କନକ ବ୍ୟୁରୋ: ଆଜିକାଲି ୟୁଟ୍ୟୁବ୍‌ ଦେଉଛି ରୋଜଗାର । କଥାଟା ଅବିଶ୍ବାସ ଲାଗିଲେ ବି ସତ…ଅନେକ ସମୟରେ ଖବର ଆସେ କି ୟୁଟ୍ୟୁବ୍‌ କୁ ଶିକ୍ଷା ଦେଉଛି । ହେଲେ ଏହିକଥାକୁ ଭୁଲ୍‌ ପ୍ରମାଣିତ କରି ଦେଖାଇଛନ୍ତି ମୁନିଗୁଡ଼ାର ଭୁନ୍ଦୁବାଲି ସତ୍ୟନାରାୟଣ । କାହାଠୁ କିଛି ନବୁଝି ୟୁଟ୍ୟୁବ୍‌ ଦେଖିଦିନକୁ କ୍ବିଣ୍ଟାଲ କ୍ବିଣ୍ଟାଲ ବାଇଗଣ ଅମଳ କରି ଭଲ ରୋଜଗାର କରୁଛନ୍ତି ।

Advertisment

ଏବେ ଚାଷ କାମରେ ଉପଯୋଗ ହେଉଛି ଗୁଗଲ୍‌ ଓ ୟୁଟ୍ୟୁବ୍‌ । ୟୁଟ୍ୟୁବ୍‌ରୁ ଚାଷ କରିବାର ପ୍ରଣାଳୀ ବିଷୟରେ ଜାଣିବା ପରେ ବେଶ୍‌ ଲାଭବାନ ହେଉଛନ୍ତି ଚାଷୀ । ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶରୁ ରାୟଗଡ଼ା ଆସି ଦୀର୍ଘଦିନ ହେଲା ମୁନିଗୁଡ଼ାଠାରେ ରହୁଛନ୍ତି ଚାଷୀ ଭୁନ୍ଦୁବାଲି ସତ୍ୟନାରାୟଣ । ମୁନିଗୁଡ଼ାରେ ପହଞ୍ଚିବା ପରେ ଏକ ତେଜରାତି ଦୋକାନ କରି ପରିବାର ଚଳାଉଥିଲେ । ହଠାତ୍‌ ଚାଷ କରିବାକୁ ମନ ବଳାଇ ଉନ୍ନତ ଜ୍ଞାନକୌଶଳ ଆପଣାଇଲେ । ଶେଷରେ ପଦ୍ମପୁର ପାଖରେ ପ୍ରାୟ ୧୦ ଏକର ଜମି ଲିଜ୍‌ ନେଇ ଆରମ୍ଭ କରିଛନ୍ତି ବାଇଗଣ ଚାଷ ।

ଗଛର କିପରି ଯତ୍ନ ନେବେ, କିପରି ଔଷଧ ସିଞ୍ଚନ କରିବେ ସବୁକିଛି ସେ ଗୁଗଲରୁ ଦେଖି ଶିଖିଛନ୍ତି ।  କମ୍ ସାର ଓ ବୈଜ୍ଞାନିକ ପଦ୍ଧତିରେ ଚାଷ କରୁଥିବାରୁ ପ୍ରତିଦନ ତାଙ୍କ ଜମିରୁ କ୍ବିଣ୍ଟାଲ କ୍ବିଣ୍ଟାଲ ବାଇଗଣ ଉତ୍ପାଦନ ହେଉଛି । ଆଉ ଲୋକମାନେ ବି ବାଇଗଣକୁ ବେଶ୍‌ ଆଦରର ସହ କିଣିନେଉଛନ୍ତି । ବର୍ତ୍ତମାନ ସତ୍ୟନାରାୟଣଙ୍କ ଚାଷ ଜମିରେ ୨୫ ରୁ ୩୦ ଜଣ ଲୋକ ପ୍ରତିଦିନ କାମ କରନ୍ତି । ଫଳରେ ସ୍ଥାନୀୟ ଅଂଚଳରେ ଦାଦନ ସଂଖ୍ୟା ବି କମିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ।  

ଆଗରୁ ବାଇଗଣ ପାଇଁ ବ୍ୟବସାୟୀ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲେ । ଏବେ ସତ୍ୟନାୟଣଙ୍କଠାରୁ ଉତ୍ତମ ବାଇଗଣ ପାଉଛନ୍ତି ମୁନିଗୁଡାବ୍ୟବସାୟୀ। ଏଠାର ବାଇଗଣରେ କମ୍ ସାର ବ୍ୟବହାର ଯୋଗୁଁ ଶୀଘ୍ର ନଷ୍ଟ ନହୋଇ ଅଧିକ ଦିନ ସତେଜ ବି ରହୁଛି । ସ୍ବାଦିଷ୍ଟ ଥିବାରୁ ଲୋକଙ୍କ ଚାହିଦା ସ୍ବାଭାବିକ ଭାବରେ ଅଧିକ ରହୁଛି । ବାହାରୁ ପରିବା ଆଣି ବଜାରରେ ବିକ୍ରି କରୁଥିବା ବ୍ୟବସାୟୀ ଏବେ ନିଜ ଅଞ୍ଚଳରୁ ପରିବା ପାଇବା ଫଳରେ ବେଶ ଦୁଇ ପଇସା ଲାଭ ହେଉଥିଵା କହିଛନ୍ତି । 

ଦିନକୁ ଦିନ ପରିବା ଦର ଆକାଶ ଛୁଆଁ ହେଉଛି ।  ବଜାରରେ ସବୁ ପରିବା ପ୍ରାୟ ୬୦ ଉପରେ । ଆଉ ଏହି ସମୟରେ ସତ୍ୟନାରାୟଣଙ୍କ ଏଭଳି ଉଦ୍ୟମ ତାଙ୍କୁ କେବଳ ଆର୍ଥିକ ସ୍ଥିତିରେ ସୁଦୃଢ଼ କରିଛି ତାହା ନୁହେଁ ବରଂ ସ୍ଥାନୀୟ ଅଞ୍ଚଳର ଅନେକ ଲୋକଙ୍କୁ ରୋଜଗାର ବି ଦେଉଛି ।  

(ରାୟଗଡ଼ାରୁ ସୀମାଂଚଳ ପଣ୍ଡାଙ୍କ ରିପୋର୍ଟ)