କନକ ବ୍ୟୁରୋ: ସନାତନ ଧର୍ମଗୁରୁ ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ଏବେ ଏକ ଭୟଙ୍କର ରୂପ ନେଇଛି। ଏହି ମାମଲାରେ FIR ଦାୟର କରିଥିବା ଆଶୁତୋଷ ବ୍ରହ୍ମଚାରୀଙ୍କ ବିରୋଧରେ ଏବେ ହିନ୍ଦୁ ସଂଗଠନଗୁଡ଼ିକ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି କ୍ରମରେ ଶ୍ରୀକୃଷ୍ଣ ଜନ୍ମଭୂମି ସଂଘର୍ଷ ନ୍ୟାସର ଅଧ୍ୟକ୍ଷ ଫଳାହାରୀ ମହାରାଜ ଏକ ବିବାଦୀୟ ଘୋଷଣା କରି ସମଗ୍ର ଦେଶରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି ।

Advertisment

ଫଳାହାରୀ ମହାରାଜ ଘୋଷଣା କରିଛନ୍ତି ଯେ, ଯିଏ ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିବା ଆଶୁତୋଷ ବ୍ରହ୍ମଚାରୀଙ୍କ 'ନାକ କାଟିବ' ତାକୁ ୨୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯିବ । ସେ ଆଶୁତୋଷଙ୍କୁ ଜଣେ 'ଗୋ-ହତ୍ୟାକାରୀ' ଏବଂ 'ଅପରାଧୀ' ଭାବେ ସମ୍ବୋଧିତ କରି କହିଛନ୍ତି ଯେ, ଶଙ୍କରାଚାର୍ଯ୍ୟଙ୍କ ଭଳି ପୂଜନୀୟ ବ୍ୟକ୍ତିଙ୍କ ବିରୋଧରେ ଏପରି ଘୃଣ୍ୟ ଅଭିଯୋଗ ଆଣି ସେ ୧୨୫ କୋଟି ହିନ୍ଦୁଙ୍କ ଆସ୍ଥାକୁ ଆଘାତ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଏନ୍‌ସିଇଆରଟି ବହି ଉପରେ ବ୍ୟାନ୍ ଲଗାଇଲେ ସୁପ୍ରିମକୋର୍ଟ

ପ୍ରୟାଗରାଜର ଏକ ପୋକ୍ସୋ କୋର୍ଟର ନିର୍ଦ୍ଦେଶକ୍ରମେ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ଏବଂ ତାଙ୍କ ଶିଷ୍ୟ ମୁକୁନ୍ଦାନନ୍ଦଙ୍କ ବିରୋଧରେ FIR ରୁଜୁ ହୋଇଛି । ଆଶୁତୋଷ ବ୍ରହ୍ମଚାରୀ ଅଭିଯୋଗ କରିଥିଲେ ଯେ, ମାଘ ମେଳା ସମୟରେ ଆଶ୍ରମରେ ଦୁଇଜଣ ନାବାଳକ ଶିଷ୍ୟଙ୍କୁ ଯୌନ ନିର୍ଯାତନା ଦିଆଯାଇଛି । ପୁଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିବା ବେଳେ ଶଙ୍କରାଚାର୍ଯ୍ୟ ଏହି ସମସ୍ତ ଅଭିଯୋଗକୁ ମିଥ୍ୟା ଓ ମନଗଢ଼ା ବୋଲି କହିଛନ୍ତି ।

ଶଙ୍କରାଚାର୍ଯ୍ୟଙ୍କ ସମର୍ଥକମାନେ ଦାବି କରିଛନ୍ତି ଯେ ଆଶୁତୋଷ ବ୍ରହ୍ମଚାରୀଙ୍କ ନିଜସ୍ୱ ଅପରାଧିକ ଇତିହାସ ରହିଛି । ସେ ଜଣେ 'ହିଷ୍ଟ୍ରିସିଟର' ଏବଂ ପୂର୍ବରୁ ତାଙ୍କ ନାମରେ ଅନେକ ମାମଲା ରହିଛି । ଅନ୍ୟପଟେ, ଆଶୁତୋଷ କହିଛନ୍ତି ଯେ ସେ କେବଳ ପୀଡ଼ିତ ଶିଷ୍ୟମାନଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ କରୁଛନ୍ତି । ଏପଟେ ଏହି ଘଟଣାକୁ ନେଇ ଉତ୍ତର ପ୍ରଦେଶରେ ରାଜନୀତି ମଧ୍ୟ ସରଗରମ ହୋଇଛି । କଂଗ୍ରେସ ନେତା ଅଜୟ ରାୟ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ସମର୍ଥନ ଜଣାଇଥିବା ବେଳେ, ଅନ୍ୟ କେତେକ ହିନ୍ଦୁ ସଂଗଠନ ଏହାକୁ ସନାତନ ଧର୍ମ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି ଅଭିହିତ କରିଛନ୍ତି । ଫଳାହାରୀ ମହାରାଜଙ୍କ ଏହି ହିଂସାତ୍ମକ ବୟାନ ପରେ ପ୍ରଶାସନ ସଜାଗ ହୋଇଛି ଏବଂ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି ।