କନକ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଡେରାଡୁନ ଗସ୍ତ ବେଳେ ସେ କେତେ ମେଳାପୀ ଆଉ କେତେ ସ୍ନେହୀ ତାହାର ଝଲକ ଦେଖିବାକୁ ମିଳିଛି । ଭାରତର ପ୍ରିୟ ମ୍ୟାଡାମ୍ ପ୍ରେସିଡେଣ୍ଟଙ୍କ ସମ୍ମୁଖରେ ଗୀତ ଗାଉଥିଲେ କୁନି କୁନି ପିଲା, ମଞ୍ଚ ଉପରେ କାନ୍ଦି ପକାଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଡେରାଡୁନ ଗସ୍ତ ସମୟରେ ରାଷ୍ଟ୍ରପତିଙ୍କ ସେହି ଭାବୁକ ହେବା ମୁହୂର୍ତ୍ତ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପାଲଟିଛି ।

Advertisment

ଗତ ୨୦ ତାରିଖ ଦିନ ଡେରାଡୁନରେ ଆୟୋଜିତ ରାଷ୍ଟ୍ରୀୟ ଦୃଷ୍ଟି ଦିବ୍ୟାଙ୍ଗଜନ ସଶକ୍ତୀକରଣ ଉତ୍ସବରେ ସାମିଲ ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବଡ଼କଥା ହେଲା ଗତ ଶୁକ୍ରବାର ଦିନ ରାଷ୍ଟ୍ରପତିଙ୍କ ଜନ୍ମଦିନ ଥିବାରୁ କୁନିକୁନି ଦୃଷ୍ଟିବାଧିତ ପିଲାମାନେ ଗୀତ ବୋଲି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଆଉ ଛୋଟପିଲାଙ୍କ ସ୍ବରରୁ ଗୀତ ଶୁଣି ଭାବୁକ ହୋଇଯାଇଥିଲେ ମହାମହିମ ମୁର୍ମୁ । 

ଓଡ଼ିଆ ଝିଅ ତଥା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶର ପ୍ରଥମ ନାଗରିକ, ସର୍ବୋଚ୍ଚ ପଦବୀରେ ପଦାସୀନ ଥିବା ମହିଳା । ରାଇସିନା ହିଲରେ ରହୁଥିଲେ ମଧ୍ୟ ରାଇରଙ୍ଗପୁରର ଝିଅ ତଥା ଭାରତର ରାଷ୍ଟ୍ରପତି ମୁର୍ମୁଙ୍କ ଆଚାର, ବ୍ୟବହାର, ସଂସ୍କାରରେ ସବୁବେଳେ ଜଣେ ଓଡ଼ିଆ ମାଟିର ମହକ ଦେଖିବାକୁ ମିଳିଥାଏ । ସେଥିପାଇଁ ତ କେତେବେଳେ କୁନି ପିଲାଙ୍କୁ ଚକଲେଟ୍ ତ କେତେବେଳେ ସ୍ନେହରେ ଗେହ୍ଲା କରନ୍ତି ରାଷ୍ଟ୍ରପତି । 

ତିନି ସେନାର ସୁପ୍ରିମ୍ କମାଣ୍ଡର, ଦେଶର ଅଖଣ୍ଡ କ୍ଷମତାର ଅଧିକାରିଣୀ ହୋଇଥିଲେ ବି ମ୍ୟାଡାମ୍ ପ୍ରେସିଡେଣ୍ଟଙ୍କ ମନରେ ତିଳେ ମାତ୍ର ଗର୍ବ କି ଅହଙ୍କାର ଦେଖିବାକୁ ମିଳେନି । ସବୁବେଳେ ମାଟିର ମଣିଷ ଓ ଓଡ଼ିଆର ପରିଚୟ ଦେଇ ଆସିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ ।