କନକ ବ୍ୟୁରୋ :  ବିଶ୍ବସ୍ଥ ପ୍ରାଣୀର ନାଁ ନେଲା ମାତ୍ରେ କୁକୁରର ଛବିଟି ଆଗ ମୁଣ୍ଡକୁ ଆସେ । କେମିତି ମାଲିକ ପ୍ରତି କୁକୁର ସମର୍ପଣ ଭାବ ରଖେ ଏହାର ଅନେକ ଉଦାହରଣ ଆମେ ଆପଣଙ୍କୁ କହିଛୁ । ଏମିତିକି କୁକୁର କାମୁଡ଼ିଲେ କେମିତି ଉପଚାର କରିବେ ଏହାର ଉଦାହରଣ ମଧ୍ୟ ଆମେ ଆପଣଙ୍କୁ ଦେଇଛୁ । କିନ୍ତୁ ବର୍ତ୍ତମାନ ଯେଉଁ ଖବରଟି ଆମେ ଆପଣଙ୍କୁ ଜଣାଇବୁ ତାହା ଶୁଣିଲେ ଆପଣଙ୍କ ମୁହଁରେ ସ୍ମିତହସଟେ ନିଶ୍ଚୟ ଖେଳିଯିବ । 

Advertisment
Heroic-dog-saves-lives-in-Himach
Heroic-dog-saves-lives-in-Himach Photograph: (google)

ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ୬୭ ଜଣ ଲୋକଙ୍କ ଜୀବନ ବଞ୍ଚିଗଲା କେବଳ ଗୋଟିଏ କୁକୁର ପାଇଁ । ଜୁନ୍ ୨୯ ତାରିଖରେ ମଣ୍ଡିର ସିୟାଥି ଗାଁରେ ମୁଶଳଧାର ବର୍ଷା ସାଙ୍ଗକୁ ଭୂସ୍ଖଳନ ମଧ୍ୟ ହୋଇଥିଲା । ଘରର କାନ୍ଥ ଫାଟି ପାଣି ବାରଣ୍ଡାକୁ ଚାଲି ଆସିଥିଲା । କିନ୍ତୁ ରାତି ଅଧିକ ହୋଇଥିବାରୁ ଲୋକମାନେ ଯେ ଯାହା ଘରେ ଅଚିନ୍ତାରେ ଶୋଇଥିଲେ । ଆଉ ଠିକ୍ ସେହି ସମୟରେ ଦେବଦୂତଙ୍କ ପରି ଗୋଟିଏ ପୋଷା କୁକୁର ‘ରକି’ ଭୁକିବାକୁ ଲାଗିଥିଲା । ଲଗାତାର ଭୁକି ଭୁକି ରକି ନାଁ କେବଳ ନିଜ ମାଲିକର ଜୀବନ ବଞ୍ଚାଇଲା ବରଂ ୬୭ ଜଣ ଗ୍ରାମବାସୀଙ୍କ ଜୀବନ ମଧ୍ୟ କୁକୁର ପାଇଁ ବଞ୍ଚିଗଲା । ସାରା ଗାଁ ଯେତେବେଳେ ଅଚିନ୍ତାରେ ଶୋଇଥିଲା ରକି ସେତେବେଳେ ସଙ୍କଟମୋଚନ ସାଜି ଭୁକିବାରେ ଲାଗିଥିଲା । ରକିର ଭୁକିବା ଶବ୍ଦ ଶୁଣି ମାଲିକ ଲଲିତ କୁମାର ନିଦରୁ ଉଠି ପରିସ୍ଥିତିକୁ ଦେଖିଥିଲେ । ରକି ସବୁଦିନ ପରି ନ ଭୁକି ଚିତ୍କାର କଲା ପରି ଭୁକୁଥିବାରୁ ମାଲିକ ବିପଦ ଥିବା ଭାବି ଉଠିଥିଲେ ଏବଂ ଉଠିଲା ପରେ ଘରର କାନ୍ଥ ଫାଟିଥିବା ସେ ଦେଖିଥିଲେ । ଏମିତିକି ଘର ବାରଣ୍ଡାକୁ ପାଣି ଆସିଥିବାର ମଧ୍ୟ ସେ ଦେଖିଥିଲେ । 

ଲଲିତ ପ୍ରଥମେ ପରିବାର ସଦସ୍ୟଙ୍କୁ ଉଠାଇ ରକିକୁ କୋଳରେ ଧରି ପଡ଼ୋଶୀଙ୍କୁ ବିପଦର ସୂଚନା ଦେଇ ଦୌଡ଼ିବାକୁ ଲାଗିଥିଲେ । ଦୌଡୁଥିବା ସମୟରେ ପାହାଡ଼ରୁ ପଥର ଖଣ୍ଡ ଏବଂ ପାଣି ଦ୍ରୁତଗତିରେ ଆସୁଥିବାର ସେ ଦେଖିଥିଲେ । ମାଲିକ ଲଲିତଙ୍କ ଚିତ୍କାର ଏବଂ କୁକୁର ରକିର ଲଗାତାର ଭୁକିବା କାରଣରୁ ୨୨ ପରିବାରର ୬୩ ଜଣ ସଦସ୍ୟଙ୍କ ଜୀବନ ବଞ୍ଚିପାରିଥିଲା ।