କନକ ବ୍ୟୁରୋ: ଏଲନ ମସ୍କଙ୍କ ଏଆଇ କମ୍ପାନି Xai ବର୍ତ୍ତମାନ ଏକ ଏପରି ପ୍ରୋଜେକ୍ଟ ଉପରେ କାମ କରୁଛି, ଯାହା ଭବିଷ୍ୟତର ଅଫିସ କାର୍ଯ୍ୟଶୈଳୀକୁ ପୂରାପୂରି ବଦଳାଇ ଦେବାର ସାମର୍ଥ୍ୟ ରଖୁଛି । ପୂର୍ବତନ ଏଆଇ ଇଞ୍ଜିନିୟର ସୁଲେମାନ ଘୋରିଙ୍କ ଏକ ଭାଇରାଲ ପଡକାଷ୍ଟରୁ ଏହି ସିକ୍ରେଟ୍ ପ୍ରୋଜେକ୍ଟ ବିଷୟରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

Advertisment

ହ୍ୟୁମାନ ଏମୁଲେଟର
ଅଫିସର ଅଦୃଶ୍ୟ କର୍ମଚାରୀ

xAI ଏକ "ହ୍ୟୁମାନ ଏମୁଲେଟର" ବିକଶିତ କରୁଛି, ଯାହା କମ୍ପ୍ୟୁଟରରେ ଜଣେ ମଣିଷ ପରି କାର୍ଯ୍ୟ କରିପାରିବ । ଏହି ଡିଜିଟାଲ ଏମୁଲେଟର ଗୁଡ଼ିକ ମଣିଷ ଭଳି କିବୋର୍ଡ ଏବଂ ମାଉସ୍ ବ୍ୟବହାର କରିବା ସହ ଯେକୌଣସି ସଫ୍ଟୱେୟାର୍ ଚଲାଇବାରେ ସକ୍ଷମ । ଘୋରିଙ୍କ ଅନୁଯାୟୀ, ଏହି ଏଆଇଗୁଡ଼ିକ ଏତେ ବାସ୍ତବ ଯେ xAI ର ପରିଚାଳକ ଏବଂ ଅନ୍ୟ କର୍ମଚାରୀମାନେ ଜାଣିପାରନ୍ତି ନାହିଁ ଯେ ସେମାନେ ଜଣେ ମଣିଷ ନା ଏଆଇ ସହିତ କାମ କରୁଛନ୍ତି । ସେମାନଙ୍କୁ କମ୍ପାନିର ଇଣ୍ଟରନାଲ ଡ୍ୟୁଟି ଚାର୍ଟରେ ମଧ୍ୟ ସ୍ଥାନ ଦିଆଯାଇଛି । ଅନେକ ସମୟରେ ଲୋକମାନେ ଜଣେ ସହକର୍ମୀ ଅନଲାଇନ ନଥିବା ବିଷୟରେ କଥା ହୁଅନ୍ତି, କିନ୍ତୁ ପ୍ରକୃତରେ ସେ ଜଣେ ମଣିଷ ନୁହଁନ୍ତି ବରଂ ଏକ ଏଆଇ ପ୍ରୋଗ୍ରାମ । ଏହି ଏଆଇ କର୍ମଚାରୀମାନେ ଇମେଲ୍ ଲେଖିବା, ରିପୋର୍ଟ ପ୍ରସ୍ତୁତ କରିବା ଏବଂ ଫାଇଲ୍ ପରିଚାଳନା ଭଳି ସମସ୍ତ ଦୈନନ୍ଦିନ ଅଫିସ କାର୍ଯ୍ୟ କରିବା ପାଇଁ ଡିଜାଇନ୍ ହୋଇଛନ୍ତି ।

ବିପଦରେ ମାଇକ୍ରୋସଫ୍ଟ !
ଚର୍ଚ୍ଚାରେ ‘ମାକ୍ରୋହାର୍ଡ’ ପ୍ରୋଜେକ୍ଟ

ଏଲନ ମସ୍କଙ୍କ ଏହି ମିସନର ନାଁ ହେଉଛି ‘ମାକ୍ରୋହାର୍ଡ’ ଯାହା ସିଧାସଳଖ ମାଇକ୍ରୋସଫ୍ଟ ଅଫିସ (Word, Excel, Outlook)କୁ ଟକ୍କର ଦେବା ପାଇଁ ଲକ୍ଷ୍ୟ ରଖିଛି । ମସ୍କ ଚାହୁଁଛନ୍ତି ଯେ ଭବିଷ୍ୟତରେ କମ୍ପାନୀଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ମଣିଷଙ୍କ ବଦଳରେ ଏଆଇ ମୁଖ୍ୟ କର୍ମଚାରୀ ଭାବରେ କାମ କରନ୍ତୁ । ଏହା ଦ୍ୱାରା କାର୍ଯ୍ୟଦକ୍ଷତା ବଢ଼ିବା ସହ ତ୍ରୁଟି ହେବାର ସମ୍ଭାବନା କମିଯିବ । ଏହି ବିଶାଳ ଏଆଇ ସିଷ୍ଟମକୁ ଚଲାଇବା ପାଇଁ ଅତ୍ୟଧିକ ବିଦ୍ୟୁତ୍ ଆବଶ୍ୟକ । ଏହାର ସମାଧାନ ପାଇଁ xAI ଏକ ଅଭିନବ ଉପାୟ ଚିନ୍ତା କରିଛି । ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଟେସଲା କାରରେ ଥିବା ଶକ୍ତିଶାଳୀ କମ୍ପ୍ୟୁଟର ଚିପ୍‌ ଗୁଡ଼ିକୁ ବ୍ୟବହାର କରିବାକୁ ଯୋଜନା ଚାଲିଛି ।

ଭବିଷ୍ୟତରେ ଆସିପାରେ ଭୟଙ୍କର ଚିତ୍ର

ବଡ଼କଥା ହେଉଛି ଏହି ପ୍ରକଳ୍ପ ଯଦି ସଫଳ ହୁଏ, ତେବେ ଅଫିସ କାର୍ଯ୍ୟରେ ଏକ ବିରାଟ ପରିବର୍ତ୍ତନ ଆସିବ । ଜଣେ ବ୍ୟକ୍ତି ନିଜ ଘରେ ଶୋଇଥିବା ବେଳେ ତାଙ୍କ ଟେସଲା କାରରୁ ମିଳୁଥିବା ଇଲେକ୍ଟ୍ରିକ୍ ଏକ ଏଆଇ ତାଙ୍କ ଅଫିସ କାମ କରିପାରିବ । ତେବେ ଏହି ଖବର ପରେ ସୁଲେମାନ ଘୋରି xAI ଛାଡ଼ିବାକୁ ଘୋଷଣା କରିବା ମାନବ ସଭ୍ୟତା ଉପରେ ଏହାର ପ୍ରଭାବକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।