କନକ ବ୍ୟୁରୋ: ଦେଶକୁ ଦୋହଲାଇ ଦେଇଛି ରାଜସ୍ଥାନ ଯୋଧପୁର ରାଜପଥରେ ଘଟିଥିବା ଭୟାବହ ବସ୍‌ ଦୁର୍ଘଟଣା । ସ୍ବପ୍ନକୁ ସାଥିରେ ନେଇ ଘରକୁ ଫେରୁଥିବା ଯାତ୍ରୀମାନେ ଜୀବନ୍ତ ଦଗ୍ଧ ହେବା ପରେ କିଏ ଶବକୁ ଚିହ୍ନି ଚିତ୍କାର କରୁଛି ତ କାହାର ପୂରା ପରିବାର ପୋଡ଼ି ପାଉଁଶ ହୋଇଯାଇଛି ।

Advertisment

ମୃତକଙ୍କ ମଧ୍ୟରେ ରାମଗଡ଼ ପାୱାର ପ୍ଲାଣ୍ଟରେ କାମ କରୁଥିବା ଜିତେଶ ଚୌହାନ ବି ଅଛନ୍ତି । ଯିଏ ଦୀପାବଳି ପାଇଁ ଚାକିରିରୁ ଛୁଟି ନେଇ ଘରକୁ ଫେରୁଥିଲେ । ଜୈସଲମେରରୁ ଯୋଧପୁର ଯିବା ପାଇଁ  ବେଶ୍ ଖୁସି ହୋଇ ବସରେ ବସିଥିଲେ ଜିତେଶ । ବସରେ ବସିବା ପରେ ଜିତେଶ ଧର୍ମପତ୍ନୀଙ୍କ ପାଖକୁ ଫୋନ କରି କଥା ହୋଇଥିଲେ । ଆଉ କହିଥିଲେ ‘ହଉ ତୁମେ ବ୍ୟସ୍ତ ହୁଅନା, ଖୁବଶୀଘ୍ର ଘରେ ପହଞ୍ଚିଯିବି । ସମସ୍ତେ ମିଶି ଏକାଠି ଦୀପାବଳିକୁ ଧୁମଧାମରେ ପାଳନ କରିବା ।’

ସ୍ବାମୀ ଜିତେଶଙ୍କ ସହ ଫୋନରେ କଥା ହେବାପରେ ସ୍ତ୍ରୀ ଟିଭିରେ ଜୈସଲମେର-ଯୋଧପୁର ରୁଟରେ ଏକ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଖବର ପାଇଥିଲେ । ତାଙ୍କ ମନକୁ ପାପ ଛୁଇଁଥିଲା । ସେ ସଙ୍ଗେସଙ୍ଗେ ସ୍ବାମୀଙ୍କୁ ଫୋନ ଲଗାଇଥିଲେ । ହେଲେ ସ୍ବାମୀଙ୍କ ଫୋନ ବାରମ୍ବାର ରିଙ୍ଗ୍ ହେଉଥିଲେ ବି ସେପଟୁ କୌଣସି ଉତ୍ତର ଆସୁ ନଥିଲା । ପୁଲିସଠାରୁ ସୂଚନା ପାଇବା ପରେ ପରିବାରଲୋକ ପୁଅକୁ ଖୋଜିବା ପାଇଁ ଯୋଧପୁର ଡାକ୍ତରଖାନାକୁ ଧାଇଁ ଯାଇଥିଲେ । ପ୍ରତ୍ୟେକ ଆହତ ବ୍ୟକ୍ତିଙ୍କୁ ଦେଖି ସେମାନେ କେବଳ ଜିତେଶଙ୍କ ବିଷୟରେ ପଚାରୁଥିଲେ କିନ୍ତୁ ପୁଅର କୌଣସି ସନ୍ଧାନ ମିଳୁ ନଥିଲା । ପରେ ମୃତକଙ୍କ ଭିତରେ ଜିତେଶ ଥିବା ଜାଣି ତାଙ୍କ ପରିବାର ନିର୍ବାକ ହୋଇଯାଇଛି । ସ୍ବାମୀଙ୍କୁ ମନେ ପକାଇ ବାହୁନିବାହୁନି କାନ୍ଦୁଛି ସ୍ତ୍ରୀ ।

ସେହିପରି ଯବାନ ମହେନ୍ଦ୍ର ମେଘୱାଲ ଏବଂ ତାଙ୍କ ପରିବାର ମଧ୍ୟ ଏ ଦାରୁଣ ବସ୍ ଦୁର୍ଘଟଣାରେ ଜୀବନ ହାରିଛନ୍ତି । ମହେନ୍ଦ୍ର ତାଙ୍କ ପତ୍ନୀ ପାର୍ବତୀ, ଦୁଇ ଝିଅ ଏବଂ ପୁଅ ସହିତ ଘରକୁ ଯିବା ପାଇଁ ଖୁବ ଖୁସିରେ ବସରେ ବସିଥିଲେ । କିନ୍ତୁ କିଏ ଜାଣିଥିଲା କିଛି ସମୟ ପରେ ଏ ବସଟି ନିଆଁ ପିଣ୍ଡୁଳାରେ ପରିଣତ ହୋଇଯିବ । ଆଉ ଦେଖୁଦେଖୁ ୨୧ଜଣ ଯାତ୍ରୀ ନିଆଁ ଆଁରେ ଜଳିପୋଡ଼ି ପାଉଁଶ ହୋଇଯିବେ ।  

ସତରେ ଦଇବ ତୁ ଏତେ ନିଷ୍ଠୁର କେମିତି ହେଲୁରେ?? ଆଗକୁ ଦୀପାବଳି ଆସୁଥିବା ବେଳେ ବେଶ ଖୁସିରେ ଲୋକେ ନିଜ ରିବାର ପାଖକୁ ଫେରୁଥିଲେ । ହେଲେ ଏବେ ପୋଡ଼ା ପାଉଁଶ ଭିତରୁ ସେମାନଙ୍କ ପରିଚୟ ଖୋଜୁଛନ୍ତି ପରିବାରଲୋକେ ।