କନକ ବ୍ୟୁରୋ: ଲାଞ୍ଚ ମାମଲାରେ ପଞ୍ଜାବ ପୁଲିସ ଡିଆଇଜି ହରଚରଣ ସିଂହ ଭୁଲ୍ଲର ଗିରଫ ହେବା ପରେ ଏବେ ଚାରିଆଡ଼େ ଚର୍ଚ୍ଚା । ଖାକି ପିନ୍ଧା ଏହି ବଡ଼ ପୁଲିସ ବାବୁଙ୍କ ଦୁର୍ନୀତିର ପେଡ଼ି ଖୋଲିଛି ସିବିଆଇ । ଭୁଲ୍ଲରଙ୍କ ଅନେକ ଠିକଣାରେ ଚଢ଼ଉ କରିଥିବା ସିବିଆଇ ହାତରେ ଏତେ ସମ୍ପତ୍ତି ଲାଗିଛି ଯେ ତାକୁ ଗଣି ଗଣି ହାଲିଆ ହୋଇଯାଇଛନ୍ତି ସିବିଆଇ ଅଧିକାରୀ ।

Advertisment

ରେଡ୍ ବେଳେ ସିବିଆଇ ଅଧିକାରୀ ଭୁଲ୍ଲରଙ୍କ ଛତିଶଗଡ଼ ବାସଭବନରୁ ବିପୁଳ ପରିମାଣର ନଗଦ ଏବଂ ଅଳଙ୍କାର ଜବତ କରିଛନ୍ତି । ରିପୋର୍ଟ ଅନୁଯାୟୀ, କୁବେର ଡିଆଇଜି ଭୁଲ୍ଲରଙ୍କ ଘରୁ ସାଢ଼େ ସାତ କୋଟି ଟଙ୍କା ନଗଦ, ପ୍ରାୟ ଅଢ଼େଇ କେଜି ସୁନା ଅଳଙ୍କାର ଏବଂ ବ୍ରାଣ୍ଡେଡ୍ ରୋଲେକ୍ସ ଏବଂ ରାଡୋ ଘଣ୍ଟା ସମେତ ୨୬ଟି ବିଳାସପୂର୍ଣ୍ଣ ଘଣ୍ଟା ଜବତ କରାଯାଇଛି । ଏହା ବ୍ୟତୀତ ଦାଗୀ ବାବୁଙ୍କ ପରିବାର ସଦସ୍ୟଙ୍କ ନାଁରେ ଥିବା ୫୦ରୁ ଅଧିକ ସ୍ଥାବର ସମ୍ପତ୍ତି, ବେନାମୀ ସଂସ୍ଥା, ଲକର ଚାବି ଏବଂ ଅନେକ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ସିଜ୍ କରିଛି ସିବିଆଇ ।

ସେପଟେ ଅଭିଯୋଗକାରୀ ଆକାଶ ବତ୍ତା କହିଛନ୍ତି ଯେ ୨୦୨୩ରେ ତାଙ୍କ ବିରୋଧରେ ରୁଜ୍ଜୁ ଏକ ଏଫଆଇଆରକୁ ବନ୍ଦ କରିବା ଓ ତାଙ୍କର କବାଡ଼ି ବ୍ୟବସାୟ ଚାଲୁ ରଖିବାକୁ ଭୁଲ୍ଲର ମାସକୁ ୮ ଲକ୍ଷ ଟଙ୍କା ଲାଞ୍ଚ ଦାବି କରୁଥିଲେ । ଜଣେ ମଧ୍ୟସ୍ଥି ମାଧ୍ୟମରେ ଏହି ଲାଞ୍ଚ ନିଆଯାଇଥାନ୍ତା । ମାସିକ ସେବା-ପାଣି ନ ଦେଲେ କେସକୁ ଜାରି ରଖିବା ସହ ନୂଆ ନୂଆ ମାମଲାରେ ଫସାଇଦେବାକୁ ଧମକ ଦିଆଯାଉଥିଲା । ଏହା ପରେ ଆକାଶ ସିବିଆଇରେ ଅଭିଯୋଗ କରିଥିଲେ ।

ଆପଣଙ୍କୁ କହି ରଖୁଛୁ ଯେ ହରଚରଣ ସିଂହ ଭୁଲ୍ଲର ୨୦୦୯ ବ୍ୟାଚର IPS ଅଫିସର । ଗତବର୍ଷ ପଞ୍ଜାବ ରୂପନଗର ରେଞ୍ଜର ଡିଆଇଜି ଭାବେ ନିଯୁକ୍ତ ହୋଇଥିଲେ । ଏବଂ ସେଠାରେ ନିଶା ବିରୋଧୀ ଅଭିଯାନର ନେତୃତ୍ୱ ନେଇ ଚର୍ଚ୍ଚାକୁ ଆସିଥିଲେ । ଏହା ବ୍ୟତୀତ, DIG ଭୁଲ୍ଲର ପ୍ରମୁଖ ରାଜନେତା ବିକ୍ରମ ସିଂହ ମାଜିଥିଆଙ୍କ ମାମଲାରେ SITର ନେତୃତ୍ୱ ମଧ୍ୟ ନେଇଥିଲେ । ହେଲେ ଜରେ ସଚ୍ଚୋଟ ଆଇପିଏସ ବୋଲାଉଥିବା ଅଫିସର ଏତେ ଦୁର୍ନୀତିଖୋର କେମିତି ହେଲା ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ।