କନକ ବ୍ୟୁରୋ: ପୁଣି କରୋନା ଟେନସନ୍ ଦେଲାଣି । ପୂର୍ବରୁ ପୂରା ବିଶ୍ବକୁ କବଳିତ କରିଥିବା ଏହି ଭୂତାଣୁ ପାଇଁ ଲକଡାଉନ୍ ଓ ସଟ୍ଡାଉନ୍ କରିଥିଲେ ବିଶ୍ବର ଅନେକ ଦେଶ । ହେଲେ ଏସିଆ ମହାଦେଶରେ ଏବେ ଯେଉଁପରି ଭାବରେ କରୋନା ବ୍ୟାପିଲାଣି ଯଦି ଆଗାମୀ ଦିନରେ ଏହା ଜାରି ରହେ ତେବେ ପୁଣି ଥରେ ସମସ୍ତଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ କି ନାହିଁ ସେନେଇ ସାଧାରଣରେ ଉଠିଲାଣି ପ୍ରଶ୍ନ ।
ନାଲିଆଖି ଦେଖାଇଲାଣି କରୋନା
ପୁଣି ନେବାକୁ ପଡ଼ିବ କି ବୁଷ୍ଟର ଡୋଜ୍
ଲୋକ ଛାନିଆ, ଚିନ୍ତାରେ ସରକାର
ଚୀନ୍, ହଂକଂ, ସିଙ୍ଗାପୁର, ଥାଇଲ୍ୟାଣ୍ଡ ଓ ଭାରତ
କରୋନା କଲାଣି କଲବଲ
କରୋନା ବ୍ୟାପିବାରେ ଚୀନ୍ ହିଁ ଦାୟୀ ବୋଲି ଅନେକ ରାଷ୍ଟ୍ର ଅଭିଯୋଗ କରିଥିଲେ । ହେଲେ ଏବେ ପୁଣି ଥରେ କରୋନା ବ୍ୟାପିବା ଆରମ୍ଭ ହେଲାଣି । ଖାଲି ଚୀନ୍ ନୁହେଁ ବରଂ ହଂକଂ, ସିଙ୍ଗାପୁର , ଥାଇଲ୍ୟାଣ୍ଡ ସହିତ ଭାରତରେ ବି ଏହି ଭୂତାଣୁ ବ୍ୟାପିବାରେ ଲାଗିଲାଣି । ଭାରତରେ ଏବେ ସୁଦ୍ଧା ୨୬୦ରୁ ଅଧିକ ସକ୍ରିୟ ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି । ହେଲେ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବରଂ ସତର୍କ ରହିଲେ ହିଁ କରୋନାରୁ ଦୂରେଇ ରହିପାରିବେ ବୋଲି କହିଛନ୍ତି ।
କେଉଁଠି କେଉଁଠି ବଢୁଛି କରୋନା
ବିଶ୍ବରେ ପୁଣି ଥରେ କରୋନା ଧୀରେ ଧୀରେ ବ୍ୟାପୁଥିବା ବେଳେ ଏସନ କେବଳ ସିଙ୍ଗାପୁରରେ ୨୫ ହଜାରରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି । ଯାହା କି ପୂର୍ବବର୍ଷ ଅପେକ୍ଷା ୨୮ ପ୍ରତିଶତ ଅଧିକ । ସେପଟେ ହଂକଂରେ ମାତ୍ର ୧୦ ଦିନରେ ୩୦ ପ୍ରତିଶତ ମାମଲା ବଢିଛି । ଚୀନ୍ରେ ବି ହୁ ହୁ ହୋଇ ବଢୁଛି କରୋନା । ସୂଚନା ଅନୁସାରେ ଟେଷ୍ଟ ପଜିଟିଭିଟି ରେଟ୍ ଦ୍ବିଗୁଣିତ ହେଲାଣି । ଏପଟେ ଭାରତର ମହାରାଷ୍ଟ୍ର, କେରଳ ଓ ତାମିଲନାଡ଼ୁରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି ।
କେଉଁ ଭୂତାଣୁ ପାଇଁ ବ୍ୟାପୁଛି କରୋନା ?
ପ୍ରତିଥର କରୋନାର ନୂଆ ନୂଆ ଭ୍ୟାରିଆଣ୍ଟ ସାମ୍ନାକୁ ଆସୁଛି । ଏସନ କରୋନାର ଓମିକ୍ରନ୍ ଭ୍ୟାରିଆଣ୍ଟର ଜେଏନ୍ ୱାନ୍ ଏବଂ ତାହାର ସବ୍ଭ୍ୟାରିଆଣ୍ଟ ଏଲ୍ଏଫ୍-୭ ଓ ଏନ୍.ବି ୧.୮ ଦାୟୀ । ଡବ୍ଲ୍ୟୁଏଚ୍ଓର କହିବା ଅନୁସାରେ, ଏହି ଭ୍ୟାରିଆଣ୍ଟ ଅଧିକ ମାତ୍ରାରେ ସଂକ୍ରମଣାତ୍ମକ ହେଲେ ଅଧିକ କ୍ଷତିକାରକ ନୁହେଁ ।
ବୁଷ୍ଟର ଡୋଜ୍ ନେବା ଜରୁରୀ
କରୋନା ବ୍ୟାପିବା ପରେ ଟିକା ଦେବାର ବ୍ୟବସ୍ଥା କରିଥିଲେ ଅନେକ ଦେଶ । ଖାସ୍ କରି ଭାରତ ସ୍ବଦେଶୀ ଜ୍ଞାନକୌଶଳରେ ଲୋକଙ୍କୁ ମାଗଣା ଟିକା ଦେବାର ବ୍ୟବସ୍ଥା କରିଥିଲା । ହେଲେ ଏଥର କରୋନା ପୁଣି ଥରେ କାୟା ବିସ୍ତାର କରିବା ପରେ ବୁଷ୍ଟରଡୋଜ୍ ନେବାକୁ ପଡ଼ିବ କି ନାହିଁ ସେନେଇ ବି ଚର୍ଚ୍ଚା ଓ ଆଲୋଚନା ଚାଲିଛି । କୁହାଯାଉଛି କି ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ, ଛୋଟପିଲା, ଡାଏବେଟିସ୍ ଓ କ୍ୟାନସର ରୋଗୀମାନେ…ନିଶ୍ଚିତ ଭାବରେ ବୁଷ୍ଟରଡୋଜ୍ ନେବାକୁ ପଡ଼ିବ । ଅବଶ୍ୟ ଭାରତରେ ବୁଷ୍ଟର ଡୋଜ୍ ଆରମ୍ଭ ହୋଇନି ହେଲେ ଅନେକ ଦେଶର ଲୋକମାନେ ବୁଷ୍ଟର ଡୋଜ୍ ନେବା ଆରମ୍ଭ କରିଦେଲେଣି । ଏହାସହ ଯେଉଁ ଦେଶରେ ଅଧିକ ସଂକ୍ରମଣର ମାମଲା ସାମ୍ନାକୁ ଆସିଛି ସେହି ରାଷ୍ଟ୍ରକୁ ଯଦି କୌଣସି ଭାରତୀୟ ଗସ୍ତ କରୁଛନ୍ତି ତାହେଲେ ବୁଷ୍ଟର ଡୋଜ୍ ନିହାତି ନିଅନ୍ତୁ ବୋଲି ପରାମର୍ଶ ଦିଆଯାଉଛି ।
କେମିତି ରହିବେ ସାବଧାନ
ଭିଡ଼ସ୍ଥାନକୁ ଯିବେ ନାହିଁ
ନିୟମିତ ବ୍ୟବଧାନରେ ହାତଧୁଅନ୍ତୁ, ସାନିଟାଇଜର ବ୍ୟବହାର କରନ୍ତୁ
ମାସ୍କ ବ୍ୟବହାର କରନ୍ତୁ
ସଂକ୍ରମିତ ଅଞ୍ଚଳକୁ ଯାତ୍ରା କରିବାକୁ ଥିଲେ ସାବଧାନତା ଅବଲମ୍ବନ କରନ୍ତୁ
କାଶ ଓ କିମ୍ବା ଛିଙ୍କ ଲାଗି ରହିଲେ ତୁରନ୍ତ ଟେଷ୍ଟ କରନ୍ତୁ
ମୋଟ୍ ଉପରେ କରୋନାକୁ ନେଇ ଭୟଭୀୟ ନହୋଇ ବରଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।