କନକ ବ୍ୟୁରୋ: ପୁଣି ପଦାରେ ପଡ଼ିଲା ଚୀନର ଚାଲାଖି । କେମିତି ଗୁପ୍ତରେ ପରମାଣୁ ବମ୍‌ ତିଆରି କରୁଛି ତାହାର ପର୍ଦ୍ଦାଫାସ୍‌ ହୋଇଛି । ସୂଚନା ଅନୁସାରେ, ପ୍ରତି ୫ ଦିନରେ ବେଜିଂ ଗୋଟିଏ ଲେଖାଏଁ ପରମାଣୁ ବମ୍‌ ତିଆରି କରୁଛି । ଜାପାନୀ ଥିଙ୍କ୍ ଟ୍ୟାଙ୍କ୍ ରିପୋର୍ଟରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଚର୍ଚ୍ଚା ବଢିଛି । କାରଣ ୫ ବର୍ଷ ମଧ୍ୟରେ ଚୀନ୍ ଗୁପ୍ତ ଭାବରେ ୩୬୦ଟି ପରମାଣୁ ଅସ୍ତ୍ର ତିଆରି କରିଛି । ଏହାସହ ଚୀନ୍‌ର ପରମାଣୁ ଅସ୍ତ୍ର ସଂଖ୍ୟା ୬୦୦ ଅତିକ୍ରମ କରିଛି । କେବଳ ଚୀନ୍‌ ନୁହେଁ ବରଂ ବିଶ୍ବର ଅନେକ ରାଷ୍ଟ୍ର ପରମାଣୁ ବୋମା ତିଆରି କରିବାରେ ବ୍ୟସ୍ତ ଅଛନ୍ତି । ଏହାସହ ଇରାନ୍‌ ମଧ୍ୟ ପରମାଣୁ ଶକ୍ତିସଂପନ୍ନ ହେବାକୁ ଚେଷ୍ଟା ଚଲାଇଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । 

Advertisment

ପ୍ରତି ୫ ଦିନରେ
ଗୋଟିଏ ପରମାଣୁ ବୋମା ତିଆରି କରୁଛି ଚୀନ୍‌
ଗୁପ୍ତରେ ୩୬୦ ପରମାଣୁ ବମ୍‌ ତିଆରି କଲାଣି ବେଜିଂ
ଆମେରିକା,ଋଷିଆ ଓ ଚୀନ୍‌
ବୃଦ୍ଧି କରୁଛନ୍ତି ପରମାଣୁ ଅସ୍ତ୍ରଶସ୍ତ୍ର

କେବଳ ଚୀନ୍‌ ପରମାଣୁ ଅସ୍ତ୍ର ବୃଦ୍ଧି କରୁଛି ତାହା ନୁହେଁ ବରଂ ଆମେରିକା ଓ ଋଷିଆ ମଧ୍ୟ ନିଜ ଦେଶର ପରମାଣୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ବୃଦ୍ଧି କରୁଛନ୍ତି । ଗତବର୍ଷ ତୁଳନାରେ ୯ଟି ଦେଶର ପ୍ରସ୍ତୁତ ପରମାଣୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇ ୯,୬୦୦ ରୁ ଅଧିକ ହୋଇଛି । ତେବେ ସଜସଜ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ଅଶାନ୍ତି ମଧ୍ୟରେ ଭାରତ ଉପରେ ପରମାଣୁ ଆକ୍ରମଣ କରିବାକୁ ବାରମ୍ବାର ଧମକ ଦେଇଥିଲା ପାକିସ୍ତାନ । ଏମିତିକି ଭାରତ ଏହାକୁ ଭ୍ରୁକ୍ଷେପ ନକରି ପାକିସ୍ତାନକୁ ମୁହଁତୋଡ୍‌ ଜବାବ ଦେବ ବୋଲି ରୋକଠୋକ୍‌ କହିଥିଲା । ଆମେରିକା ବି ପରମାଣୁ ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଥିଲା । କିନ୍ତୁ ଏବେ ରିପୋର୍ଟ ପ୍ରକାଶ ପାଇବା ପରେ ଚିନ୍ତା ବଢିଛି । 

ଦ୍ବିତୀୟ ବିଶ୍ବଯୁଦ୍ଧ ପରେ
କୌଣସି ଦେଶ ବ୍ୟବହାର କରିନାହାନ୍ତି ପରମାଣୁ ଅସ୍ତ୍ର

ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଆମେରିକା ଜାପାନ ଉପରେ ପକାଇଥିବା ଦୁଇଦୁଇଟି ପରମାଣୁ ଅସ୍ତ୍ର । ଯାହା ଫଳରେ ଲକ୍ଷାଧିକ ଲୋକଙ୍କ ପ୍ରାଣ ଯିବା ସହିତ ଲକ୍ଷାଧିକ ଲୋକ ଦିବ୍ୟାଙ୍ଗ ହୋଇଯାଇଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ କୌଣସି ଦେଶ ପରମାଣୁ ଅସ୍ତ୍ର ବ୍ୟବହାର କରିନାହାନ୍ତି । ହେଲେ ଏବେ ଅସ୍ତ୍ରର ସଂଖ୍ୟା ହଠାତ୍‌ ବଢିଥିବାରୁ ଆଗାମୀ ଦିନରେ ପରମାଣୁ ଯୁଦ୍ଧ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

କାହା ପାଖରେ ଅଛି କେତେ ପରମାଣୁ ଅସ୍ତ୍ର 

ବର୍ତ୍ତମାନ ଋଷିଆ ପାଖରେ ସର୍ବାଧିକ ୪,୩୧୦ଟି ପରମାଣୁ ଅସ୍ତ୍ର ରହିଛି, ଯାହା ୨୦୧୮ ତୁଳନାରେ ୦.୮ ପ୍ରତିଶତ ହ୍ରାସ ପାଇଛି । ସେହିଭଳି ଆମେରିକା ପାଖରେ ୩,୭୦୦ ପରମାଣୁ ଅସ୍ତ୍ର ଥିଲା । ଚୀନର ଅସ୍ତ୍ରାଗାର ୧୫୦ ପ୍ରତିଶତ ବୃଦ୍ଧି ପାଇଛି । ସମସ୍ତ ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶମାନଙ୍କ ମଧ୍ୟରେ, ଚୀନ୍ ତା'ର ଅସ୍ତ୍ରଶସ୍ତ୍ର ସଂଖ୍ୟା ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି କରିଛି । ମାତ୍ର ୫ ବର୍ଷ ମଧ୍ୟରେ ତା'ର ଅସ୍ତ୍ରାଗାରରେ ୩୬୦ଟି ନୂତନ ପରମାଣୁ ଅସ୍ତ୍ର ଯୋଡିଛି । ଚୀନ୍ ଏପରି କରିବା ଭାରତ ପାଇଁ ଏକ ବଡ଼ ବିପଦ । କାରଣ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ଦେଶରେ ପରମାଣୁ ଶକ୍ତି ନିର୍ମାଣକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।