କନକ ବ୍ୟୁରୋ: ବିଜିନେସ୍ ମ୍ୟାନ୍, ଲକ୍ଷପତି, କୋଟିପତି ମାନେ ଆୟକର ଦିଅନ୍ତି ବୋଲି ଆପଣ ଜାଣିଥିବେ । ହେଲେ ଜାଣିଛନ୍ତି କି ଓଡ଼ିଶାର ଏମିତି ଏକ ଜିଲ୍ଲା ଅଛି ଯେଉଁଠାରେ ଦାଦନ ବି ଦେଉଛନ୍ତି ଆୟକର ଟିକସ ବା ଇନକମ୍ ଟ୍ୟାକ୍ସ । ଏ ଖବର ବ୍ୟାପିବା ପରେ ଏବେ ପୂରା ଜିଲ୍ଲା ପ୍ରଶାସନର ବ୍ୟବସ୍ଥା ଓ ସର୍ଭେ ଉପରେ ଶହେ ପ୍ରଶ୍ନ ଉଠିଛି ।

Advertisment

ଅର୍ଥାଭାବରୁ ଗରିବ ପରିବାର ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବା ଖବର ନୂଆପଡ଼ା ଜିଲ୍ଲା ପାଇଁ କିଛି ନୂଆ ନୁହେଁ । ହେଲେ ଆୟକର ଦେଉଥିବା ବା ଆଇଟି ରିଟର୍ଣ୍ଣସ ଫାଇଲ କରୁଥିବା ଦାଦନ ଶ୍ରମିକ ବି ଦୁନିଆରେ ଥିବେ, ତାହାକୁ କେହି ବି ସହଜରେ ଗ୍ରହଣ କରିବେ ନାହିଁ । ହେଲେ ନୂଆପଡ଼ା ଜିଲ୍ଲା ପ୍ରଶାସନର ଭୁଲ୍‌ ସର୍ଭେ ପାଇଁ ଆଜି ସବୁ ଯୋଜନାରୁ ବଞ୍ଚିତ ହୋଇ ଦହଗଞ୍ଜ ହେଉଛନ୍ତି ଦାଦନ ପରିବାର ।

କୋମନା ବ୍ଲକ୍‌ ଅନ୍ତର୍ଗତ ବିଲାଇଅଞ୍ଜର ଗାଁର ଶ୍ରମିକ ଘାସିରାମ ତାଣ୍ଡି । ସମ୍ପତି କହିଲେ ମାତ୍ର ଦୁଇ ବଖରା ଭଙ୍ଗାଦଦରା ଘର । କେତେବେଳେ ମାଟିରେ ମିଶିଯିବ ତାହା ବି କହିବା ମୁସ୍କିଲ । ସ୍ତ୍ରୀ ଗୋଲାପୀ ତାଣ୍ଡି, ଚାରି ଝିଅ ଓ ଗୋଟିଏ ପୁଅ ସମେତ ସାତଜଣଙ୍କୁ ନେଇ ତାଙ୍କ ସଂସାର । ଝିଅ ପୁଷ୍ପା ତାମିଲନାଡୁରେ ଏକ କମ୍ପାନିରେ ଶ୍ରମିକ ଭାବେ କାମ କରୁଛନ୍ତି । ଦୀପା ଆଇଟିଆଇ ପଢ଼ୁଥିବାବେଳେ ଅର୍ଥାଭାବରୁ ଗୀତା ପାଠ ଛାଡ଼ି ଦେଇଛନ୍ତି । ମମିତା ସପ୍ତମ ଓ ପରେଶ ତୃତୀୟରେ ପାଠ ପଢୁଛନ୍ତି । ଜମିଜମା କିଛି ନାହିଁ । ପେଟ ଆଉ ପିଲାଙ୍କ ପାଠ ପାଇଁ ଘାସିରାମ ଓ ସ୍ତ୍ରୀ ଗୋଲାପୀ ବର୍ଷକ ଛଅ ମାସ ପିଲାଛୁଆଙ୍କୁ ଅନ୍ୟ ଜିମାରେ ଦେଇ ବାହାର ରାଜ୍ୟରେ ଦାଦନ ଖଟନ୍ତି । ଗରିବ ପରିବାର ବୋଲି ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇଥିଲେ କିନ୍ତୁ କର୍ମଚାରୀଙ୍କ ଭୁଲ୍‌ ସର୍ଭେ ପାଇଁ ଏବେ ସେ ସରକାରଙ୍କ ନଜରରେ ଆୟକରଦାତା ।

ସବୁଠାରୁ ଆଶ୍ଚର୍ଯ୍ୟକଥା ହେଉଛି ଘାସିରାମ ବର୍ଷକୁ ଦୁଇଲକ୍ଷ ପଚାଶ ହଜାର ଟଙ୍କା ଇନକମ୍ ଟ୍ୟାକ୍ସ ଦେଉଥିବା ଅନ୍‌ଲାଇନ୍‌ରେ ଦର୍ଶାଯାଇଛି । ଯାହାଫଳରେ ଏହି ଗରିବ ପରିବାର ସୁଭଦ୍ରା ଯୋଜନା, ରାସନ୍‌ କାର୍ଡ ଆଦି ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି । ଏମିତିକି ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହୋଇ ପାଉଥିବା ଚାଉଳରୁ ମଧ୍ୟ ବାଦ୍‌ ପଡ଼ିଛନ୍ତି । ଭଙ୍ଗାଘରେ ଭାଗ୍ୟକୁ ଆଦରି ଜୀବନ ଜିଉଁଛନ୍ତି ଘାସିରାମଙ୍କ ପରିବାର । ସୁଭଦ୍ରା ଯୋଜନାରେ ସାମିଲ ହୋଇ ପ୍ରଥମ କିସ୍ତି ମା’ ଓ ଝିଅ ପାଇଥିଲେ । ହେଲେ ଦ୍ବିତୀୟ କିସ୍ତି ବେଳକୁ ଆଉ ଟଙ୍କା ଆସିଲାନି । ସରକାରଙ୍କ ମାଗଣା ଚାଉଳରୁ ପେଟକୁ ଦାନା ମିଳୁଥିଲା । ଅଥଚ ରାସନ୍‌ କାର୍ଡ ବି କଟିଗଲା । 

ଯଦି ଘାସିରାମଙ୍କ ଭଳି ଦାଦନ ଶ୍ରମିକ ଏମିତି ସରକାରୀ ବ୍ୟବସ୍ଥାର ଚକ୍ରବ୍ୟୁହର ଶିକାର ହେଉଛନ୍ତି ତେବେ ରାଜ୍ୟରେ ଅପହଞ୍ଚ ଇଲାକାରେ କେମିତି ଥିବ ଚିତ୍ର ତାହା ଆପଣମାନେ ଅନୁମାନ କରିପାରୁଥିବେ ।