କନକ ବ୍ୟୁରୋ: ଦେଶରେ ଆଜି ଯଦି ନିର୍ବାଚନ ହୁଏ…କଣ ହେବ, କିଏ ସରକାର କରିବ । କିଛି ଏମିତି ଚର୍ଚ୍ଚା ଅନେକଙ୍କ ମନରେ ଆସେ । ହେଲେ ଏହି ଚର୍ଚ୍ଚାକୁ ନେଇ ଜାତୀୟ ଗଣମାଧ୍ୟମରେ ସର୍ଭେ ହେବା ପରେ ଚିତ୍ର ଗୋଟିଏ ପ୍ରକାର ସ୍ପଷ୍ଟ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ସର୍ଭେ ରିପୋର୍ଟରେ କୁହାଯାଇଛି କି, ଆଜି ଦେଶରେ ନିର୍ବାଚନ ହେଲେ ଏନଡିଏ ପୁଣି ଥରେ ସରକାର କରିବ । ହେଲେ ବିଜେପି ଏକାକୀ ସରକାର କରିପାରିବ ନାହିଁ । ଏମିତି ରିପୋର୍ଟ ଆସିବା ପରେ ବିଜେପି ଶିବିରରେ ଛନ୍‌କା ପଶିଛି । କିନ୍ତୁ ରିପୋର୍ଟରେ ଗୋଟିଏ କଥା ସ୍ପଷ୍ଟ ଭାବରେ କୁହାଯାଇଛି କି ମୋଦୀଙ୍କ ଲୋକପ୍ରିୟତା ଏବେ ବି ଅତୁଟ ରହିଛି ।

Advertisment

ଆଜି ଯଦି ନିର୍ବାଚନ ହୁଏ
ଏନଡିଏ ସରକାର କରିବ
ବିଜେପି ଏକାକୀ ସରକାର କରିପାରିବନି
NDA ର ବିଜୟ,ବିଜେପି ପାଇଁ ଚିନ୍ତା

ସର୍ଭେ ଦର୍ଶାଉଛି ଯେ NDA ମେଣ୍ଟ ସଂସଦରେ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବ । ହେଲେ ବିଜେପିକୁ ୨୭୨ ଆସନର ମ୍ୟାଜିକ୍ ସଂଖ୍ୟା ଛୁଇଁବା ପାଇଁ ସଂଘର୍ଷ କରିବାକୁ ପଡ଼ିବ । ଏହାର ଅର୍ଥ ହେଉଛି, ବିଜେପିକୁ କ୍ଷମତାରେ ରହିବା ପାଇଁ ତା'ର ମେଣ୍ଟ ସହଯୋଗୀମାନଙ୍କ ଉପରେ ଅଧିକ ନିର୍ଭର କରିବାକୁ ପଡ଼ିବ । ଏହା ବିଗତ ଦୁଇଟି ନିର୍ବାଚନ ତୁଳନାରେ ଏକ ବଡ଼ ପରିବର୍ତ୍ତନ ହେବ ।

ମୋଦୀଙ୍କ ଲୋକପ୍ରିୟତା ଅତୁଟ :

ସର୍ଭେ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ବି ଦେଶର ସବୁଠାରୁ ଲୋକପ୍ରିୟ ନେତା ଭାବେ ରହିଛନ୍ତି । ତାଙ୍କର ନେତୃତ୍ୱ ଏବଂ ଜନସାଧାରଣଙ୍କ ସହ ସମ୍ପର୍କ ଏବେ ବି ଦୃଢ଼ ରହିଛି । ତେବେ, ଏହି ଲୋକପ୍ରିୟତା ବିଜେପିକୁ ଏକାକୀ ସଂଖ୍ୟାଗରିଷ୍ଠତା ଦେବାରେ ସକ୍ଷମ ହେଉନାହିଁ ।  ଯାହା ବିଜେପିର ସାଂଗଠନିକ ଦୁର୍ବଳତା କିମ୍ବା ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକର ପ୍ରଭାବକୁ ସ୍ପଷ୍ଟ ସୂଚାଉଛି ।

ବିରୋଧୀଙ୍କ ପ୍ରଭାବ :

ଇଣ୍ଡି ମେଣ୍ଟ ବିଜେପି ରାସ୍ତାର କଣ୍ଟା ଭାବରେ ଉଭା ହୋଇଛି । ୨୦୨୪ ନିର୍ବାଚନରେ ଇଣ୍ଡି ମେଣ୍ଟ ପୂର୍ବାପେକ୍ଷା ଅଧିକ ଭୋଟ୍‌ ପାଇଥିଲା । ହେଲେ ସରକାର ଗଢ଼ିବାରେ ସଫଳ ହୋଇପାରିନଥିଲା । ସେଇଥି ଲାଗି ତ ଏବେ ଦେଶର ଅନେକ ସ୍ଥାନରେ ରାଲି କରିବା ସହିତ ବିଜେପି ଉପରେ ବର୍ଷୁଛି ଇଣ୍ଡି ମେଣ୍ଟ । ଖାସ୍‌ କରି ରାହୁଲଙ୍କ ଭାରତ ଯୋଡୋ ଯାତ୍ରା, ମୁଦ୍ରାସ୍ଫୀତି, ବେରୋଜଗାରୀ ଏବଂ କୃଷକ ସମସ୍ୟା ଭଳି ପ୍ରସଙ୍ଗଗୁଡ଼ିକୁ ବିରୋଧୀ ଦଳଗୁଡ଼ିକ ପ୍ରସଙ୍ଗ କରି ସରକାରଙ୍କୁ ହରଡ଼ଘଣାରେ ପକାଇବାକୁ କିଛି ମାତ୍ରାରେ ସକ୍ଷମ ହୋଇଛନ୍ତି ।

ଆଞ୍ଚଳିକ ଦଳଗୁଡ଼ିକର ଭୂମିକା:

ଏବେ ନିର୍ବାଚନ ହେଲେ ଆଞ୍ଚଳିକ ଦଳର ଭୂମିକା ବଡ଼ ଗୁରୁତ୍ବପୂର୍ଣ୍ଣ ହେବ । କାରଣ ବିଜେପି ଏକାକୀ ସରକାର ନକରିପାରିବେ ମେଣ୍ଟ ଦଳର ସହାୟତା ନେଇ ସରକାର କରିବ । ତେଣୁ ବିଜେପି ପାଇଁ ସେତେଟା ଚିନ୍ତାର ବିଷୟ ନାହିଁ ହେଲେ ବି ଟେନସନ୍‌ ରହିଛି । 

କଣ ରହିବ ବିଜେପିର ରଣନୀତି

ଲୋକସଭା ନିର୍ବାଚନ ପରେ ବିଜେପି ଅନେକ ରାଜ୍ୟରେ ବି ସରକାର ଗଠନ କରିଛି ଏଥିରେ କୌଣସି ସନ୍ଦେହ ନାହିଁ । ହେଲେ ଧୀରେ ଧୀରେ ଭୋଟରଙ୍କୁ ମୁଡ୍‌ ବଦଳିବାରେ ଲାଗିଛି । ତେଣୁ ଆଗାମୀ ଦିନରେ ଶାସନ କ୍ଷମତାରେ ରହିବାକୁ ହେଲେ ବିଜେପିକୁ ନୂଆ ରଣନୀତି କରିବାକୁ ପଡ଼ିବ ବୋଲି ଚର୍ଚ୍ଚା ଜୋର ଧରିଛି ।