କନକ ବ୍ୟୁରୋ: ଓଡ଼ିଶା ରାଜନୀତିର ଆକାଶରେ ଦୁଇଟି ଦୀପ୍ତିମାନ ନକ୍ଷତ୍ର ହେଉଛନ୍ତି ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ଦୁହିଁଙ୍କ ସମ୍ପର୍କ ଏମିତି ଥିଲା ଯେ ସେତେବେଳେ ପଲ୍ଲୀରୁ ଦିଲ୍ଲୀ ସବୁଠି ଉଭୟଙ୍କୁ ନେଇ ଚର୍ଚ୍ଚା ଜୋରଦାର ହେଉଥିଲା । ଏମିତିକି ବିଜୁ ବାବୁ ମହତାବଙ୍କୁ ନିଜର ରାଜନୈତିକ ଗୁରୁ ବୋଲି ସର୍ବସମ୍ମୁଖରେ ସ୍ୱୀକାର ବି କରୁଥିଲେ । କିନ୍ତୁ କ୍ଷମତା, ସ୍ୱାଭିମାନ ଏବଂ ବିଚାରଧାରାର ସଂଘର୍ଷରେ ଏହି ଗୁରୁ-ଶିଷ୍ୟଙ୍କ ସମ୍ପର୍କରେ ଏମିତି ଫାଟ ସୃଷ୍ଟି ହେଲା, ଯାହା ଓଡ଼ିଶାର ରାଜନୈତିକ ମାନଚିତ୍ରକୁ ସବୁଦିନ ପାଇଁ ବଦଳାଇ ଦେଇଥିଲା । ଏହା କେବଳ ଏକ ଲଢ଼େଇ ନଥିଲା, ଏହା ଥିଲା ପୁରୁଣା ପିଢ଼ିର ଅଭିଜ୍ଞତା ବନାମ ନୂଆ ପିଢ଼ିର ଅଦମ୍ୟ ସାହସ ।

Advertisment

ସମ୍ପର୍କର ଶୁଭାରମ୍ଭ ପରେ
କିଏ ବୁଣିଥିଲା ବିଦ୍ରୋହର ବୀଜ?

୧୯୪୦-୫୦ ଦଶକ କଥା...ମହତାବ ଓ ବିଜୁଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଅତୁଟ ବିଶ୍ୱାସ ରହିଥିଲା । କୁହାଯାଏ ହରେକୃଷ୍ଣଙ୍କ ପ୍ରଭାବରେ ହିଁ ବିଜୁ ପଟ୍ଟନାୟକ ରାଜନୀତିର ମୁଖ୍ୟ ସ୍ରୋତକୁ ଆସିଥିଲେ । କିନ୍ତୁ ୧୯୬୦ ଦଶକ ଆରମ୍ଭ ବେଳକୁ ଧୀରେ ଧୀରେ ପରିସ୍ଥିତି ବଦଳିବାକୁ ଲାଗିଲା । ବିଜୁ ବାବୁଙ୍କ ଦ୍ରୁତ କାର୍ଯ୍ୟଶୈଳୀ, ଶିଳ୍ପାୟନର ସ୍ୱପ୍ନ ଏବଂ କଂଗ୍ରେସ ଉପରେ ବଢୁଥିବା ପ୍ରଭାବ ମହତାବଙ୍କୁ କେଉଁଠି ନା କେଉଁଠି ଅସ୍ୱାଭାବିକ ଲାଗିଥିଲା । ୧୯୬୧ ମସିହାରେ ଯେତେବେଳେ ବିଜୁ ପଟ୍ଟନାୟକ କଂଗ୍ରେସର ନେତୃତ୍ୱ ନେଇ ମାତ୍ର ୧୩୯ ଦିନର ପ୍ରଚାରରେ ଦଳକୁ ବହୁମତ ଦେବା ସହ ମୁଖ୍ୟମନ୍ତ୍ରୀ ହେଲେ, ସେଠାରୁ ଦୁହିଁଙ୍କ ମଧ୍ୟରେ ପଲିଟିକ୍ସ ପଡ଼ିଆରେ ଈର୍ଷା ଓ ମନୋମାଳିନ୍ୟର ପ୍ରକୃତ ଖେଳ ଆରମ୍ଭ ହେଲା ।

ଗୁରୁଙ୍କୁ ଶିଷ୍ୟ ଦେଇଥିଲେ ଚ୍ୟାଲେଞ୍ଜ
ମୁଣ୍ଡ ଟେକିଥିଲା ମହତାବ-ବିଜୁଙ୍କ କଳି 

ବିଜୁ ପଟ୍ଟନାୟକ କଂଗ୍ରେସରେ ନିଜକୁ ଏତେ ଶକ୍ତିଶାଳୀ କରିଦେଇଥିଲେ ଯେ ଦଳ ଭିତରେ ମହତାବଙ୍କ ଗୋଷ୍ଠୀ କୋଣଠେସା ହୋଇଗଲେ । ବିଜୁଙ୍କ 'ଡାଇନାମିକ୍' ଶୈଳୀ ଆଗରେ ପାରମ୍ପରିକ ରାଜନୀତି କରୁଥିବା ନେତାମାନେ ଅଣନିଶ୍ୱାସୀ ହୋଇପଡ଼ିଲେ ବୋଲି ଚର୍ଚ୍ଚା ହେଲା । ଆଉ ମହତାବ ଅନୁଭବ କଲେ ଯେ ଯେଉଁ ଶିଷ୍ୟଙ୍କୁ ସେ ଆଙ୍ଗୁଠି ଧରି ରାଜନୈତିକ ରାଜରାସ୍ତାରେ ଚଲାଉଥିଲେ, ସେ ଆଜି ନିଜେ ନିଜର ପଥପ୍ରଦର୍ଶକ ସାଜି ଶାସନଗାଦି ସମ୍ଭାଳିଛି । ଦଳ ଭିତରେ ଥାଇ ମଧ୍ୟ ମହତାବ ନିଜ ପ୍ରତିଷ୍ଠିତ କଂଗ୍ରେସରେ ପରଦେଶୀ ପଲିଟିକାଲ ନେତା ବୋଲି ଅନୁଭବ କଲେ । ଆଉ ସେବେଠୁ ଆରମ୍ଭ ହେଲା ରାଜନୀତି ରଣକ୍ଷେତ୍ରରେ ଅସଲ ଖେଳ, ଏହି ଅପମାନର ବଦଲା ନେବା ପାଇଁ ମହତାବ ରଚିଥିଲେ ବଡ଼ ଚାଲ୍ ।

ଜନ କଂଗ୍ରେସର ଗଠନ 
୧୯୬୭ରେ ରାଜନୈତିକ ଭୂକମ୍ପନ

୧୯୬୬ ମସିହାରେ ମହତାବ ବାବୁ ଶେଷରେ କଂଗ୍ରେସ ଛାଡ଼ିଲେ ଏବଂ ନିଜର ନୂଆ ଦଳ ଜନ କଂଗ୍ରେସ ଗଠନ କଲେ । ଏହା ଓଡ଼ିଶା ରାଜନୀତି ଇତିହାସରେ ପ୍ରଥମ ବଡ଼ ରାଜନୈତିକ ବିଭାଜନ ଥିଲା । ଆଉ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଯେ ବିଜୁ ପଟ୍ଟନାୟକଙ୍କୁ କ୍ଷମତାରୁ ହଟାଇବା । ୧୯୬୭ ନିର୍ବାଚନରେ ମହତାବଙ୍କ 'ଜନ କଂଗ୍ରେସ' ଏବଂ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ସ୍ୱତନ୍ତ୍ର ପାର୍ଟି ହାତ ମିଳାଇଲେ । ଏହି ମେଣ୍ଟ ବିଜୁଙ୍କ ନେତୃତ୍ୱାଧୀନ କଂଗ୍ରେସ ବିରୋଧରେ ଗର୍ଜନ କରିଥିଲା ।

ଗୁରୁଙ୍କ ବିଜୟ, ଶିଷ୍ୟଙ୍କ ପରାଜୟ
ଓଡ଼ିଶାର ସବୁଠାରୁ ବଡ଼ ‘ପଲିଟିକାଲ୍ ରିଭେଞ୍ଜ’

୧୯୬୭ ନିର୍ବାଚନର ଫଳାଫଳ ସାରା ଦେଶକୁ ଚକିତ କରିଦେଇଥିଲା । ଯେଉଁ ବିଜୁ ପଟ୍ଟନାୟକଙ୍କୁ ଅପରାଜେୟ କୁହାଯାଉଥିଲା, ତାଙ୍କ ଦଳ ଶୋଚନୀୟ ଭାବେ ପରାଜିତ ହେଲା । ମହତାବଙ୍କ ରଣନୀତି ସଫଳ ହେଲା ଏବଂ ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ଅଣ-କଂଗ୍ରେସ ମେଣ୍ଟ ସରକାର ଗଠନ ହେଲା । ଆଉ ରାଜେନ୍ଦ୍ର ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀ ଭାବେ ଶାସନଗାଦି ସମ୍ଭାଳିଥିଲେ । ବଡ଼କଥା ହେଉଛି ବିଜୁ ବାବୁଙ୍କୁ କ୍ଷମତାରୁ ଦୂରେଇ ରଖିବାରେ ମହତାବ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ଏହି ଲଢ଼େଇ ବ୍ୟକ୍ତିଗତ ନଥିଲା ବରଂ ଏହା ଥିଲା ସତ୍ତା, ଆଧିପତ୍ୟ ଓ ଅହଙ୍କାରର ସବୁଠାରୁ ବଡ଼ ବ୍ୟାଟେଲ୍ । ଏ ରାଜନୈତିକ ମହାଭାରତ ପ୍ରମାଣ କରିଥିଲା ଯେ ରାଜନୀତିରେ କେହି ଚିରସ୍ଥାୟୀ ବନ୍ଧୁ କିମ୍ବା ଶତ୍ରୁ ନୁହନ୍ତି । ଗୁରୁ-ଶିଷ୍ୟଙ୍କର ଏହି ତିକ୍ତତା ଓଡ଼ିଶାରେ କଂଗ୍ରେସର ପତନର ମୂଳଦୁଆ ପକାଇଥିଲା ଏବଂ ଆଗାମୀ ଦିନରେ ନୂଆ ଆଞ୍ଚଳିକ ଦଳମାନଙ୍କର ଅଭ୍ୟୁଦୟ ପାଇଁ ପଥ ପରିଷ୍କାର କରିଥିଲା ବୋଲି ପଲିଟିକ୍ସର ପଣ୍ଡିତ ମାନେ ଆଜି ବି କୁହନ୍ତି ।