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି । ଧାନଚାଷ ପରେ ସୂର୍ଯ୍ୟମୁଖୀ ଚାଷ କରୁଛନ୍ତି ଅଞ୍ଚଳର ଚାଷୀ । ଚାଷୀଙ୍କୁ ମିଳୁଛି ଦୁଇଗୁଣା ଲାଭ । ଏହି ଚାଷ ଖୁବ୍ କମ୍ ଦିନରେ ହୋଇଥାଏ । ୩- ୪ ମାସ ଲାଗିଥାଏ । ଅର୍ଥକାରୀ ଫସଲ ହୋଇଥିବାରୁ ଏହି ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢୁଛି । ଧାନଚାଷଠାରୁ ଅଧିକ ଲାଭ ହେଉଛି ଏହି ଚାଷରେ । ୩ ମାସରେ ୨- ୩ ଲକ୍ଷ ଟଙ୍କା ଲାଭ ବି ମିଳୁଛି ।
ସୀମାପଲ୍ଲୀ ଗାଁର ଦୁଇ ବନ୍ଧୁ ନିରଞ୍ଜନ ଓ ଅଜୟ କୁମାର ପ୍ରଥମେ ସୂର୍ଯ୍ୟମୁଖୀ ଚାଷ ଆରମ୍ଭ କରିଥିଲେ । ପରେ ଅନ୍ୟଚାଷୀମାନେ ଏହି ଚାଷ ଆପଣାଇଛନ୍ତି । ଧାନ ପରେ ପଡ଼ିଆ ପଡ଼ିଥିବା ଜମିକୁ ଚାଷ କରି ସେଥିରେ ସେମାନେ ସୂର୍ଯ୍ୟମୁଖୀ ମଞ୍ଜି ବୁଣିଥିଲେ । ଗଛ ବଡ଼ ହେବାପରେ କୋଡ଼ାଖୋସା କରି ପାଣି ମଡ଼ାଇଥିଲେ । ଏବେ ସବୁ ଗଛରେ ଫୁଲ ଫୁଟିଛି । ଫୁଲ ପାକଳ ହେବା ପରେ ତାକୁ ତୋଳି ସେଥିରୁ ମଞ୍ଜି ବାହାର କରାଯାଉଛି । ମଞ୍ଜିକୁ ପେଡ଼ି ଚାଷୀ ସେଥିରୁ ତେଲ ବାହାର କରୁଛନ୍ତି । ନିଜେ ବ୍ୟବହାର କରିବା ସହ ସୂର୍ଯ୍ୟମୁଖୀ ତେଲ ଅନ୍ୟମାନଙ୍କୁ ବିକ୍ରି କରୁଛନ୍ତି ।
କେମିକାଲ ମିଶି ନଥିବାରୁ ବିଭିନ୍ନ ଅଞ୍ଚଳରୁ ଖାଉଟି ଓ ବେପାରୀ ଆସି ସୀମାପଲ୍ଲୀ ଗାଁରୁ ସୂର୍ଯ୍ୟମୁଖୀ ତେଲ କିଣି ନେଉଛନ୍ତି । ଧାନଚାଷ ପରେ ଦୁଇ ତିନି ମାସରେ ଏଠିକାର ଚାଷୀ ଭଲ ରୋଜଗାର କରୁଛନ୍ତି ।
(ଖୋର୍ଦ୍ଧାରୁ ରମେଶ ସାହୁଙ୍କ ରିପୋର୍ଟ)