କନକ ବ୍ୟୁରୋ: ଦଇବ ଦେଇଛି ଦାରୁଣ ଦୁଃଖ । ରୋଗ ଯନ୍ତ୍ରଣାରେ ଯୁଝି ହେଉଛି ଗୋଟିଏ ପରିବାର । ୯ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଦାନ ଯୋଗାଡ଼ କରିବାକୁ ରାଜମିସ୍ତ୍ରୀ ହେଲପର ସାଜିଛି ଘରର ସାନ ପୁଅ । ୨ ରୋଜଗାରିଆ ପୁଅ ରୋଗିଣା । ଆଉ ଜଣେ ଦାଦନ ଖଟିବାକୁ ଯାଇ ତା’ ପତ୍ତା ମିଳୁନି । ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି ଭଦ୍ରକ ଚାନ୍ଦବାଲିର ଅସହାୟ ପରିବାର।

Advertisment

କଥାରେ ଅଛି, ଦୁଃଖ ଯେତେବେଳେ ଆସେ ସାଥିରେ ସାଙ୍ଗସାଥିଙ୍କୁ ଧରି ଆସେ । ଯେଉଁଠି ସେ ସବାର ହୁଏ, ସେଠି ଜୀବନ ଗତି ବଦଳିଯାଏ । ଦାନା ଗଣ୍ଡାଏ ଖାଇ ବଞ୍ଚିବା ଅସହଜ ହୋଇପଡ଼େ । ଏଇ ଏବେ ଯେମିତି ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଚାନ୍ଦବାଲି ବିଜ୍ଞପିତ ଅଞ୍ଚଳ ପାହାଡ଼ପୁର ଗାଁର ଘନଶ୍ୟାମଙ୍କ ପରିବାର । ସମସ୍ତେ ରୋଗାକ୍ରାନ୍ତ ହୋଇଛନ୍ତି । ବାପା ହୃଦ୍‌ରୋଗ ପୀଡ଼ିତ । ମାଆ ବି ରୋଗିଣା । ବଡ଼ ପୁଅର ୨ଟି କିଡ୍‌ନି ନଷ୍ଟ ହୋଇଯାଇଛି । ଦାଦନ ଖଟି ଯାଇଥିବା ବଡ଼ ମଝିଆ ପୁଅର ଖୋଜଖବର ନାହିଁ । ଦୁର୍ଘଟଣାରେ ଗୋଡ଼ ହାତ ଭାଙ୍ଗି ଘରେ ପଡ଼ିଛି ସାନ ମଝିଆ ପୁଅ । ସାନ ପୁଅ ରାଜମିସ୍ତ୍ରୀ ହେଲ୍ପର ଭାବେ କାମ କରି ଯାହା ରୋଜଗାର କରୁଛି ସେଥିରେ ପୂରା ପରିବାର ଚଳୁଛି ।

ଘରେ ଚାରି ଚାରି ଜଣ ରୋଗୀ । ଦିନକୁ ଦୁଇ ଓଳି ଦାନା ଯୋଗାଡ଼ କରିବାକୁ ସଂଘର୍ଷ କରୁଥିବା ପରିବାର ଚିକିତ୍ସା ଖର୍ଚ୍ଚ ବହନ କରିବା ଅସମ୍ଭବ । ବଡ଼ ପୁଅ କାଳନ୍ଦୀଙ୍କ କିଡ୍‌ନି ରୋଗର ଚିକିତ୍ସା ପାଇଁ ଆବଶ୍ୟକ ୧୦ ଲକ୍ଷରୁ ଅଧିକ ଟଙ୍କା । ଏତେ ଟଙ୍କା କେଉଁଠୁ ଆସିବ, ଏକଥା ଭାବି ଭାବି ଆଖିରୁ ଲୁହ ଗଡ଼ାଉଛି ଏହି ଅଭାବୀ ପରିବାର । 

ସରକାରୀ ସହାୟତା କହିଲେ ବୁଢ଼ୀ ମା’ର ଭତ୍ତା ଆଉ ରାସନ କାର୍ଡରେ ମିଳୁଥିବା ୨୦ କେଜି ଚାଉଳ । ସରକାର ହୁଅନ୍ତୁ କେହି ସହୃଦୟ ବ୍ୟକ୍ତି ଏ ପରିବାରକୁ ସହଯୋଗରେ ହାତ ବଢ଼ାଇଲେ ସେମାନେ ଉପକୃତ ହୋଇପାରନ୍ତେ ।

ସାହାଯ୍ୟ ପାଇଁ ଚାହୁଥିଲେ

ନାମ-ଦୀପାଞ୍ଜଳି ଦାସ
SBI, ବାଲିଗାଁ ଶାଖା, ଚାନ୍ଦବାଲି
A/C- 43584496773 
IFSC- SBIN0009823
ମୋବାଇଲ ନଂ- 7381767446

(ଚାନ୍ଦବାଲିରୁ ଅରୁଣ ସାହୁଙ୍କ ରିପୋର୍ଟ)