କନକ ବ୍ୟୁରୋ: ପ୍ରଭୁ ତୁମର କଳା ପଡ଼ିଥିବା ଦେହକୁ ଦେଖି ଚିତ୍କାର କରିବି ନା ନିଜ କୋହକୁ ଚାପି ଦେବି କହିଲ? ତୁମ ଦେହ ସାରା ଲାଗିଥିବା ଏ କଳା ପାଉଁଶ ସବୁ ମୋ ମନର ମଲାଟରେ ଛାପି ହୋଇଯାଉଛି । କେମିତି କେମିତି ଗୋଟେ ଲାଗୁଛି… ତୁମ ଜାଣତରେ ଆଉ ଭକ୍ତଙ୍କ ଅଜାଣତରେ ତୁମ୍ଭ ଶ୍ରୀଅଙ୍ଗରେ ଲାଗିଥିବା ଏ ନିଆଁ ଆଜି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ କରିଛି ।

Advertisment

ଜାଣିଛି..ତୁମେ କଳାଠାକୁର ବୋଲାଅ… ତା’ ବୋଲି କ’ଣ ଅଗ୍ନିକୁ ଆଦରିନେଇ ଆମ ଆଖିରେ ଅଶ୍ରୁ ଜୁଆର ଆଣିବ? ଦେଖୁନ ତୁମେ ତ ଅନଳର ସେ ଅଙ୍ଗାରକୁ ଶ୍ରୀଅଙ୍ଗରେ ମାଖି ଦେଇଛ ହେଲେ ତୁମ ଦେଖାଦେଖି ତମ ଭାଇ-ଭଉଣୀ ବି କେମିତି ଅଙ୍ଗାର ପଡ଼ିଯାଇଛନ୍ତି !!

ସ୍ବୟଂ ବିଶ୍ବକର୍ମା ସିନା ତୁମକୁ ଗଢ଼ିବା ପାଇଁ କବାଟ କିଳି ଦେଇଥିଲେ ହେଲେ କାଣ୍ଡଗୋଦା ଗାଁର ମନ୍ଦିର କବାଟ ତୁମେ କାହିଁକି କିଳିଲ ଠାକୁରେ? ରାତି ସାରା ଭାଇ-ଭଉଣୀଙ୍କ ସହ କେଉଁ କ୍ରୋଧାଗ୍ନିରେ ଜଳୁଥିଲ କହିଲ? ନିକଟରେ ତ ସେଇ ପାଖରେ ଥିବା ଶ୍ରୀକ୍ଷେତ୍ରରେ ଯେଉଁ ଲୀଳାଖେଳା କରିଲ ତା’ କାହାକୁ ଅଛପା ନାହିଁ । କେତେ ଅଘଟଣ କେତେ ବିଶୃଙ୍ଖଳା ହେଉଛି କହିଲ ବ୍ରହ୍ମଗିରିଠୁ କେଇ ମାଇଲ ଦୂରରେ ଥିବା ସେ ଶ୍ରୀମନ୍ଦିରରେ… ଏତେ ସବୁ ଆଘାତ ପରେ ମନ ବୁଝିଲାନି କି ଥରୁଟିଏ ଭାବିଲନି ଯେ ଆମକୁ କେମିତି ଲାଗିବ, ଅନେକ ଜଗନ୍ନାଥ ପ୍ରେମୀଙ୍କ ଉପରେ କ’ଣ ବିତିବ?

ଆମେ ଅନ୍ଧକାରରେ ଥିଲେ ତୁମେ ପରା ଆଲୁଅ ଦେଖାଅ । ଆଜି କେମିତି ସେ ଗର୍ଭଗୃହରେ ଅନ୍ଧକାରର ଅଙ୍ଗାରକୁ ଆବୁରି ବସିଲ? ପ୍ରଭୁ ତୁମ ଲୀଳାକୁ କିଏ ବୁଝିଛି ନା ବୁଝି ପାରିବ ଯେ…. ବଡ଼ ଭାଇ ସହ ସଲା ସୁତୁରା ହୋଇ ସବୁତକ ବହ୍ନିକୁ ଚାରି ବାହୁରେ ଜାବୁଡ଼ି ଧରିଲ କାହିଁକି !!  ଓଃ ମଝିରେ ପରା ତୁମ ହଳଦୀମୁଖି ଭଉଣୀ ବସିଛି, ଭଉଣୀକୁ ଏତେ ଭଲ ପାଉଛ ହେଲେ ଥରୁଟିଏ ଏ ଅଧମ ଭକତର ମନକୁ ବୁଝିପାରୁନ?? 

ସତରେ ସାଆନ୍ତେ ମୁଁ ଅଭିମାନ କରିଛି… 

ତୁମ ଦାରୁବ୍ରହ୍ମର ସବୁ ରଙ୍ଗ ଏବେ କଳା
କାହିଁକି ଏମିତି କରୁଛ ଚକାଡୋଳା? 
ଅନ୍ଧାରରୁ ତୁମେ ପରା ଦେଖାଅ ଆଲୋକ 
କେମିତି ବୁଝିପାରୁନି ଭକତ ମନର ଦୁଃଖ...
ଚର୍ତୁପାର୍ଶ୍ବ ଭସ୍ମ ହୋଇପାରେ ତୁମ ଇସାରାରେ
କିନ୍ତୁ ତୁମ ପାଇଁ ଆମ ଭକ୍ତି ଅତୁଟ ଅନ୍ତରେ…
କେବେ କିଛି ହୁଏନି ତୁମ ଅଜାଣତରେ...
ଠାକୁରେ! କ୍ଷମା କରିଦିଅ, ଥରେ ହସିଦିଅ...