କନକ ବ୍ୟୁରୋ: ଦୀର୍ଘ ଦିନର ବନ୍ଧୁତା, ଅଘୋଷିତ ମେଣ୍ଟ ଏବଂ ସଂସଦରେ ଅକୁଣ୍ଠ ସମର୍ଥନ ସବୁଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି କି? ରାଜ୍ୟସଭା ନିର୍ବାଚନକୁ ନେଇ ଓଡ଼ିଶା ରାଜନୀତିରେ ଯେଉଁ ହଟଚମଟ ସୃଷ୍ଟି ହୋଇଛି, ତାହା ଏବେ ଏକ ବଡ଼ ସଙ୍କେତ ଦେଉଛି । ବିଜେଡି ଏବଂ ବିଜେପି ମଧ୍ୟରେ କୁଆଡ଼େ 'ବ୍ରେକଅପ୍' ହୋଇଯାଇଛି । କିନ୍ତୁ କାହିଁକି ଏ ଦୂରତା? କଣ ପାଇଁ ନବୀନ ଏବେ ଭକ୍ତଙ୍କ ‘ହାତ’ ଧରି ଚାଲିବାକୁ ନିଷ୍ପତ୍ତି ନେଇଛନ୍ତି? ଆସନ୍ତୁ ଜାଣିବା...

Advertisment

ଆହୁରି ପଢ଼ନ୍ତୁ: ଏକାଠି ହେଲେ ନବୀନ, ଭକ୍ତ

୨୦୧୪ ମସିହାରୁ ଦେଶରେ ମୋଦୀ ସରକାର ଆସିବା ପରେ ଓଡ଼ିଶାରେ ବିଜେଡି ଏକ 'ସୁରକ୍ଷିତ ବନ୍ଧୁ' ଭାବେ ଉଭା ହୋଇଥିଲା । କେନ୍ଦ୍ର ସରକାରଙ୍କ ପ୍ରତିଟି ନିଷ୍ପତ୍ତିରେ ନବୀନ ପଟ୍ଟନାୟକ ଖୋଲାଖୋଲି ସମର୍ଥନ ଦେଇଆସୁଥିଲେ । ଏପରିକି ବିଜେପିର ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରି ରାଜ୍ୟସଭା ପଠାଇବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କିନ୍ତୁ ଏବେ ସମୟ ବଦଳିଛି । ଯେଉଁ ବନ୍ଧୁତାକୁ ନେଇ କଂଗ୍ରେସ ସବୁବେଳେ 'ଭାଇ-ଭାଇ' ବୋଲି କଟାକ୍ଷ କରୁଥିଲା, ସେହି ବନ୍ଧୁତାରେ ଏବେ ଫାଟ ପଡ଼ିଥିବା ସ୍ପଷ୍ଟ ଜଣାପଡୁଛି ।

ମାର୍ଚ୍ଚ ୧୬ରେ ହେବାକୁ ଥିବା ୪ଟି ରାଜ୍ୟସଭା ଆସନ ପାଇଁ ଯେଉଁ ଗଣିତ ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଚକିତ କରିଛି । ବିଜେଡି ଏବଂ କଂଗ୍ରେସ ଏକାଠି ହେବା କେବଳ ଏକ ରାଜନୈତିକ ବାଧ୍ୟବାଧକତା ନୁହେଁ, ବରଂ ବିଜେପି ପାଇଁ ଏକ ଶକ୍ତ ଝଟକା । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ନବୀନଙ୍କ ସହ ଆଉ ଆଲୋଚନା କରିବାକୁ ଚାହୁନାହାନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଫଳରେ ନବୀନ ମଧ୍ୟ ନିଜର ଆଭିମୁଖ୍ୟ ବଦଳାଇ ଚତୁର୍ଥ ଆସନ ପାଇଁ ବିରୋଧୀଙ୍କ ସହ ହାତ ମିଳାଇଛନ୍ତି । ଯାହାକୁ ରାଜନୈତିକ ପଣ୍ଡିତମାନେ ବିଜେପି-ବିଜେଡି ମଧ୍ୟରେ ଏକ 'ବ୍ରେକଅପ୍' ବୋଲି କହୁଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀପ ଖେଳିଲେ ବିଜୁ କାର୍ଡ

ଏହି ବ୍ରେକଅପ୍ ପଛର କାହାଣୀ ମଧ୍ୟ ବେଶ ରୋଚକ । କୁହାଯାଉଛି, ରାଜ୍ୟ ବିଜେପିର କିଛି ନେତା ଚତୁର୍ଥ ଆସନ ପାଇଁ ନବୀନଙ୍କ ସହ ମିଶି ପ୍ରାର୍ଥୀ ଦେବାକୁ ଚାହୁଥିଲେ । କିନ୍ତୁ କେନ୍ଦ୍ର ନେତୃତ୍ୱ ଏଥିରେ ସିଧାସଳଖ ମନା କରିଦେଲେ । ଆମକୁ ନବୀନଙ୍କ ସହ ଯାଇ କିଛି ଲାଭ ନାହିଁ ଏହି ଗୋଟିଏ ଜିଦ୍‌ ସମ୍ପର୍କରେ ତିକ୍ତତା ଆଣିଦେଲା । ଅନ୍ୟପଟେ, ନବୀନ ବାବୁ ମଧ୍ୟ ଚୁପ୍ ବସିବା ଲୋକ ନୁହଁନ୍ତି । ସେ କଂଗ୍ରେସ ସହ ମିଶି କମନ ପ୍ରାର୍ଥୀ ଦେଇ ବିଜେପିକୁ ଏକପ୍ରକାର ଚ୍ୟାଲେଞ୍ଜ କରିଛନ୍ତି । କିନ୍ତୁ ଏହି ରାଜନୈତିକ ବିବାଦ, ବ୍ରେକଅପ୍ ଏବଂ ନୂଆ ଅଘୋଷିତ ମେଣ୍ଟ ଭିତରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଓଡ଼ିଶା କ’ଣ ପାଇଲା ?

ବିଜେଡି ଓ ବିଜେପିର ଏହି ଲଢ଼େଇରେ ଓଡ଼ିଶାର ସ୍ୱାର୍ଥ ବଳି ପଡ଼ିବ ନାହିଁ ତ?
ଯେଉଁ ସ୍ୱତନ୍ତ୍ର ପାହ୍ୟା ଏବଂ କେନ୍ଦ୍ରୀୟ ଅନୁଦାନ ପାଇଁ ବର୍ଷ ବର୍ଷ ଧରି ଦାବି ହୋଇଆସୁଛି, ଏହି ତିକ୍ତତା ପରେ ତାହା କଣ ଅଧିକ ଜଟିଳ ହୋଇଯିବ?
ନା ଏହି ବ୍ରେକଅପ୍ ପରେ ରାଜ୍ୟରେ ଏକ ସୁସ୍ଥ ବିରୋଧୀ ପକ୍ଷ ଗଠନ ହେବ, ଯାହା ଶାସନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ କରିବ ?

ହଁ ରାଜନୀତିରେ କେହି ଚିରସ୍ଥାୟୀ ବନ୍ଧୁ ନୁହଁନ୍ତି କି ଚିରସ୍ଥାୟୀ ଶତ୍ରୁ ନୁହଁନ୍ତି । କିନ୍ତୁ ଏହି ଶକ୍ତି ପ୍ରଦର୍ଶନରେ ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥ ଯେମିତି କ୍ଷୁର୍ଣ୍ଣ ନହୁଏ, ତାହା ହିଁ ବଡ଼ କଥା । ଦେଖିବାକୁ ବାକି ରହିଲା, ଏହି 'ବ୍ରେକଅପ୍' ପରେ ଆଗାମୀ ଦିନରେ କିଏ କାହା ଉପରେ ଭାରି ପଡ଼ୁଛି ଏବଂ ଓଡ଼ିଶା କେତେ ଲାଭବାନ ହେଉଛି ।