High Court Of Chhattisgarh : ସ୍ବାମୀଙ୍କୁ ବେକାରିଆ କହିପାରିବେନି ସ୍ତ୍ରୀ : ହୋଇପାରେ ଛାଡ଼ପତ୍ର ?

ଏହି ମାମଲାଟି ଜଣେ ଆଇନଜୀବୀ ସ୍ୱାମୀଙ୍କ ଦ୍ୱାରା ଦାୟର କରାଯାଇଥିଲା । ତାଙ୍କ ପିଟିସନ ଅନୁଯାୟୀ, ୧୯୯୬ ମସିହାରେ ତାଙ୍କର ବିବାହ ହୋଇଥିଲା ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେ ନିଜ ପତ୍ନୀଙ୍କୁ ଉଚ୍ଚଶିକ୍ଷା ପାଇଁ ସମ୍ପୂର୍ଣ୍ଣ ସମର୍ଥନ ଦେଇଥିଲେ

High Court Of Chhattisgarh

High Court Of Chhattisgarh Photograph: (Kanak News)

କନକ ବ୍ୟୁରୋ: ବାହାଘର ପରେ ସ୍ବାମୀ-ସ୍ତ୍ରୀ ସାଥ୍‌ ହୋଇ ଚଳିବାର ଆବଶ୍ୟକତା ରହିଛି । କାରଣ ଉଭୟ ଏକାଠି ହୋଇ ଚଳିଲେ ପରିବାର ଭଲରେ ଚଳିବ । ହେଲେ ଅନେକ ସମୟରେ ଦେଖାଯାଉଛି କି ବିବାହ ପରେ ସ୍ବାମୀଙ୍କର କୌଣସି ରୋଜଗାର ନଥିଲେ ଘରେ ଅଶାନ୍ତି ହୁଏ । ଖାଲି ଅଶାନ୍ତି ହୁଏ ତାହା ନୁହେଁ ବରଂ ସ୍ବାମୀଙ୍କୁ ବେକାରିଆ କହିବାକୁ ସ୍ତ୍ରୀ ପଛାଇନଥାନ୍ତି । ହେଲେ ଏବେ ସେମିତି ଆଉ କହିପାରିବେ ନାହିଁ । ଏକ ମାମଲାର ବିଚାର କରି ଛତିଶଗଡ଼ ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । କହିଛନ୍ତି, ସ୍ବାମୀଙ୍କୁ ବେକାରିଆ ଆଦି କଥା କହି କଟାକ୍ଷ କରିବା ମାନସିକ ନିର୍ଯାତନାର ଅଂଶବିଶେଷ । ଏମିତି ମାମଲାରେ ଛାଡ଼ପତ୍ର ହୋଇପାରିବ । ଯାହାକୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା ଜୋର । 

ସ୍ବାମୀଙ୍କୁ ବେକାରିଆ କହି ଟାହିଟାପରା କରିବା ମାନସିକ ନିର୍ଯାତନା
ଏହାକୁ ଭିତ୍ତିକରି ହୋଇପାରିବ ଛାଡ଼ପତ୍ର
ଛତିଶଗଡ଼ ହାଇକୋର୍ଟଙ୍କ ରାୟକୁ ନେଇ ବଢ଼ିଲା ଚର୍ଚ୍ଚା
ସ୍ବାମୀଙ୍କୁ ଅପମାନିତ କରିପାରିବେନି ସ୍ତ୍ରୀ
ରୋଜଗାର ନଥିବା ବେଳେ କଟୁ କଥା କହିବା ଅନୁଚିତ୍

ହିନ୍ଦୁ ଧର୍ମରେ ଥରେ ବିବାହ କଲେ ସାତଜନ୍ମ ଏକାଠି ହୋଇ ସାଥ୍‌ ରହିବାକୁ ଅଗ୍ନିଙ୍କ ସାମ୍ନାରେ ସାକ୍ଷୀ ରଖାଯାଉଥିବା କୁହାଯାଏ । ଖାଲି ଏତିକି ନୁହେଁ ବରଂ ସ୍ବାମୀଙ୍କୁ ଦେବତା ବୋଲି ବି କୁହାଯାଏ। ହେଲେ ସ୍ବାମୀଙ୍କର କୌଣସି ରୋଜଗାର ନଥିଲେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୁଏ । ତେଣୁ ଘରେ ଅଶାନ୍ତି ଲାଗି ରହେ । ଖାସ୍‌ କରି ସ୍ବାମୀଙ୍କୁ ଅସମ୍ମାନ କରି କହିବା ଆଦୌ ଉଚିତ୍‌ ନୁହେଁ । ଯଦି କୌଣସି ସ୍ତ୍ରୀ ଏମିତି କଥା କୁହନ୍ତି ତାହା ସ୍ବାମୀଙ୍କୁ ମାନସିକ ନିର୍ଯାତନ ଦିଏ । ତେଣୁ ଏମିତି ମାମଲାରେ ଛାଡ଼ପତ୍ର ହୋଇପାରିବ ବୋଲି କୋର୍ଟ କହିଛନ୍ତି । 

କଣ ଥିଲା ପୂରା ମାମଲା ?

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏହି ମାମଲାଟି ଜଣେ ଆଇନଜୀବୀ ସ୍ୱାମୀଙ୍କ ଦ୍ୱାରା ଦାୟର କରାଯାଇଥିଲା । ତାଙ୍କ ପିଟିସନ ଅନୁଯାୟୀ, ୧୯୯୬ ମସିହାରେ ତାଙ୍କର ବିବାହ ହୋଇଥିଲା ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେ ନିଜ ପତ୍ନୀଙ୍କୁ ଉଚ୍ଚଶିକ୍ଷା ପାଇଁ ସମ୍ପୂର୍ଣ୍ଣ ସମର୍ଥନ ଦେଇଥିଲେ । ପରେ ପତ୍ନୀ ପିଏଚ୍‌ଡି ଡିଗ୍ରି ହାସଲ କରି ଏକ ସ୍କୁଲର ପ୍ରିନ୍ସିପାଲ୍ ଭାବରେ ନିଯୁକ୍ତି ପାଇଥିଲେ । ସ୍ୱାମୀଙ୍କ ଅଭିଯୋଗ ଥିଲା ଯେ ଉଚ୍ଚ ପଦବୀ ପାଇବା ପରେ ଛୋଟ ଛୋଟ କଥାରେ ଝଗଡ଼ା କରୁଥିଲେ । କୋଭିଡ-୧୯ ମହାମାରୀ ସମୟରେ କୋର୍ଟ ବନ୍ଦ ରହିବାରୁ ସ୍ୱାମୀଙ୍କ ଆୟ ପ୍ରାୟ ବନ୍ଦ ହୋଇଯାଇଥିଲା । ଏହି ସମୟରେ ପତ୍ନୀ ସାହାଯ୍ୟ କରିବା ପରିବର୍ତ୍ତେ ସ୍ବାମୀଙ୍କୁ ସେ କଟାକ୍ଷ କରିଥିଲେ । ପରିସ୍ଥିତି ଏମିତି ହେଲା ଯେ ଅଗଷ୍ଟ ୨୦୨୦ ରେ, ପତ୍ନୀ ନିଜ ଝିଅକୁ ନେଇ ଶାଶୂଘର ଛାଡ଼ି ଚାଲିଗଲେ ଏବଂ ସ୍ୱାମୀ ଓ ପୁଅ ସହିତ ସମ୍ପର୍କ ଛିନ୍ନ କରିଥିଲେ ।

କଣ କହିଲେ ହାଇକୋର୍ଟ ?

ଜଷ୍ଟିସ୍ ରଜନୀ ଦୁବେ ଏବଂ ଜଷ୍ଟିସ୍ ଅମିତେନ୍ଦ୍ର କିଶୋର ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଖଣ୍ଡପୀଠ ଫ୍ୟାମିଲି କୋର୍ଟଙ୍କ ରାୟକୁ ଖାରଜ କରି ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁମତି ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ନିର୍ଯାତନାର ଅର୍ଥ କେବଳ ଶାରୀରିକ ହିଂସା ନୁହେଁ ବରଂ ବାରମ୍ବାର ମାନସିକ ସ୍ତରରେ ଅପମାନିତ କରିବା ମଧ୍ୟ ଏକ ଗମ୍ଭୀର ନିର୍ଯାତନା ଅଟେ । ତେଣୁ ଏମିତି ମାମଲା ହେବା ପରେ କୋର୍ଟ ଛାଡ଼ପତ୍ର ହୋଇପାରିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe