କନକ ବ୍ୟୁରୋ: ଦିନରେ କୁଲି... କାମ ସରିଲା ପରେ ବଡି ବିଲ୍ଡିଂ । ପରିବାର ବୋଝ ଭିତରେ ସ୍ୱପ୍ନକୁ କରିଛନ୍ତି ସାକାର । ଯେବେ ନିଜର ସ୍ୱାସ୍ଥ୍ୟ କଥା ଆସେ, ବ୍ୟାୟାମ୍ କରିବା କଥା ଆସେ, ସାଧାରଣତଃ ସେତେବେଳେ ଲୋକଙ୍କୁ ବିଭିନ୍ନ ପ୍ରକାର ବାହାନା କରିଥିବାର ଦେଖିବାକୁ ମିଳିଥାଏ । କିଏ କୁଏ ସମୟ ନାହିଁ ତ କିଏ କୁହେ, ମୋ ପାଖେ ଟଙ୍କା ନାହିଁ । କିନ୍ତୁ ବର୍ତ୍ତମାନ ଯେଉଁ ବଡିବିଲ୍ଡରଙ୍କୁ ବିଷୟରେ ଆପଣ ଜାଣିବାକୁ ଯାଉଛନ୍ତି, ତାଙ୍କ କାହାଣୀ ସମ୍ପୂର୍ଣ୍ଣ ଅଲଗା । ୟାଙ୍କ ପାଖରେ କୌଣସି ବାହାନା ଚଳେନି... ସକାଳ ହେଲା ମାତ୍ରେ ପ୍ରଥମେ ବ୍ୟାୟାମ୍ କରନ୍ତି, ପରେ ଦୁଇ ପଇସା ରୋଜଗାର ପାଇଁ ରେଲୱେ ଷ୍ଟେସନର ମାଲ ଗୋଦାମରେ କୁଲି କାମ କରନ୍ତି, ସିମେଣ୍ଟ ଡମ୍ପରେ ସିମେଣ୍ଟ ବୁହନ୍ତି, ଦୁଇ ପଇସା ଆଣି ଘରେ ପିଲା, ସ୍ତ୍ରୀଙ୍କ କଥା ବୁଝନ୍ତି । ଏତେ ସବୁ ଭିତରେ ବି ସେ କେବେ ତାଙ୍କ ସ୍ୱପ୍ନକୁ ଭାଙ୍ଗିବାକୁ ଦେଇନାହାନ୍ତି ।
ମହାରାଷ୍ଟ୍ର ଅମରାବତୀ ଜିଲ୍ଲା, ନାଁ ରୋଶନ ଭଜନକର... ସେ ବଡିବିଲ୍ଡିଂରେ ଅନେକ ପୁରଷ୍କାର ଜିତିଲେଣି । ଏଥିପାଇଁ ତାଙ୍କୁ ଅନେକ କଷ୍ଟ ସହିବାକୁ ପଡିଛି । ପିଲାଟି ଦିନରୁ ସ୍ୱପ୍ନ ଥିଲା ବଡିବିଲ୍ଡିଂରେ ନାଁ କରିବାର । ସେବେଠୁ ନିଜକୁ ଗଢିଆସୁଛନ୍ତି ରୋଶନ । ଘରେ ଅନେକ ଅଭାବ ଅନାଟନ ଥିଲେ ବି ତାଙ୍କ ସ୍ୱପ୍ନର ଗାଡି କେବେ ଅଟକିନି । ରୋଶନ କୁହନ୍ତି, ମୋ ପରିବାରର ଦାୟିତ୍ୱ ମୋ କାନ୍ଧ ଉପରେ ରହିଛି । ମା, ଭାଇ, ସ୍ତ୍ରୀ, ଦୁଇ ଝିଅଙ୍କ ପାଇଁ ମୁଁ ଲଗାତାର ପରିଶ୍ରମ କରୁଛି । ରୋଜଗାରର ବଡ ଅଂଶ ମୋ ଖାଇବା ପିଇବା ବା ଡାଏଟ୍ରେ ଖର୍ଚ୍ଚ ହୋଇଯାଉଛି । ମାସକୁ ୨୦ହଜାର ଟଙ୍କା ରୋଜଗାର କଲେ ୧୦ ହଜାର ଟଙ୍କା ମୋ ଡାଏଟ୍ରେ ଖର୍ଚ୍ଚ ହୋଇଯାଉଛି । ଆଉ ୧୦ ହଜାର ଟଙ୍କାରେ ଘର ଚଳିବା ସମ୍ଭବ ହେଉନଥିବାରୁ ମୁଁ ଓଭର ଡିୟୁଟି କରୁଛି । ମୋ ଖର୍ଚ୍ଚ ଏବଂ ପରିବାର ଖର୍ଚ୍ଚ ପରେ ଯାହା ବଳିପଡେ ତାହା ମୁଁ ମୋ ଦୁଇ ଝିଅଙ୍କ ପାଇଁ ସଞ୍ଚୟ କରୁଛି । ଯେତେକି ମୁଁ ମୋ ପରିବାରର ଯତ୍ନ ନିଏ, ସେତିକି ନିଜର ବି ଯତ୍ନ ନିଏ । ମୁଁ ମୋ ଡାଏଟରେ କୌଣସି ଚିଟ୍ ମିଲ୍ ଆଡ୍ କରେନି । ଯେଉଁ ଖାଦ୍ୟ ମୋ ଶରୀରକୁ ପ୍ରୋଟିନ୍, ଭିଟାମିନ୍ ଯୋଗାଇ ପାରିବ ମୁଁ ସେହି ଖାଦ୍ୟ ଖାଇଥାଏ ।
ରୋଶନଙ୍କ ଡାଏଟ୍
ରୋଶନ ଡାଏଟ୍ରେ ସକାଳୁ ସକାଳୁ ୬ଟି ଅଣ୍ଡା, ୧୫୦ ଗ୍ରାମ ଓଡ୍ସ ଖାଇଥାନ୍ତି । ଏହା ପରେ ଲଞ୍ଚରେ ୧୫୦ ଗ୍ରାମ୍ ଚିକେନ୍, ୨୫୦ଗ୍ରାମ୍ ରାଇସ୍ ଏବଂ ସାଲାଟ୍ ଖାଇଥାନ୍ତି । ସଂଧ୍ୟାରେ ୱାର୍କଆଉଟ୍ ପୂର୍ବରୁ ୮ଟି ଏଗ୍ ହ୍ୱାଇଟ୍, ୨ଟି କଦଳୀ, ଅବା ବ୍ରାଉନ ବ୍ରେଡ୍ ଖାଇଥାନ୍ତି । ୱାର୍କଆଉଟ୍ ପରେ ପ୍ରୋଟିନ୍ ପିଇଥାନ୍ତି ରୋଶନ । ଏହା ପରେ ଲଞ୍ଚରେ ଯାହା ଖାଇଥାନ୍ତି ଡିନରରେ ବି ସମାନ ଖାଦ୍ୟ ଆଡ୍ କରିଥାନ୍ତି । ବାସ୍ ଏତିକି ଡାଏଟ୍ ପ୍ଲାନ୍ କରି ନିଜର ଫିଜିକ୍ସକୁ ମେଣ୍ଟେନ୍ କରିଥାନ୍ତି ରୋଶନ ।
ଯେଉଁଠି ଲୋକେ ଜିମ୍ ଯିବା ପାଇଁ ଅନେକ ପ୍ରକାର ବାହାନା କରୁଛନ୍ତି ସେଠି ରୋଶନ୍ ଏତେ ସବୁ ବାଧାବିଘ୍ନ ପରେ ବି ନିଜକୁ ପ୍ରମାଣ କରି ଦେଖାଇଛନ୍ତି । ଆଉ ଯୁବପୀଢିଙ୍କ ପାଇଁ ପ୍ରେରଣା ପାଲଟିଯାଇଛନ୍ତି ।