କନକ ବ୍ୟୁରୋ : ବର୍ଷ ୨୦୨୫ ଟି ଅନେକ ଦୁଃଖଦ ଖବର ନେଇଆସିଲା । ବିମାନ ଦୁର୍ଘଟଣାରୁ ନେଇ ବିସ୍ଫୋରଣ ଏବଂ ଲଗାତାର ଭୂମିକମ୍ପ ଭଳି ସମସ୍ୟା ଦେଖୁଛି ଭାରତ । ଗତ କିଛି ଦିନ ହେଲା ଭାରତର ବିଭିନ୍ନ ସ୍ଥାନରେ ମଧ୍ୟ ଲଗାତାର ଭୂମିକମ୍ପର ଝଟକା ଲାଗୁଥିବାର ଖବର ସାମ୍ନାକୁ ଆସୁଛି । ଜୁଲାଇ ୧୦ ପରେ ଅନେକ ସ୍ଥାନରେ ଭୂକମ୍ପକୁ ଅନୁଭବ କରିଛନ୍ତି ଲୋକ । ମନରେ ଛନକା ପଶିଛି ଆଗକୁ କିଛି ବଡ଼ ବିପଦ ଆସୁଛି କି ? ଆତଙ୍କରେ ରହିଛନ୍ତି ଲୋକେ । ତେବେ ଏହାକୁ ନେଇ କ’ଣ କହୁଛନ୍ତି ବୈଜ୍ଞାନିକ , ଆସନ୍ତୁ ଜାଣିବା ।
/filters:format(webp)/kanak/media/media_files/2025/07/21/earthquake-2025-07-21-14-27-16.jpg)
ଗତ ଏକ ସପ୍ତାହ ଧରି ଭାରତର ଅନେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି । ଜୁଲାଇ ୧୯ ତାରିଖରେ ଉତ୍ତରାଖଣ୍ଡର ଚମୌଲୀରେ ସକାଳୁ ୩.୩ ତୀବ୍ରତାରେ ଭୂମିକମ୍ପର ଝଟକା ଲାଗିଥିଲା । ଏହା ପୂର୍ବରୁ ଜୁଲାଇ ୮ ତାରିଖରେ ଭୂମିକମ୍ପ ଆସିଥିଲା ଯାହାର ତୀବ୍ରତା ୩.୨ ଥିଲା । ଜୁଲାଇ ୧୭ ତାରିଖରେ ରୋହତକରେ ୩.୩ ତୀବ୍ରତାରେ ଭୂମିକମ୍ପର ଝଟକା ଲାଗିଥିଲା । ଏହା ପୂର୍ବରୁ ଜୁଲାଇ ୧୧ରେ ଝଜ୍ଜରରେ ୩.୭ ତୀବ୍ରତାରେ ଭୂମିକମ୍ପର ଝଟକା ଲାଗିଥିଲା । ଯାହା ମାଟିରୁ ମାତ୍ର ୧୦ କିଲୋମିଟର ଭିତରେ ହିଁ ଥିଲା । ଏହାର ଦିନକ ପୂର୍ବରୁ ଜୁଲାଇ ୧୦ ତାରିଖରେ ଝଜ୍ଜରରେ ହିଁ ୪.୪ ତୀବ୍ରତାର ଭୂକମ୍ପ ଆସିଥିଲା । ଯାହା ଦିଲ୍ଲୀ-ଏନସିଆର , ଫରିଦାବାଦ ଏବଂ ଗୁରୁଗ୍ରାମରେ ଥିବା ଲୋକଙ୍କୁ ଅନୁଭୂତ ହୋଇଥିଲା ।
/filters:format(webp)/kanak/media/media_files/2025/07/21/earthquake-2025-07-21-14-27-43.jpg)
IIT କାନପୁରର ପୃଥିବୀ ବିଜ୍ଞାନ ବିଭାଗର ପ୍ରଫେସର ଜାଭେଦ ମଲ୍ଲିକଙ୍କ ଅନୁସାରେ ଭାରତ ସମେତ ଦକ୍ଷିଣ ପୂର୍ବ ଏସିଆରେ ଭୂମିକମ୍ପ ପାଇଁ ସାଗାଇଙ୍ଗ ଫଲ୍ଟ ଏକ ମୁଖ୍ୟ କାରଣ ଅଟେ । ଏହା ବ୍ୟତୀତ ବଙ୍ଗଳାର ସିଲିଗୁଡ଼ିରେ ଗଙ୍ଗା-ବଙ୍ଗଳା ଫଲ୍ଟ ମଧ୍ୟ ରହିଛି । ଯେଉଁ କାରଣରୁ ବାରମ୍ବାର ଭୂମିକମ୍ପର ଝଟକା ଅନୁଭୂତ ହେଉଛି । ଅଧ୍ୟୟନରୁ ଜଣାପଡ଼ିଛି କି ଏହି ଅଞ୍ଚଳରେ ଭୂମିକମ୍ପର ଝଟକା ଗତ ୧୫୦-୨୦୦ ବର୍ଷ ଧରି ଆସୁଛି । ପ୍ରଫେସର ମଲ୍ଲିକଙ୍କ ଅନୁସାରେ ହିମାଳୟରେ ମଧ୍ୟ ଅନେକ ସକ୍ରିୟ ଫଲ୍ଟ ଲାଇନ ରହିଛି । ଦିଲ୍ଲୀ ସମେତ ସମଗ୍ର ଉତ୍ତର ପୂର୍ବ ଏବଂ କାଶ୍ମୀର ଭୂମିକମ୍ପ ଦୃଷ୍ଟିରୁ ଜୋନ-୫ ରେ ଆସିଥାଏ । ଏଭଳି ପରିସ୍ଥିତିରେ ଏହି ଅଞ୍ଚଳରେ ଆହୁରି ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି । ପ୍ରଫେସର କହିଛନ୍ତି ଯେ ଫଲ୍ଟ ଲାଇନ ୧୫୦-୨୦୦ କି.ମି ଗଭୀରତାରେ ହୋଇପାରେ । ଏଭଳି ପରିସ୍ଥିତିରେ କମ୍ ଗଭୀରତା ଥିବା ଭୂମିକମ୍ପ ଅଧିକ କ୍ଷତି ପହଞ୍ଚାଇଥାଏ । ଉତ୍ତର ପୂର୍ବ ଭାରତରେ ମହେନ୍ଦ୍ରଗଡ଼-ଡେରାଡୁନ ଫଲ୍ଟ ଲାଇନ, ଦିଲ୍ଲୀ-ହରିଦ୍ୱାର ରିଜ ଏବଂ ସୋହନା-ମଥୁରା ଭଳି ଫାଟ ରହିଛି । ଏହା ବ୍ୟତୀତ ଭୂମିର ଆଭ୍ୟନ୍ତରରେ ଟେକ୍ଟୋନିକ ପ୍ଲେଟ ରହିଛି ଯାହା ୟୁରେସିଆନ ପ୍ଲେଟ ସହିତ ଧକ୍କା ଦେଇଥାଏ । ଯେଉଁ କାରଣରୁ ଗୋଟିଏ ସ୍ଥାନରେ ଶକ୍ତି ଜମା ହୁଏ । ଯେତେବେଳେ ଏହି ଶକ୍ତି ନିର୍ଗତ ହୁଏ ସେତେବେଳେ ଭୂମିକମ୍ପ ଆସିଥାଏ ।
/filters:format(webp)/kanak/media/media_files/2025/07/21/broken-home-2025-07-21-14-28-28.jpg)
ବର୍ତ୍ତମାନ ଉତ୍ତର-ପୂର୍ବ ଭାରତରେ ଏହି ବର୍ଷ ଅନୁଭୂତ ହୋଇଥିବା ଝଟକା ଜୋନ-୪ ରେ ଅଛି । ଯାହା ସାଧାରଣତଃ କ୍ଷତି ପହଞ୍ଚାଇ ନଥାଏ । ବୈଜ୍ଞାନିକଙ୍କ ମତରେ ଏହି ଝଟକା ବଡ଼ ଭୂମିକମ୍ପ ଆସିବାର ସଙ୍କେତ ହୋଇପାରେ କିନ୍ତୁ ଏହା ସବୁଥର ହେବ ଏହା ମଧ୍ୟ ଜରୁରୀ ନୁହେଁ । ତେଣୁ ବର୍ତ୍ତମାନ ଚିନ୍ତା କରିବାର କୌଣସି କାରଣ ନାହିଁ । ସାଗାଇଙ୍ଗ ଫଲ୍ଟ କାରଣରୁ ଭବିଷ୍ୟତରେ ଆହୁରି ଝଟକା ଆସିପାରେ । ତେବେ ଭୂକମ୍ପ ଯୋଗୁଁ ସବୁଠାରୁ ଅଧିକ କ୍ଷତି ଭାରତର ପୂର୍ବ ଅର୍ଥାତ୍ ମିଆଁମାର, ଥାଇଲାଣ୍ଡ ଏବଂ ଜାପାନ ଭଳି ଦେଶରେ ହୋଇପାରେ । ଦିଲ୍ଲୀ-ଏନସିଆରରେ ବାରମ୍ବାର ଆସୁଥିବା ଭୂମିକମ୍ପର ଝଟକା ଭୟଭୀତ କରାଉଛି କାରଣ ଏଠାରେ ଅଧିକାଂଶ ଅଟ୍ଟାଳିକା ଅସୁରକ୍ଷିତ ଏବଂ ପୁରୁଣା ଅଟେ । ଯଦି କୌଣସି ଭୂମିକମ୍ପ ଆସେ ତେବେ ବଡ଼ କ୍ଷତି ହୋଇପାରେ । ଲୋକମାନେ ଜାଣିବା ଉଚିତ କି ଅଟ୍ଟାଳିକା ନିର୍ମାଣ କରିବା ସମୟରେ ଏହାକୁ ଭୂମିକମ୍ପ ପ୍ରତିରୋଧୀ କରିବା ଜରୁରି ଯାହାଦ୍ୱାରା କୌଣସି ବିପଦ ଥିଲେ ମଧ୍ୟ ଏଡ଼ାଇ ଦିଆଯାଇପାରିବ ।
ଭୂମିକମ୍ପ ଆସିବାର ମୁଖ୍ୟ କାରଣ ହେଉଛି ପ୍ଲେଟଗୁଡ଼ିକର ଭାଙ୍ଗିବା ଏବଂ ଧକ୍କା ଦେବା ପରେ ଶକ୍ତି ବାହାରକୁ ଆସିବା । ପୃଥିବୀର ନିମ୍ନରେ ଥିବା ଏହି ଟେକ୍ଟୋନିକ ପ୍ଲେଟଗୁଡ଼ିକ ଧୀରେ ଧୀରେ ଘୁରୁଥାଏ । ଏହି ପ୍ରକ୍ରିୟା ସମୟରେ କିଛି ପ୍ଲେଟ ପରସ୍ପର ଉପରେ ଚଢ଼ିଯାଆନ୍ତି ତ କିଛି ନିଜ ସ୍ଥାନରୁ ଖସିଯାଆନ୍ତି ସେଥିପାଇଁ ଭୂମିକମ୍ପ ଆସିଥାଏ । ଯେଉଁ ସ୍ଥାନରେ ପଥରଗୁଡ଼ିକ ପରସ୍ପର ସହିତ ଧକ୍କା ହୁଅନ୍ତି ତାହା ହିଁ ଭୂମିକମ୍ପର କେନ୍ଦ୍ର ହୋଇଥାଏ । ଏହି କେନ୍ଦ୍ରରୁ ଭୂମିକମ୍ପର ଶକ୍ତି ବ୍ୟାପିଥାଏ ଯେତେବେଳେ ଏହା ପୃଷ୍ଠରେ ପହଞ୍ଚେ ସେତେବେଳେ କମ୍ପନ ଅନୁଭୂତ ହୋଇଥାଏ ।