କନକ ବ୍ୟୁରୋ: ମହୁଲ ଫୁଲରୁ ବିସ୍କୁଟ, କେକ୍ ଓ ଲଡୁ ପ୍ରସ୍ତୁତ ହେଉଛି । କଥାଟା ଟିକିଏ ଅଡ଼ୁଆ ଲାଗୁଥିବ । ଭାବୁଥିବେ ମହୁଲ ଫୁଲରୁ ପିଠା ତିଆରି ହେଉଥିବାର ଜାଣିଛୁ । ହେଲେ ଏତେ ସବୁ ଜିନିଷ ତିଆରି ହେଉଛି । ହଁ…ଏସବୁ ଜିନିଷ ତିଆରି କରି ବଜାରରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ବ୍ଲକର ଆଦିବାସୀ ମହିଳା । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାମାନଙ୍କୁ ଏହାର ପ୍ରାଣଳୀ ଉପରେ ତାଲିମ ମଧ୍ୟ ପ୍ରଦାନ କରୁଛନ୍ତି । ଯେଉଁ ମହୁଲ ଫୁଲ ମଦ ପାଇଁ ବେପାରୀକୁ ବିକ୍ରି କରୁଥିଲେ ଆଜି ସେହି ଫୁଲରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ରୋଜଗାରର ବାଟ ଦେଖାଇଛି ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ । 

Advertisment

ଏବେ ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛି ମହୁଲ ଫୁଲ । ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଆଦିବାସୀ ମହିଳା । ଯେଉଁ ଫୁଲର ନାଁ ଶୁଣିଲେ ଆମେ କେବଳ ଏହା ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ହୁଏ ବୋଲି କହିଥାଉ । ତାହାର ସଜ୍ଞା ପରିବର୍ତ୍ତନ କରିଛନ୍ତି ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଲକ୍‌ ମହୁଲପାଲି ଗାଁର ମହିଳାମାନେ । ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଜରିଆରେ ଏହି ମହିଳାମାନଙ୍କୁ ସମ୍ବଲପୁର ୟୁନିଭରସିଟି ପକ୍ଷରୁ ମହୁଲରୁ କିଭଳି ବିଭିନ୍ନ ସାମଗ୍ରୀ ତିଆରି କରାଯାଇପାରିବ ସେନେଇ ତାଲିମ ଦିଆଯାଇଥିଲା । ଆଉ ଏହି ତାଲିମ ନେବା ପରେ ମହିଳାମାନେ ମହୁଲରୁ କେକ୍, ବିସ୍କୁଟ ଓ ଲଡୁ ପ୍ରସ୍ତୁତ କରୁଛନ୍ତି । ଏହା ଯେତକି ପୁଷ୍ଟିକର, ସେତିକି ସ୍ୱାଦିଷ୍ଟ । 

ମହୁଲପାଲି ଗାଁର ମହିଳାମାନେ କେବଳ ଯେ ମହୁଲରୁ ଏହି ସମାଗ୍ରୀ ପ୍ରସ୍ତୁତ କରୁଛନ୍ତି ତାହା ନୁହେଁ ବରଂ ଏମାନେ ସଜନା ଗଛର ପତ୍ରରୁ ଚା’ ଏବଂ ଲଡୁ ପ୍ରସ୍ତୁତ କରୁଛନ୍ତି । ଯାହା ବେଶ୍ ଆଦୃତ ହୋଇପାରିଛି । ମହିଳା ମାନଙ୍କ କହିବା ଅନୁଯାୟୀ ଏମାନେ ମହୁଲ ଫୁଲକୁ ମଦ ତିଆରି ପାଇଁ ଯେତେ ବେଳେ ବିକ୍ରି କରୁଥିଲେ ତା’ ଠାରୁ ଏବେ ଅଧିକ ଲାଭ ମିଳୁଛି । ତିଆରି ହେଉଥିବା ସାମଗ୍ରୀ ବିଭିନ୍ନ ମେଳା ମାନଙ୍କରେ ବିକ୍ରି କରୁଛନ୍ତି । ସ୍ଥାନୀୟ ଲୋକ ମନେ ମଧ୍ୟ ଅର୍ଡର ଦେଇ କିଣି ନେଉଛନ୍ତି । ମହୁଲ ଫୁଲ ଓ ସଜନା ପତ୍ରରୁ ଏମାନେ ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି । ନିଜେ ଶିଖିବା ପରେ ଅନ୍ୟମାନଙ୍କୁ ତାଲିମ ଦେଉଛନ୍ତି । 

(ସୁନ୍ଦରଗଡ଼ରୁ ଦେବାଶିଷ କବିଙ୍କ ରିପୋର୍ଟ )