କନକ ବ୍ୟୁରୋ: ୫ ଟଙ୍କା ପାଇଁ ମରିଗଲା ମଣିଷ ପଣିଆ । ଭଡ଼ା ଟଙ୍କା ନଥିଲା ବୋଲି ଦୁଇ ନାବାଳକ ଭାଇଙ୍କୁ ୨୫ କିଲୋମିଟର ବୁଲାଇଲା ‘ମୁଖ୍ୟମନ୍ତ୍ରୀ ବସ୍’ର ନିଷ୍ଠୁର କଣ୍ଡକ୍ଟର l ବେତନଟୀ ବୈଶିଙ୍ଗା ବଜାରରେ ଘଟିଛି ଏହିଭଳି ଅଭାବନୀୟ ଘଟଣା । ଯାହାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଉଛି ।

Advertisment

ବୈଶିଙ୍ଗା ଅଞ୍ଚଳର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ପିୟୁଷ ଓ ନବମ ଶ୍ରେଣୀରେ ପଢ଼ୁଥିବା ରୋହିତ, ଉଭୟ ରବିବାର ଅପରାହ୍ନରେ ବୈଶିଙ୍ଗା ଆସିବା ପାଇଁ ନଡ଼ପୁର ଛକରୁ OD11AE-3419 ନଂ ବିଶିଷ୍ଟ ‘ମୁଖ୍ୟମନ୍ତ୍ରୀ ବସ୍’ରେ ଚଢ଼ିଥିଲେ  l  ୨ ଭାଇ ବସରେ ଉଠିବା ସମୟରେ କଣ୍ଡକ୍ଟର ଦାୟିତ୍ୱରେ ଥିବା ପ୍ରତାପ ବଇଠାଙ୍କୁ କହିଥିଲେ କି ତାଙ୍କ ପାଖରେ ଭଡ଼ା ଦେବାପାଇଁ ୧୦ଟଙ୍କା ନାହିଁ ଓ ବୈଶିଙ୍ଗା ବସଷ୍ଟାଣ୍ଡରେ ତାଙ୍କ ବାପା ଭଡ଼ା ଟଙ୍କା ଦେଇ ଦେବେ l ହେଲେ କୌଣସି ଏକ କାରଣରୁ ପିୟୁଷ ଓ ରୋହିତଙ୍କ ବାପା ବସ୍ ଷ୍ଟାଣ୍ଡରେ ପହଞ୍ଚି ପାରିନଥିଲେ । ତେଣୁ ଭଡ଼ା ଟଙ୍କା ଦେଇପାରିବେନି ବୋଲି କହିଥିଲେ ଦୁଇ ନାବାଳକ । ଏପରିକି କଣ୍ଡକ୍ଟରକୁ ବସରୁ ଓହ୍ଲାଇ ଦେବାକୁ ନେହୁରା ମଧ୍ୟ ହୋଇଥିଲେ । ହେଲେ ମାନବିକତା ଭୁଲି ‘ମୁଖ୍ୟମନ୍ତ୍ରୀ ବସ୍’ କଣ୍ଡକ୍ଟର ୨ଭାଇଙ୍କୁ ବୈଶିଙ୍ଗାରେ ନ ଓହ୍ଲାଇ ବସ ୨୫ କିଲୋମିଟର ପର୍ଯ୍ୟନ୍ତ ବସରେ ଏ ଛକରୁ ସେ ଛକ ବୁଲାଇ ବୁଲାଇ ନୟାନ୍ତ କରିଥିଲେ । 

ଏପଟେ ବହୁତ ସମୟ ଧରି ବୈଶିଙ୍ଗା ବସ୍ ଷ୍ଟପେଜରେ ଖୋଜା ଖୋଜି କରିବା ପରେ ସ୍ଥାନୀୟ ଲୋକଙ୍କ ଜରିଆରେ ଖବର ପାଇଲେ । ଏବଂ ୨ ଭାଇଙ୍କ ମୁହଁରୁ ସବୁ କଥା ଶୁଣିଥିଲେ । ପରେ ବୈଶିଙ୍ଗା ବଜାର ମଝିରେ ଉକ୍ତ ବସକୁ ଅଟକେଇବା ସହିତ କଣ୍ଡକ୍ଟରକୁ ଏବାବଦରେ ପଚାରିଥିଲେ, ସତ ଜାଣିବା ପରେ ସ୍ଥାନୀୟ ଲୋକ ମଧ୍ୟ ଘଟଣା ସ୍ଥଳରେ ଏକଜୁଟ ହୋଇଯାଇଥିଲେ ଓ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହା ଦେଖିବା ପରେ କଣ୍ଡକ୍ଟର ଲୋକଙ୍କ ସମ୍ମୁଖରେ ଅଭିଭାବକଙ୍କୁ ହାତ ଯୋଡି ଭୁଲ ମାଗିବା ସହିତ ଉଠବସ ହୋଇଥିଲେ । ତେବେ ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପୁଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳୁଛି ।