Challan-PKG-T Photograph: (Kanak News)
କନକ ବ୍ୟୁରୋ: ଟ୍ରାଫିକ୍ ଚାଲାଣ କଟିଛି କି…ଟଙ୍କା ଦେଇନାହାନ୍ତି କି…ଟେନ୍ସନ୍ରେ ଅଛନ୍ତି କି…ଏବେ ଆଦୌ ଟେନ୍ସନ୍ ହୁଅନ୍ତୁ ନାହିଁ । କାରଣ ଏବେ କମ୍ ଟଙ୍କା ଦେଲେ ବି ଆପଣଙ୍କ ଫାଇନ୍ କ୍ଲିୟର ହୋଇଯିବ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ପୂରା ସତ । ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଜାତୀୟ ଲୋକ ଅଦାଲତ ଏକ ବଡ଼ ସୁଯୋଗ ନେଇ ଆସିଛି । ଏହି ଅଦାଲତରେ ଆପଣ ନିଜର ବକେୟା ଟ୍ରାଫିକ୍ ଚାଲାଣକୁ ସହଜରେ ସମାଧାନ କରିପାରିବେ । ଏହା ଏମିତି ଏକ ମାଧ୍ୟମ…ଯେଉଁଠାରେ ଆପଣ ଅତି ସହଜରେ ଆପଣଙ୍କ ବକେୟା ଫାଇନ୍ର ସମାଧାନ କରିପାରିବେ ।
ଟ୍ରାଫିକ୍ ଚାଲାଣ କଟିଛି କି ?
ଟଙ୍କା ଦେଇନାହାନ୍ତି କି ?
ଆଦୌ ଟେନ୍ସନ୍ ହୁଅନ୍ତୁନି…
ଏମିତି କଲେ କମ୍ ଟଙ୍କାରେ କ୍ଲିୟର ହେବ ଫାଇନ୍ !
ଲୋକ ଅଦାଲତ କ’ଣ?
ଲୋକ ଅଦାଲତ । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହି ଅଦାଲତ ବସେ । ଏହା ସାଧାରଣତଃ ଜାତୀୟ ଲିଗାଲ ସର୍ଭିସେସ୍ ଅଥରିଟି (NALSA) ଦ୍ୱାରା ଆୟୋଜିତ ହୋଇଥାଏ । ଏଠାରେ ବିଭିନ୍ନ ପ୍ରକାରର ମାମଲା ଯଥା - ମୋଟର ଦୁର୍ଘଟଣା, ପାରିବାରିକ ବିବାଦ, ଶ୍ରମ ବିବାଦ ଏବଂ ଟ୍ରାଫିକ୍ ଚାଲାଣ ଆଦିର ସମାଧାନ କରାଯାଏ ।
ଟ୍ରାଫିକ୍ ଚାଲାଣ ପାଇଁ ଜାତୀୟ ଲୋକ ଅଦାଲତ କାହିଁକି ଗୁରୁତ୍ୱପୂର୍ଣ୍ଣ?
ଲୋକ ଅଦାଲତରେ ଅନେକ ମାମଲାର ସମାଧାନ ହୋଇଯାଏ । ଅର୍ଥାତ୍ ମାମଲାକୁ ନେଇ ସାଧାରଣ ଜନତା ଯେବେ ଟେନ୍ସନ୍ରେ ଥାଆନ୍ତି ସେବେ ଏହି ଲୋକ ଅଦାଲତରେ ସବୁ ମାମଲାର ସମାଧାନ ହୁଏ । ଖାସ୍ କରି ଯେଉଁମାନଙ୍କର ବାରମ୍ବାର ଚାଲାଣ କଟିଛି କିମ୍ବା ଅଧିକ ପରିମାଣରେ ଜରିମାନା ରହିଛି ସେମାନଙ୍କୁ ଏହି ଅଦାଲତ ଅନେକ ପରିମାଣରେ ସାହାଯ୍ୟ କରେ ।
ଶୀଘ୍ର ସମାଧାନ
ନ୍ୟାୟାଳୟରେ ବର୍ଷବର୍ଷ ଧରି ଯେଉଁ ମାମଲାର ସମାଧାନ ହୁଏ ନାହିଁ ସେହି ମାମଲା ଲୋକ ଅଦାଲତରେ ସଙ୍ଗେ ସଙ୍ଗେ ସମାଧାନ ହୁଏ ।
ଆଇନଗତ ପ୍ରକ୍ରିୟାରୁ ମୁକ୍ତି
ଆପଣଙ୍କ ନାଁରେ ଚାଲାଣ କଟିଛି ହେଲେ ଆପଣ ଏହାକୁ ଦେଇନାହାନ୍ତି । ଏମିତି ହେବା ଦ୍ୱାରା ଆପଣଙ୍କ ଚାଲାଣ କୋର୍ଟକୁ ପଳାଇଯାଏ । କୋର୍ଟକୁ ମାମଲା ଗଲେ ସମାଧାନ ପାଇଁ ଅନେକ ସମୟ ଲାଗେ । ହେଲେ ଲୋକ ଅଦାଲତରେ ବିନା କୌଣସି ବାଧାରେ ମାମଲାର ସମାଧାନ ହୁଏ ।
ଲୋକ ଅଦାଲତାରେ କେମିତି ହୁଏ ସମାଧାନ ?
ପ୍ରଥମେ ଆପଣଙ୍କର କୌଣସି ବକେୟା ଟ୍ରାଫିକ୍ ଚାଲାଣ ଅଛି କି ନାହିଁ ତାହା ଯାଞ୍ଚ କରନ୍ତୁ । ଆପଣ ପରିବହନ ବିଭାଗର ୱେବସାଇଟ୍, ଇ-ଚାଲାଣ ପୋର୍ଟାଲ୍ କିମ୍ବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଯାଇ ଏହି ସୂଚନା ପାଇପାରିବେ ।
କେମିତି ଜାଣିବେ ଲୋକ ଅଦାଲତ କେମିତି ହେବ ?
ଲୋକ ଅଦାଲତ ସମ୍ପର୍କରେ ଗଣମାଧ୍ୟମରେ ସୂଚନା ଦିଆଯାଏ । କେବଳ ଗଣମାଧ୍ୟମ ନୁହେଁ ବରଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବି ସୂଚନା ଦିଆଯାଏ ।
ପଞ୍ଜୀକରଣ
ଅନେକ ସମୟରେ ଲୋକ ଅଦାଲତ ପୂର୍ବରୁ ଅନଲାଇନ୍ କିମ୍ବା ଅଫଲାଇନ୍ ପଞ୍ଜୀକରଣ କରିବାକୁ ପଡ଼ିଥାଏ । କିଛି ରାଜ୍ୟରେ, ଆପଣ ସିଧାସଳଖ ଅଦାଲତକୁ ଯାଇ ମଧ୍ୟ ପଞ୍ଜୀକରଣ କରିପାରିବେ । ପଞ୍ଜୀକରଣ ସମୟରେ ଆପଣଙ୍କୁ ଚାଲାଣ ନମ୍ବର, ଗାଡ଼ି ନମ୍ବର ଏବଂ ନିଜର ପରିଚୟପତ୍ର ଦାଖଲ କରିବାକୁ ପଡ଼ିପାରେ ।
ଉପସ୍ଥିତ ହେବା ଜରୁରୀ
ଲୋକ ଅଦାଲତରେ ପଞ୍ଜୀକରଣ କରିବା ପରେ ନିର୍ଦ୍ଧାରିତ ସମୟରେ ଆପଣଙ୍କୁ ଉପସ୍ଥିତ ହେବାକୁ ପଡ଼ିବ । ଏହି ସମୟରେ ଆବଶ୍ୟକୀୟ କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଓ ଚାଲାଣର ନକଲ ନେବାକୁ ପଡ଼ିବ । ଏହାପରେ ଉପସ୍ଥିତ ଥିବା ଅଧିକାରୀଙ୍କ ସାମନାରେ ଆପଣଙ୍କୁ ନିଜର ପକ୍ଷ ରଖିବାକୁ ପଡ଼େ । ପରେ ପରେ ଜରିମାନା ରାଶି କମିପାରେ ।
କେଉଁ ମାମଲା ଲୋକ ଅଦାଲତରେ ସମାଧାନ ହୁଏ ନାହିଁ ?
ସାଧାରଣ ଭାବରେ ଅନେକ ଭାବନ୍ତି ଯେଉଁମାନେ ଲୋକ ଅଦାଲତ ଯାଉଛନ୍ତି ସେଠାରେ ସବୁ ପ୍ରକାର ଚାଲାଣର ସମାଧାନ ହେବ । କିନ୍ତୁ ଏହା ଭୁଲ୍ । ଲୋକ ଅଦାଲତରେ କେବଳ ସାଧାରଣ ଚାଲାଣର ସମାଧାନ ହୋଇପାରେ । ହେଲେ ମଦ୍ୟପାନ କରି ଗାଡ଼ି ଚଲାଇବା କିମ୍ବା ଦୁର୍ଘଟଣାଜନିତ ମାମଲାଗୁଡ଼ିକ ଏଠାରେ ସମାଧାନ ହୋଇପାରିବ ନାହିଁ । ଯଦି ଆପଣ ଅନୁପସ୍ଥିତ ରହୁଛନ୍ତି ତେବେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିଜର ସମ୍ପର୍କୀୟଙ୍କୁ ମଧ୍ୟ ହାଜର କରାଇପାରନ୍ତି । ତେଣୁ ଯଦି ଆପଣଙ୍କର କୌଣସି ଚାଲାଣ ରହିଛି ତେବେ ଏଠାରେ ଯାଇ ସମାଧାନ କରିପାରିବେ ଆପଣ ।
Follow Us