କନକ ବ୍ୟୁରୋ: ସେ ଲୁହ କେବଳ କାଳିଆ ପାଇଁ, ଭାବ ବି ସେ ଭାବର ଠାକୁର ଭାବବିନୋଦିଆ ପାଇଁ । ପୋଡ଼ା ପାଉଁଶର ପାହାଡ଼ ଭିତରେ ଯେବେ ଦାରୁଦିଅଁଙ୍କ ସହ ଅଗ୍ନିଯୋଦ୍ଧାଙ୍କ ଆଖି ମିଶେ, ସେତେବେଳେ ଆପେ ଆପେ ନଇଁଯାଏ ମଥା, ଦଣ୍ଡବତ ହେବାକୁ ଉଠିଯାଏ ଦୁଇ ହାତ । ନିଆଁର ନାଲି ଆଖିକୁ ଖାତିର ନକରି, ଚକାଆଖି ସହ ଆଖି ମିଶାଇ ଘଡ଼ିଏ ଅଟକି ଗଲେ ଅଗ୍ନିଶମ ଯୋଦ୍ଧା । କାଳିଆ ମୁହଁରେ ପାଉଁଶ ଲାଗିଥିବାର ଦେଖି ଅଗ୍ନିଯୋଦ୍ଧା ଜଣକ ମହାପ୍ରଭୁଙ୍କ ମୁହଁକୁ ନିଜ ହାତରେ ପୋଛି ଦେଲେ । ମୁଣ୍ଡିଆ ମାରି ତାଙ୍କୁ ସୁରକ୍ଷିତ ସ୍ଥାନରେ ରଖିଦେଇ ବଖାଣିଛନ୍ତି ସେ ସମୟର ଭାବୁକ ମୁହୂର୍ତ୍ତ ।
ବୁଧବାର ବାଲେଶ୍ବର କଲେଜ ରୋଡ୍ ସ୍ଥିତ ଏକ ଷ୍ଟେସନାରି ଦୋକାନ ଜଳିପୋଡ଼ି ପାଉଁଶ ହୋଇଗଲା । ନିଆଁକୁ ଆୟତ୍ତ କରିବାକୁ ୩୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ଲାଗିଥିବା ବେଳେ ପୋଡ଼ା ଜିନିଷ ସଫା କରୁ କରୁ ବିଶ୍ୱଜିତ୍ ଧୂଆଁ ଭିତରେ କାଳିଆ ସାଆନ୍ତଙ୍କୁ ଦେଖିବାକୁ ପାଇଥିଲେ । ପାଉଁଶ ହୋଇଯାଇଥିବା ଦୋକାନ ଭିତରେ କାଳିଆ ସେମିତି ରାଜା ଭଳି ବସିଥିଲା । କଳା ଧୂଆଁ ଯେମିତି କାଳିଆ ଆଖିରେ କଜଳର ଧାର ଲଗାଇ ତାଙ୍କୁ ଶୃଙ୍ଗାର କରିଥିଲା, ଆଉ ଅଗ୍ନିଦେବ ଯେମିତି ମହାପ୍ରଭୁଙ୍କୁ ଦେଖି ଶାନ୍ତ ପଡ଼ିଯାଇଥିଲେ । ଏସବୁ ଭିତରେ କାଳିଆର ସେ କଳା ପଡ଼ିଯାଇଥିବା ମୂର୍ତ୍ତି ଉପରେ ବିଶ୍ବଜିତଙ୍କ ନଜର ପଡ଼ିଥିଲା । ଓଃ କି ଭାବପ୍ରବଣ ଦୃଶ୍ୟ...
ସତରେ ସେ ପରା କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି । କେମିତି ବା ତାଙ୍କୁ ଦେଖି ଭାବୁକ ନହେବ କହିଲ । ସେତେବେଳର ସେ ମୁହୂର୍ତ୍ତ ବଖାଣିଥିବା ଅଗ୍ନିଯୋଦ୍ଧାଙ୍କ ଆଖି ଲୁହର ଲହଡ଼ି ଭାଙ୍ଗୁଛି । ଏଥିରୁ ଜଣାପଡ଼ୁଛି ସେ ଚକାଆଖିର ଚମତ୍କାର କେତେ, ଯିଏ ଥରେ ଦେଖିଦିଏ, ସେ ଫସିଯାଏ । ଯେତେ କଷ୍ଟ ଯେତେ ଦୁଃଖ ଥାଉ ସେ ସବୁକୁ ଦୂର କରିଦିଏ । ଜୟ ଜଗନ୍ନାଥ...